ସରକାରୀ ଚାକିରୀ ପାଇଁ ସର୍ବୋଚ୍ଚ ବୟସସୀମା ୩୨ବର୍ଷ ରୁ ୪୨ବର୍ଷକୁ ବୃଦ୍ଧି କରାଯାଉ

ଭୁବନେଶ୍ବର: ଆମ ଓଡ଼ିଶାରେ ସରକାରୀ ଚାକିରୀ ପାଇଁ ସର୍ବୋଚ୍ଚ ବୟସସୀମା ୩୨ବର୍ଷ ରୁ ୪୨ ବର୍ଷକୁ ବୃଦ୍ଧି କରିବା ପାଇଁ ବହୁତ ଦିନରୁ ଦାବି କରାଯାଉଛି। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଫୋରମ ଓ ଗଣମାଧ୍ୟମର ସହଯୋଗରେ ତାଙ୍କର ଦାବିକୁ ସରକାରଙ୍କ ଆଗରେ ଉପସ୍ଥାପନ କରି ଆସୁଛନ୍ତି ଦୀର୍ଘ ବର୍ଷ ହେବ। ଦେଶର ଅଧିକାଂଶ ରାଜ୍ୟରେ ସରକାରୀ ଚାକିରୀ ପାଇଁ ସର୍ବୋଚ୍ଚ ବୟସସୀମା ୪୨ବର୍ଷକୁ ଏପରିକି ତାହାଠାରୁ ମଧ୍ୟ ଅଧିକ ରହିଛି ଯଥା – ଆନ୍ଧ୍ରପ୍ରଦେଶ ୪୨ବର୍ଷ, ହରିୟାଣା ୪୨ବର୍ଷ, ଉତ୍ତରାଖଣ୍ଡ ୪୨ବର୍ଷ, ତେଲେଙ୍ଗାନା ୪୪ବର୍ଷ ଓ ଗୋଆ ୪୫ବର୍ଷ ଇତ୍ୟାଦି। ଯେଉଁଥିପାଇଁ ଆମ ରାଜ୍ୟର ମେଧାବୀମାନେ ଅନ୍ୟ ରାଜ୍ୟର Public Service Commission, Staff Selection Commission ଦ୍ୱାରା ପରିଚାଳିତ ବିିଭିନ୍ନ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି। ହେଲେ ଆମ ରାଜ୍ୟରେ ସରକାରୀ ଚାକିରୀ ପାଇଁ ସର୍ବୋଚ୍ଚ ବୟସସୀମା ମାତ୍ର ୩୨ବର୍ଷ ଥିବାରୁ ଏଇଭଳି ଅନେକ ମେଧାବୀ ଉପଯୁକ୍ତ ସୁଯୋଗରୁ ବଂଚିତ ହେଇଛନ୍ତି। ଉଚ୍ଚଶିକ୍ଷା ପରେ ସେମାନଙ୍କୁ ମାତ୍ର ଥରେ ବା ଦୁଇଥର ସୁଯୋଗ ମିଳୁଛି ପରୀକ୍ଷା ଦେବା ପାଇଁ। ନିକଟରେ ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ମାନଙ୍କର ନିଯୁକ୍ତିରେ ସରକାର ସର୍ବୋଚ୍ଚ ବୟସସୀମା ୩୩ବର୍ଷ ରୁ ୪୮ବର୍ଷକୁ ବୃଦ୍ଧି କରିଛନ୍ତି। ଏପରିକି ଅବସର କାଳୀନ ବୟସସୀମା ମଧ୍ୟ ବୃଦ୍ଧି ହେଇଛି। ଏହି ଦାବୀ ଆଜିକାର ନୁହେଁ ବା ପ୍ରଥମ ନୁହେଁ। ଏହା ପୂର୍ବରୁ ଅନେକଥର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଭିନ୍ନ ଆଶାୟୀ ପ୍ରାର୍ଥୀଙ୍କ ତରଫରୁ ଏହି ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଇଛି। ଏପରିକି ବିଧାନସଭାରେ ମଧ୍ୟ ମାନ୍ୟବର ବିଧାୟକମାନେ ସରକାରୀ ଚାକିରୀ ନିମନ୍ତେ ସର୍ବୋଚ୍ଚ ବୟସସୀମାକୁ ୩୨ବର୍ଷ ରୁ ୪୨ ବର୍ଷକୁ ବୃଦ୍ଧି କରିବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ସମସ୍ୟା କେତେ ଉତ୍କଟ ରୂପ ଧାରଣ କଲାଣି ଏଥିରୁ ସହଜରେ ଅନୁମେୟ। ଏଭଳି କ୍ଷେତ୍ରରେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରିସାରିଲା ପରେ ଉପଯୁକ୍ତ କର୍ମସଂସ୍ଥାନ ନପାଇ ହତାଶ ହୋଇ ଏହି ଜନମଙ୍ଗଳ କାରୀ। ସରକାରଙ୍କର ସୁବିଚାରକୁ ଅପେକ୍ଷା କରିଛନ୍ତି। ତେଣୁ ମହାମାରୀ କରୋନା ସମୟରେ ମେଧାବୀ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ସରକାରୀ ଚାକିରୀର ବୟସସୀମା ୩୨ ବର୍ଷରୁ ୪୨ବର୍ଷକୁ ବୃଦ୍ଧି କରି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ ପୂର୍ବକ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପାରନ୍ତା ବୋଲି ସରକାରୀ ଚାକିରି ଆଶାରେ ବୟସ ଗଡ଼ି ଯାଇଥିବା ଯୁବକ-ଯୁବତୀ ପ୍ରକାଶ କରିଛନ୍ତି।

Comments are closed.