ଜୀବିକା ମିଶନ ଆକାଉଣ୍ଟରୁ ସରକାରୀ ଟଙ୍କା ଆତ୍ମସାତ ଘଟଣା

ସାତଶଙ୍ଖ ୟୁନିୟନ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ସମ୍ମୁଖରେ ମହିଳାଙ୍କ ଧାରଣା ଜାରି

ଦୁଇଦିନ କାଳ ବ୍ୟାଙ୍କ କାରବାର ପ୍ରଭାବିତ, ପୁଲିସ ସୁରକ୍ଷା ଲୋଡିଲେ ଶାଖା ପରିଚାଳକ
ପିପିଲି (ନି.ପ୍ର):ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତ ଆକାଉଣ୍ଟ ସମେତ ଓଡିଶା ଜୀବିକା ମିଶନର ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟରୁ ୩୮ ଲକ୍ଷରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ହେବା ଘଟଣାକୁ ନେଇ ଶତାଧିକ ମହିଳା ଉକ୍ତ ବ୍ୟାଙ୍କ ସମ୍ମୁଖରେ ମଙ୍ଗଳବାର ଠାରୁ ଗଣଧାରଣାରେ ବସିଛନ୍ତି । ବ୍ୟାଙ୍କ ଠକେଇର ଶିକାର ହୋଇଥିବା ୩ଟି ପଞ୍ଚାୟତସ୍ତରୀୟ ସଂଘର କର୍ମକର୍ତ୍ତା ଓ ସଦସ୍ୟାମାନେ ସେମାନଙ୍କ ସଂଘର ଆକାଉଣ୍ଟକୁ ଟଙ୍କା ଫେରସ୍ତ ଦାବିରେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଦୁଇଦିନ କାଳ ବ୍ୟାଙ୍କ ସଂପୂର୍ଣ୍ଣ ଅଚଳ ହୋଇପଡିଛି । ବ୍ୟାଙ୍କ ମଧ୍ୟକୁ କୌଣସି କର୍ମଚାରୀ ପ୍ରବେଶ କରିପାରିନଥିବା ବେଳେ ଏଥିଯୋଗୁଁ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇ ବ୍ୟାଙ୍କ କାରବାର ସଂପୂର୍ଣ୍ଣ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ପୁଲିସ ସୁରକ୍ଷା ଯୋଗାଇଦେବା ପାଇଁ ବ୍ୟାଙ୍କ ଶାଖା ପକ୍ଷରୁ ସାତଶଙ୍ଖ ଫାଣ୍ଡି ଅଧିକାରୀଙ୍କୁ ଅନୁରୋଧ କରାଯାଇଛି ।

ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ (ଏସ୍‍ଏଫ୍‍ସି) ଆକାଉଣ୍ଟରୁ ୮ ଲକ୍ଷ ୧୫ ହଜାର ୪୦୪ ଟଙ୍କା ଆତ୍ମସାତ ହୋଇଥିବା ବେଳେ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ଓଡିଶା ଜୀବିକା ମିଶନର ସରସ୍ୱତୀପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୧୫ଲକ୍ଷ ୩୬ ହଜାର ଟଙ୍କା ଆତ୍ମସାତ ହୋଇଥିଲା । ଅନୁରୂପ ଭାବେ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ଓଡିଶା ଜୀବିକା ମିଶନର ଯଶୁଆପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୭ଲକ୍ଷ ୭୯ହଜାର ୫୩୪ ଟଙ୍କା ଗାଏବ ହୋଇଯାଇଥିଲା । ସେହି ବ୍ୟାଙ୍କରେ ଥିବା ଓଡିଶା ଜୀବିକା ମିଶନର ରଥପୁରୁଷୋତ୍ତମପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୧ ଲକ୍ଷ ୯୫ ହଜାର ଟଙ୍କା ଓ ସିଆଇଏଫ୍‍ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା । ଏ ସଂପର୍କରେ ପିପିଲି ବିଡିଓଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ପୁଲିସ ଏକ ମାମଲା ରୁଜୁ କରି ଉକ୍ତ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକଙ୍କ ସମେତ ଅନ୍ୟ ୫ଜଣ କର୍ମଚାରୀଙ୍କୁ ଗତ ନଭେମ୍ବର ୧୮ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ବ୍ୟାଙ୍କ ଠକେଇର ଶିକାର ହୋଇଥିବା ଉପରୋକ୍ତ ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟକୁ ଟଙ୍କା ଫେରସ୍ତ ଦାବିରେ ସଂଘର ଶତାଧିକ ମହିଳା ସଦସ୍ୟା ମଙ୍ଗଳବାର ସକାଳୁ ବ୍ୟାଙ୍କ ସମ୍ମୁଖରେ ଗଣଧାରଣା ଦେଇଥିଲେ ।

ବ୍ୟାଙ୍କ ଶାଖା ପରିଚାଳକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଗତକାଲି ବ୍ୟାଙ୍କ ମଧ୍ୟକୁ ଯାଇନପାରି ବାହାରେ ବସି ରହିଥିଲେ । ଅପରାହ୍ନରେ ବ୍ୟାଙ୍କର ଏଜିଏମ୍‍ ପବିତ୍ର କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ମହିଳାମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିଲା । ସଂଘର ଆକାଉଣ୍ଟକୁ ଟଙ୍କା ଫେରସ୍ତ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ମହିଳାମାନେ ଚେତାବନୀ ଦେଇଥିଲେ । ଆଜି ବ୍ୟାଙ୍କ ଖୋଲିବା ପୂର୍ବରୁ ଉକ୍ତ ୩ଟି ଯାକ ପଞ୍ଚାୟତସ୍ତରୀୟ ସଂଘର ଶତାଧିକ ମହିଳା ସଦସ୍ୟାମାନେ ବ୍ୟାଙ୍କ ସମ୍ମୁଖରେ ପୁନର୍ବାର ଧାରଣାରେ ବସିଥିଲେ । ଫଳରେ ଶାଖା ପରିଚାଳକଙ୍କ ସମେତ ବ୍ୟାଙ୍କର ଅନ୍ୟ କର୍ମଚାରୀମାନେ ବ୍ୟାଙ୍କ ମଧ୍ୟକୁ ନଯାଇପାରି ବାହାରେ ସଂନ୍ଧ୍ୟା ପର୍ଯ୍ୟନ୍ତ ଠିଆହୋଇ ରହିଥିଲେ । ଏହି ଧାରଣା ଯୋଗୁଁ ଦୁଇଦିନ କାଳ ବ୍ୟାଙ୍କ ସଂପୂର୍ଣ୍ଣ ଅଚଳ ହୋଇପଡିଥିବା ବେଳେ ବ୍ୟାଙ୍କ କାରବାର ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ବ୍ୟାଙ୍କକୁ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ଶାଖା ପରିଚାଳକ ଆଦିତ୍ୟ କୁମାର ଲିଖିତ ଭାବେ ସାତଶଙ୍ଖ ଫାଣ୍ଡି ପୁଲିସକୁ ଅନୁରୋଧ କରିଛନ୍ତି ।
ଫଟୋ ଆଟାଚ ଅଛି ।

 

 

Comments are closed.