ନବଜାତ ଶିଶୁ ସହ ରାଜ୍ୟ ବାହାରେ ବିକ୍ରି ହୋଇଥିବା ବିବାହିତା ମହିଳା ଉଦ୍ଧାର

ଆଗଲପୁର: ଆଗଲପୁର ବ୍ଲକ ରିନବଚନ ଗାଁର ଜଣେ ମହିଳାଙ୍କୁ ଉତ୍ତରପ୍ରଦେଶ ରାଜ୍ୟର ଲଳିତପୁର ଜିଲା ସୁଜାନ ଥାନା ନିକୁରା ଗାଁରୁ ଆଗଲପୁର ପୁଲିସ ଉଦ୍ଧାର କରିଛି। ରିନବଚନ ଗାଁର ସତ୍ୟାନନ୍ଦ ଦୀପଙ୍କ ଝିଅ ଗୀତାଞ୍ଜଳି ଦୀପ ୫ ବର୍ଷ ତଳେ ସେହି ଗାଁର ସାର୍ତ୍ତିକ ମୁଗ୍ରୀଙ୍କ ପୁଅ ଯୌତୁକ ମୁଗ୍ରୀକୁ ବିବାହ କରିଥିଲେ। ତାଙ୍କର ୪ ବର୍ଷର ଏକ କନ୍ୟା ସନ୍ତାନ ରହିଛି। ହେଲେ ବିବାହିତା ମହିଳା ଜଣଙ୍କ ସେହି ଗାଁର ଗର୍ଜନ ବାଗଙ୍କ ପୁଅ ରାଧାକାନ୍ତ ବାଗଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା। ଉଭୟେ ୧୦ ମାସ ପୂର୍ବେ ରାତିରେ ଫେରାର ହୋଇଯିବା ସହ ତାଙ୍କ ଭିଣୋଇ ଗାଁ ପଣ୍ଡରାଣି ଗାଁରେ ରହିବା ପରେ ବରଗଡ ଜିଲା ମେଲଛାମୁଣ୍ଡାରେ ଘର ଭଡ଼ା ନେଇ ରହୁଥିଲେ।

ସେଠାରେ ମହିଳା ଜଣଙ୍କ ଗର୍ଭବତୀ ହେବା ପରେ ରାଧାକାନ୍ତ ଗର୍ଭପାତ କରିବା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ। ମହିଳା ଜଣଙ୍କ ରାଜି ନହେବାରୁ ରାଧାକାନ୍ତ, ତାଙ୍କ ଭିଣୋଇ ଓ ଭଉଣୀ ମିଶି ଷଡଯନ୍ତ୍ର ରଚିଥିଲେ। ବାହାର ରାଜ୍ୟରେ ଚାକିରି ଲୋଭ ଦେଖାଇ ସମ୍ବଲପୁର ନେଇ ଉତ୍ତରପ୍ରଦେଶ ଲଳିତପୁର ନିକୁରା ଗାଁର ମହିତ କୁମାରଙ୍କୁ ଡାକି ପୀଡ଼ିତାଙ୍କୁ ଭଉଣୀର ପରିଚୟ ଦେଇଥିଲେ। ମହିତ କୁମାର ଏକ କମ୍ପାନୀର ମାଲିକ। ତାଙ୍କ କମ୍ପାନୀରେ ଚାକିରି କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଉତ୍ତରପ୍ରଦେଶ ନେଇ ଯାଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ରାଧାକାନ୍ତ ତାଙ୍କୁ ସେଠାରେ କିଛି ଟଙ୍କାରେ ବିକ୍ରି କରି କୌଶଳକ୍ରମେ ସେଠାରୁ ଫେରାର ମାରିଥିଲେ। ସମସ୍ତ ଘଟଣାର ଦଲାଲ ସାଜିଥିଲେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା କନ୍ଦୁମୁଣ୍ଡା ଗାଁର ଅନନ୍ତ ଦୀପ ବୋଲି ଚର୍ଚ୍ଚା ହେଉଛି। ଯେତେବେଳେ ମହିତ କୁମାର ଜାଣିଲେ ଯେ ମହିଳା ଜଣଙ୍କ ଗର୍ଭବତୀ ଅଛନ୍ତି ସେତେବେଳେ ତାଙ୍କୁ ଆଶ୍ରୟ ଦେଇଥିଲେ। କିଛି ଦିନ ପରେ ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ମହିଳା।

ମହିଳାଙ୍କ ବାପା ଏହା ଜାଣିବା ପରେ ଲୋଇସିଂହା ଓ ଆଗୁଲପୁର ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଆଗଲପୁର ଫାଣ୍ଡି ଅଧିକାରୀ ଦେବାର୍ଚ୍ଚନ ମିର୍ଦ୍ଧା ଓ କନେଷ୍ଟବଳ ରବିନ୍ଦ୍ର ଧରୁଆ ଗତ ୮ ତାରିଖ ଦିନ ଉତ୍ତରପ୍ରଦେଶର ଲଲିତପୁର ଯାଇ ସୁଜାନ ପୁଲିସ ସହାୟତାରେ ନିକୁରା ଗାଁର ଉଭୟ ନବଜାତ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରି ଆଗଲପୁର ଆଣିଥିଲେ। ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବାରୁ ଗିରଫ କରାଯାଇ ନାହିଁ। ତଦନ୍ତ ଜାରି ରହିଥିବା ଆଗଲପୁର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.