ଅଗ୍ନିଶମ ସେବା ପୋର୍ଟାଲ୍‍ ଉଦ୍‍ଘାଟିତ

‘ଆପଣମାନେ କେବଳ ସରକାରୀ କର୍ମଚାରୀ ନୁହଁନ୍ତି, ଦେଶ ପ୍ରଗତିର ପ୍ରତିନିଧି ଭାବେ ପ୍ରମାଣ ଦେଇଛନ୍ତି।’ ସମ୍ପ୍ରତି କୋଭିଡ୍‍-୧୯ ସମୟରେ ଜନସାଧାରଣଙ୍କ ପ୍ରତି ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କର ନିଷ୍ଠାପର ସେବାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ଦେଇଛନ୍ତି।

ଶୁକ୍ରବାର ସଂଧ୍ୟାରେ ଅଗ୍ନିଶମ ସେବା ପୋର୍ଟାଲକୁ ଅନ୍‍ଲାଇନରେ ଉଦ୍‍ଘାଟନ କରିବା ଅବସରରେ ନିଜ ଅଭିଭାଷଣରେ ଏଭଳି ମତ ରଖିଥିଲେ। ‘ଅମ୍ପନ’ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପଶ୍ଚିମବଙ୍ଗକୁ ୩୭୫ରୁ ଅଧିକ ଅଗ୍ନିଶମ କର୍ମଚାରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଯାଇଥିଲେ। ସେଠାରୁ ଫେରିବା ପରେ ୧୮୦ ଜଣ କର୍ମଚାରୀ କରୋନା ସଂକ୍ରମଣ ହୋଇଥିଲେ। ସେମାନେ ସୁସ୍ଥ ହେବା ପରେ ଜନସାଧାରଣଙ୍କୁ ସ୍ୱେଚ୍ଛାକୃତ ପ୍ଲାଜ୍‍ମା ଦାନ କରିବାକୁ ପ୍ରେରିତ କରିବା ଏବଂ ଜଟିଳ ରୋଗୀଙ୍କୁ ଜୀବନ ଦାନ କରିବା ଉଦ୍ଦେଶ୍ୟରେ ଏପର୍ଯ୍ୟନ୍ତ ୫ ଜଣ ଅଗ୍ନିଶମ କର୍ମଚାରୀ ପ୍ଲାଜ୍‍ମା ଦାନ କରିସାରିଲେଣି। ଏହାବ୍ୟତୀତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିରବଚ୍ଛନ୍ନ ଭାବେ ବିଶୁଦ୍ଧିକରଣ କାର୍ଯ୍ୟ କରି ଆସୁଛନ୍ତି।

ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର ଅଗ୍ନିଶମ ସେବା ପୋର୍ଟାଲ୍‍କୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଅଗ୍ନିଶମ ବିଭାଗର ୮ଟି ସେବା ଅନ୍‍ଲାଇନ୍‍ରେ ଉପଲବ୍ଧ ହେବ। ଅଗ୍ନି ନିରାପ। ପ୍ରମାଣପତ୍ରଠାରୁ ଆରମ୍ଭ କରି ଅନ୍ୟ କେତେକ ସେବା ଲାଗି ଆଉ ଜନସାଧାରଣଙ୍କୁ ଆଉ ବାରମ୍ବାର ଅଗ୍ନିଶମ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବନାହିଁ। ଅଗ୍ନିଶମ ବିଭାଗର ଅନ୍ୟାନ୍ୟ ସେବାଗୁଡ଼ିକୁ ଆସନ୍ତା ଅକ୍ଟୋବର-୨ ଗାନ୍ଧୀଜୟନ୍ତୀ ସୁଦ୍ଧା ଅଗ୍ନିଶମ ସେବା ପୋର୍ଟାଲରେ ସାମିଲ୍‍ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ନିର୍ଦେଶ ଦେଇଛନ୍ତି।

ଓଡ଼ିଶା ଅଗ୍ନିଶମ ସେବା ପୋର୍ଟାଲ୍‍ ମାଧ୍ୟମରେ ଜନସାଧାରଣ ୮ ସେବା ମଧ୍ୟରେ ଅଗ୍ନି ନିରାପ। ପ୍ରମାଣପତ୍ର ପାଇପାରିବେ। ଘରେ ବସି ସୁଉଚ୍ଚ କୋଠା, ମଲ୍‍ଟିପ୍ଲେକ୍ସ, ସପିଂ ମଲ୍‍ ଓ ଡାକ୍ତରଖାନା ବା ନର୍ସିଂହୋମ୍‍ ଇତ୍ୟାଦିିର ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ। ଏହି ପୋର୍ଟାଲ୍‍ ଅଗ୍ନିଶମ ବିଭାଗର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହିତ ରାଜ୍ୟବାସୀଙ୍କୁ ସ୍ୱଚ୍ଛ ସେବା ପ୍ରଦାନ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାରଙ୍କ ଟେକ୍ନୋଲୋଜି, ଟିମ୍‍ୱର୍କ, ଟ୍ରାନ୍ସପରେନ୍ସି, ଟାଇମ୍‍ ଓ ଟ୍ରାନ୍ସଫରମେସନ ଲକ୍ଷ୍ୟକୁ ଅଗ୍ନିଶମ ବିଭାଗ ଆପଣାଇଛି। ଅଗ୍ନିଶମ ବିଭାଗ ଆଗକୁ ବୈଷୟିକଜ୍ଞାନକୁ ଆପଣାଇ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରୁ ବୋଲି ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‍ଟେନ୍‍ ଦିବ୍ୟଶଙ୍କର ମିଶ୍ର ଏହି ଅବସରରେ ମତ ଦେଇଛନ୍ତି।

ଅଗ୍ନିଶମ ସେବା ବିଭାଗର ଅନ୍‍ଲାଇନ୍‍ ସେବା ପ୍ରଦାନ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ଏହି ଅବସରରେ ଉନ୍ନୟନ କମିସନର ସୁରେଶ ମହାପାତ୍ର, ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ୫ଟି ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍‍, ଅଗ୍ନିଶମ ବିଭାଗର ମହାନିର୍ଦେଶକ ଡ. ସତ୍ୟଜିତ ମହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.