୨୯ ନୂଆ ପ୍ରକଳ୍ପ ପାଇଁ ବ୍ୟୟ ହେବ ୨୬୬ କୋଟି

0

ଭୁବନେଶ୍ବର: ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କୃଷି ଓ ନୂତନ କୃଷି କୌଶଳର ବିକାଶ ନିମନ୍ତେ ବିଭିନ୍ନ ବିଭାଗ, ବିଶ୍ବବିଦ୍ୟାଳୟ ଏବଂ ନିଗମଗୁଡ଼ିକ ଦ୍ବାରା ପ୍ରସ୍ତୁତ ୨୯ଟି ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ୨୬୬.୪୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି।
ରାଜ୍ୟର ୩୧୪ଟି ବ୍ଲକରେ ମିନି ମୃତ୍ତିକା ପରୀକ୍ଷାଗାର ପ୍ରତିଷ୍ଠା କରାଯିବ। ସେହିପରି ଟସର ଚାଷ, କୀଟ ନିରୀକ୍ଷଣ ଏବଂ ଏହାର ପରିଚାଳନା, ଫଳର ଅମଳ ପରବର୍ତ୍ତୀ ଗୁଣାତ୍ମକ ବର୍ଗୀକରଣ ଏବଂ ଧାନ ଚାଷ ପାଇଁ ଗୁଣାତ୍ମକ ଜୈବ ସାର ଉତ୍ପାଦନ ଓ ଯୋଗାଣ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଏହାବ୍ୟତୀତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପଞ୍ଚାୟତ ପୋଖରୀରେ ମାଛ ଚାଷ, ପ୍ରାଥମିକ ସମବାୟ ସମିତିଗୁଡ଼ିକୁ ଭି-ସାଟ ସଂଯୋଗ, ଉଦ୍ୟାନ ଚାଷ ପାଇଁ କୌଶଳ ତାଲିମ ଏବଂ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ, କାଜୁ ଚାଷର ସଂପ୍ରସାରଣ, ସବୁଜ ବିପ୍ଲବ ପ୍ରକଳ୍ପ ଓ କୃଷି କଲ୍ୟାଣ ଅଭିଯାନ ସମେତ ଆଧୁନିକ ପ୍ରଣାଳୀରେ ଶୁଖୁଆ ପ୍ରସ୍ତୁତି ଓ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ।
ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ରାଜ୍ୟସ୍ତରୀୟ ମଞ୍ଜୁରି କମିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ଏ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ସ୍ବତନ୍ତ୍ର ସଚିବ ଭାସ୍କରଜ୍ୟୋତି ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ପ୍ରଶାସନିକ ଓ ଆର୍ଥିକ ଦିଗ ଉପରେ ସୂଚନା ଦେଇଥିଲେ। ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।
ସୂଚାଯୋଗ୍ୟ ଯେ ୨୦୦୭-୦୮ରୁ ରାଜ୍ୟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ସମୁଦାୟ ୬୪୬ଟି ମୁଖ୍ୟ ପ୍ରକଳ୍ପ ହାତକୁ ନିଆଯାଇଛି। ସେଥିରୁ ୪୧୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୨୨୮ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଏହି ଯୋଜନା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ଯୋଗାଇଥାଆନ୍ତି।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨୨୪.୨୩କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବୈଠକରେ କୃଷି ଉତ୍ପାଦନ କମିସନର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମବାୟ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବଙ୍କ ସମେତ କୃଷି ବିଶେଷଜ୍ଞ ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply