ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା; ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ

ବାଲେଶ୍ୱର: ସୋମବାର ଦିନ ଓଡ଼ିଶା ଉପକୂଳରେ ଅଗ୍ନି କ୍ଷେପଣାସ୍ତ୍ର ପର୍ଯ୍ୟାୟର ଏକ ନୂଆ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ କରାଯାଇଛି । ପୂର୍ବାହ୍ନ ୧୦.୫୫ରେ ଏହି କ୍ଷେପଣାସ୍ତ୍ରକୁ ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ୪ ନମ୍ବର ଉତକ୍ଷେପଣ ସ୍ଥଳରୁ ଏହାକୁ ସଫଳତାର ସହିତ ପରୀକ୍ଷା କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ । ଏହା ସଂପୂର୍ଣ୍ଣ ଭାବରେ ଭିନ୍ନ ଭୌତିକ ଓ ରାସାୟନିକ ଗୁଣ ରହିଥିବା ଏକାଧିକ ପଦାର୍ଥରୁ ପ୍ରସ୍ତୁତ କରାଯାଇଛି । ପୂର୍ବତଟରେ ଅବସ୍ଥାପିତ ଏକାଧିକ ରାଡାର ଷ୍ଟେସନ ଏହି କ୍ଷେପଣାସ୍ତ୍ରର ଗତିବିଧି ଉପରେ ନଜର ରଖିବା ସହିତ ତାହାକୁ ନିରୀକ୍ଷଣ କରିଥିଲେ । ଏହି କ୍ଷେପଣାସ୍ତ୍ର ଉଚ୍ଚ ସ୍ତରର ସଠିକତା ବଜାୟ ରଖିବା ସହିତ ସମସ୍ତ ଅଭିଯାନ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇଛି ବୋଲି ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ର ଅଧିକାରୀମାନେ କହିଛନ୍ତି ।

Comments are closed.