୨ ଏଜେଣ୍ଟ ସମେତ ୪ ଗିରଫ

0

ବ୍ରହ୍ମପୁର: ମୃତ ବ୍ୟକ୍ତିଙ୍କ ନାମରେ ଜୀବନ ବୀମା କରି ଅର୍ଥ ହଡପ ଉଦ୍ୟମ ଫସର ଫାଟିଛି। ବୀମା କମ୍ପାନୀର ଏଜେଣ୍ଟଙ୍କୁ ହାତର କରି ନିଜ ସ୍ତ୍ରୀ ଓ ମା’ଙ୍କ ନାମରେ ଅର୍ଥ ହଡପ ଉଦ୍ୟମ ଅଭିଯୋଗରେ ୨ଟି ପୃଥକ ମାମଲାର ତଦନ୍ତ କରି ବ୍ରହ୍ମପୁର ପୁଲିସ ୪ ଜଣଙ୍କୁ ଗିରଫ କରିଛି।
ଟାଉନଥାନା ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ବ୍ରହ୍ମପୁର ଧର୍ମନଗରସ୍ଥିତ ଶ୍ରୀରାମ ଲାଇଫ ଇନସୁରାନ୍ସ କମ୍ପାନୀରୁ ମୃତ ବ୍ୟକ୍ତିଙ୍କ ନାମରେ ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରୁଥିବା ରମ୍ଭା ଓ ହୁମ୍ମା ଅଞ୍ଚଳର ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ମୃତ ବ୍ୟକ୍ତିଙ୍କ ନୋମିନି ଓ ବୀମା କମ୍ପାନୀର ଏଜେଣ୍ଟ ରହିଥିବା ପୁଲିସ କହିଛି। ଥାନାରେ ରୁଜୁ ହୋଇଥିବା କେସ ନମ୍ବର ୧୦୮/୧୮ ପ୍ରକାରେ ଶ୍ରୀରାମ ଲାଇଫ ଇନ୍ସୁରାନ୍ସ କମ୍ପାନୀରେ ରମ୍ଭା ପାନ୍ଥ ନିବାସ ରୋଡର ବାସିନ୍ଦା ଦୁହିତା ନାହାକଙ୍କ ନାମରେ ୫.୫୬ ଲକ୍ଷ ଟଙ୍କାର ଜୀବନବୀମା ପଲିସି କିଣା ଯାଇଥିଲା। ଦୁହିତା ୧୮.୪.୨୦୧୪ରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ନାମରେ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତ୍ୟୁ ପ୍ରମାଣ ପତ୍ର ବାହାର କରାଯାଇଥିଲା। ତେବେ ତାଙ୍କ ପୁଅ ସୁଦାମ କୌଶଳକ୍ରମେ ରମ୍ଭା ଏନଏସିରୁ ପୁଣି ଏକ ମୃତ୍ୟୁ ପ୍ରମାଣପତ୍ର
ବାହାର କରି ତାଙ୍କ ମା’ ଦୁହିତା ୨୪.୪.୨୦୧୬ରେ ମୃତ୍ୟୁବରଣ କରିଥିବା ଦର୍ଶାଇ କମ୍ପାନୀ ନିକଟରେ ବୀମା ଟଙ୍କା ପାଇଁ ଆବେଦନ କରିଥିଲେ। ସୁଦାମ ଓ ସେହି ଅଞ୍ଚଳର କମ୍ପାନୀ ଏଜେଣ୍ଟ ମୁନା ପାତ୍ର ମିଳିମିଶି ଏଭଳି ଠକେଇ ଉଦ୍ୟମ କରିଥିଲେ। ଏ ନେଇ ସଂପୃକ୍ତ ବୀମା କମ୍ପାନୀ ପକ୍ଷରୁ ଖୋଳତାଡ କରାଯିବା ପରେ ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା। କମ୍ପାନୀର ସହକାରୀ ମ୍ୟାନେଜର ସୁମନ ମୁଖାର୍ଜୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଆଜି ରମ୍ଭାରୁ ସୁଦାମ ଓ ମୁନା ପାତ୍ରଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଟାଉନଥାନାରେ ୧୦୮/୧୮ରେ ଏକ ମାମଲା ରୁଜୁ ହେବା ସହ ଆଇପିସି ଧାରା ୪୨୦, ୪୫୬,୪୬୭ ଓ ୩୪ ଅନୁସାରେ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି।
ଅନ୍ୟପକ୍ଷରେ ସମାନ ଧରଣର ଠକେଇ ଉଦ୍ୟମ କରିଥିବା ଅଭିଯୋଗରେ ଏହି ଥାନା ପୁଲିସ ହୁମ୍ମା ଅଞ୍ଚଳର ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି। ଗଜପତି ଜିଲା ମୋହନା ନିକଟସ୍ଥ ମାଳିପଦରରେ ରହୁଥିବା ହୁମ୍ମା ଅଞ୍ଚଳର ପ୍ରଫୁଲ ମାଝି ନିଜ ମୃତ ସ୍ତ୍ରୀ ଭାଗ୍ୟନ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କାର ବୀମା କରାଇ ପରବର୍ତ୍ତୀ ମୁହୂର୍ତ୍ତରେ ଅର୍ଥ ହଡପ ଉଦ୍ୟମ କରିଥିଲେ। ଏହି ଠକେଇରେ ପ୍ରଫୁଲଙ୍କୁ ଏଜେଣ୍ଟ ପ୍ରଭାତ କୁମାର ପୃଷ୍ଟି ସମସ୍ତ ପ୍ରକାରେ ସହଯୋଗ କରିଥିଲେ। ପ୍ରଫୁଲଙ୍କ ସ୍ତ୍ରୀ ଭାଗ୍ୟନ୍ତି ୩୧.୧୧.୨୦୧୫ରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ମୃତ୍ୟୁ ତାରିଖକୁ ୨୩.୧.୨୦୧୫ ଦର୍ଶାଇ ବୀମା ଟଙ୍କା ପାଇଁ ଆବେଦନ କରାଯାଇଥିଲା। କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ପରେ ୧୦୯/୧୮ରେ ମାମଲା ରୁଜୁ କରାଯାଇ ଆଜି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Leave A Reply