ଅଗୁସ୍ତା ୱେଷ୍ଟଲାଣ୍ଡ ମାମଲା: ଖ୍ରୀଷ୍ଟିଆନ ମିସେଲଙ୍କ ହାଜତ ମିଆଦ ବଢ଼ିଲା

0

ନୂଆଦିଲ୍ଲୀ : ସିବିଆଇ ସ୍ୱତନ୍ତ୍ର କୋର୍ଟ ସୋମବାର ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କ୍ରୟ ସମ୍ବନ୍ଧୀୟ ଦୁର୍ନୀତି ମାମଲାରେ ଗିରଫ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିସେଲଙ୍କ ହାଜତ ମିଆଦ ୫ ଦିନ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାରଙ୍କ ଅଦାଲତରେ ତାଙ୍କୁ ହାଜର କରାଯାଇଥିଲା। ତଦନ୍ତରେ ସେ ସହଯୋଗ କରୁ ନ ଥିବା ସିବିଆଇ ଓକିଲଙ୍କ ଯୁକ୍ତି ଆଧାରରେ ହାଜତ ମିଆଦ ବୃଦ୍ଧି କରାଯାଇଥବା ପ୍ରକାଶ। ଗତ ସପ୍ତାହରେ ୟୁଏଇରୁ ପ୍ରତ୍ୟର୍ପିତ ମିସେଲଙ୍କୁ ସିବିଆଇ ୯ ଦିନ ପର୍ଯ୍ୟନ୍ତ ହାଜତକୁ ନେବାକୁ ନିବେଦନ କରିଥିଲା। ଜେରାବେଳେ ୫ଟି ରାଷ୍ଟ୍ରରୁ ଉପଲବ୍ଧ ଏଲ୍‍ଆର୍‍ (ଲେଟର୍ସ ରୋଗାଟୋରୀ) ସମ୍ବନ୍ଧରେ ମିସେଲଙ୍କୁ ଜେରା କରାଯିବ। ଏସମ୍ବନ୍ଧରେ ସେ ଇଟାଲୀୟ ତଦନ୍ତକାରୀଙ୍କୁ ସହଯୋଗ କରି ନ ଥିବା ସିବିଆଇ ପ୍ରକାଶ କରିଛି। ତାଙ୍କୁ ବାଣିଜ୍ୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁମତି ପ୍ରଦାନ କରିବା ନେଇ ସିବିଆଇ ସହମତି ପ୍ରକାଶ କରିଛି। ଏ ସମ୍ବନ୍ଧରେ ବ୍ରିଟିଶ କାଉନସେଲରଙ୍କ ସହିତ ଆଲୋଚନା ପରେ ନିଜ ଓକିଲ ନିଯୁକ୍ତ କରିବା ନେଇ ସିବିଆଇ ସେମାନଙ୍କୁ ଅନୁମତି ପ୍ରଦାନ କରିଛି। ଅନ୍ୟପଟେ ସିବିଆଇ ଆବେଦନ ଉପରେ ନିଜର ପ୍ରତିକ୍ରିୟା ସମେତ ମିସେଲଙ୍କ ହସ୍ତଲିଖନ ଓ ଦସ୍ତଖତର ନମୁନା ମଙ୍ଗଳବାର ସୁଦ୍ଧା ଦାଖଲ କରିବାକୁ ତାଙ୍କ ଓକିଲଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ମିସେଲ ସୋମବାର ସାନି ଜାମିନ ଆବେଦନ ଦାଖଲ କରିଛନ୍ତି। ୫୪ ବର୍ଷୀୟ ମିସେଲ ଅଗୁସ୍ତା ୱେଷ୍ଟଲାଣ୍ଡ ନାମରେ ୩,୬୦୦ କୋଟି ଟଙ୍କାର ହେଲିକପ୍ଟର କାରବାର କରାଇଦେବା ଲାଗି ମଧ୍ୟସ୍ଥତା ପୂର୍ବକ ବହୁ ଅଧିକାରୀ ଏବଂ ରାଜନେତାଙ୍କୁ ଲାଞ୍ଚ ପ୍ରଦାନ କରିଥିବା ଅଭିଯୋଗ ରହିଛି।

Leave A Reply