ବାଧାମୁକ୍ତ ହେଲା କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ହୋଇଥିବାରୁ କୃଷି ଓ ଚାଷକାର୍ଯ୍ୟ ତଥା ଆନୁସଙ୍ଗିକ ସେବାରେ ନିୟୋଜିତ ଲୋକମାନେ ସମସ୍ୟା ଭୋଗିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକୁ ଲକଡାଉନରୁ ବାଦ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି। ଯାହାଫଳରେ ଫସଲ କାଟିବାରେ କୌଣସି ବାଧା ଉତ୍ପନ୍ନ ହେବ ନାହିଁ।
ଲକଡାଉନ ଲାଗୁ ହେବା ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ତଥା ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକଙ୍କ ସହ ଜଡ଼ିତ ପ୍ରସଙ୍ଗ ଉପରେ ଲଗାତାର ଧ୍ୟାନ ରଖିଥିଲେ। ତେବେ ଲକଡାଉନ କାରଣରୁ କୃଷକମାନଙ୍କ ପାଇଁ ଫସଲ ଏବଂ ଉତ୍ପାଦିତ ଫସଲ ମଣ୍ଡିରେ ପହଁଚାଇବା କ୍ଷେତ୍ରରେ ବାଧା ଉତ୍ପନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ କୌଣସି ନିଷ୍ପତି ନେବା ଲାଗି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାର ଏହି ପ୍ରସଙ୍ଗ ଉପରେ ତତ୍କାଳ ବିଚାର କରିଥିଲେ।
୨୧ ଦିନର ଲକଡାଉନ ସମ୍ପର୍କରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ କୃଷି ଓ ଆନୁସଙ୍ଗିକ ସାମଗ୍ରୀ, ସେବା ଓ କାର୍ଯ୍ୟକଳାପକୁ ଲକଡାଉନରୁ ବାଦ ଦିଆଯାଇ ଏଗୁଡ଼ିକୁ ଅତିରିକ୍ତ ଶ୍ରେଣୀରେ ରଖାଯାଇଛି। ଏହାଫଳରେ ଫସଲ କାଟିବାରେ ମଧ୍ୟ ବାଧା ଉତ୍ପନ୍ନ ହେବ ନାହିଁ। ଅନ୍ୟାନ୍ୟ ନିଷ୍ପତ୍ତି ଅନୁଯାୟୀ କୃଷି ଉତ୍ପାଦ କ୍ରୟ ସଂସ୍ଥା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ବନ୍ଧୀୟ କାର୍ଯ୍ୟ, କୃଷି ଉତ୍ପାଦ ବଜାର କମିଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମଣ୍ଡି, ସାର ଦୋକାନ, କୃଷକ ଏବଂ କୃଷି ଶ୍ରମିକଙ୍କ ଦ୍ୱାରା ଚାଷ କାମ, ସାର, କୀଟନାଶକ ଏବଂ ବିହନ ଉତ୍ପାଦନ ଏବଂ ପ୍ୟାକେଜିଂ ସଂସ୍ଥା ଏବଂ ଫସଲ କାଟିବା ଏବଂ ବୁଣିବା ସମ୍ବନ୍ଧୀୟ କାର୍ଯ୍ୟ ଓ ବଗିଚାରେ ଲାଗୁଥିବା ଯନ୍ତ୍ରପାତିଗୁଡ଼ିକର ଆନ୍ତଃରାଜ୍ୟ ପରିବହନକୁ ଛାଡ଼ କରାଯାଇଛି।