ଆୟୁଷ୍ମାନ ସହକାର ଯୋଜନା ଆରମ୍ଭ କଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଆୟୁଷ୍ମାନ ସହକାର ଯୋଜନା ଆରମ୍ଭ କରିଛନ୍ତି। ଦେଶରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟିରେ ସମବାୟ ସମିତିକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ସହାୟତା ଦେବାକୁ ଏହି ଯୋଜନା ଏକ ନିଆରା ଉପାୟ ବୋଲି ସେ ଲାହିଛନ୍ତି। ଆୟୁଷ୍ମାନ ସହକାର ଯୋଜନା ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଶ୍ରୀ ତୋମର ଘୋଷଣା କରିଛନ୍ତି ଯେ ଏନସିଡିସି ଆସନ୍ତା ବର୍ଷଠାରୁ ଆବଶ୍ୟକ କରୁଥିବା ସମବାୟ ସମିତିକୁ ୧୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବ। ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଅଧିକ ସୁବିଧା ସୁଯୋଗର ଆବଶ୍ୟକତାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନସିଡିସିର ଏହି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ କୃଷକ କଲ୍ୟାଣ କାର୍ଯ୍ୟକଳାପକୁ ମଜବୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।

ଏହି ଅବସରରେ ଏନସିଡିସିର ପରିଚାଳନା ନିର୍ଦ୍ଦେଶକ ସୁଦୀପ ନାୟକ କହିଛନ୍ତି ଯେ ଏନସିଡିସି ପାଣ୍ଠି ଦେଶରେ ସମବାୟ ସମିତି ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟସେବାକୁ ବୃଦ୍ଧି କରିବ। ଏନସିଡିସିର ଆୟୁଷ୍ମାନ ସହକାର ଯୋଜନା ମୁଖ୍ୟତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ଏହି ଯୋଜନାରେ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର ପରିଚାଳନାଗତ ଆବଶ୍ୟକତା ପୂରଣ ପାଇଁ ଅର୍ଥ ଯୋଗାଇ ଦିଆଯିବ। ଏହି ଯୋଜନାରେ ଅଧିକ ମହିଳା ସଦସ୍ୟ ଥିବା ସମବାୟ ସମିତିକୁ ଏକ ପ୍ରତିଶତ ସୁଧ ରିହାତି ଦିଆଯିବ।

Comments are closed.