ଆଗଲପୁର ଛେଲିଆପାଟ ଜଙ୍ଗଲରେ ହାତୀ ଆତଙ୍କ

ଆଗଲପୁର: ଆଗଲପୁର ବ୍ଲକ ଅନ୍ତର୍ଗତ ଛେଲିଆପଟ ଜଙ୍ଗଲ ନିକଟରେ ଥିବା ବିଭିନ୍ନ ଗ୍ରାମରେ ହାତୀ ଆତଙ୍କ କରୁଥିବାର ଦେଖିବାକୁ ମିଳୁଛି। ଛେଳିଆପାଟ ଜଙ୍ଗଲରେ ଦୀର୍ଘଦିନରୁ ହାତୀ ପଲ ରହିଆସୁଥିବାରୁ ଏବେ ହାତୀ ସଂଖ୍ୟା ବୃଦ୍ଧି ପାଇ ୪୦ ରୁ ୪୫ ପଟ ହାତୀ ରହିଥିବାର ଦେଖିବାକୁ ମିଲୁଛି। ଚାଷୀମାନଙ୍କ ସୂଚନା ଅନୁସାରେ, ସୋମବାର ନୁନିଆପାଲି, ପାଣ୍ଡେସରା, ଛେଲଖାଇ, ଝାଙ୍କରପାଲି, ଆମଝରନ, ମହାକୁରପାଲି, ରୋତ ଗ୍ରାମରେ ହାତୀ ଉପଦ୍ରବ କରିଥିବା ବଳେ ମହାକୁରପାଲିର ସୁନ୍ଦର ନାଏକ ଅଧା ଏକର ଫୁଳ କୋବି, ହେମନ୍ତ ନାଏକର ୧ଏକର ବନ୍ଧା କୋବି, ଝାଙ୍କରପାଲି ପ୍ରେମାନନ୍ଦ ବେହେରା ୧ ଏକର ଧାନ, ନୂନିଆଁପାଲି ବିନୋଦ ବେହେରାଙ୍କ ୧ ଏକର ଧାନ, ସତ୍ୟ ପଧାନର ୧ ଏକର ଟମାଟୋ, ଭିକ ପାତ୍ର ୧ ଏକର ଧାନ ଖାଇବା ସହ ଦଳିଚକଟି ଦେଇଛନ୍ତି। ନିକଟରେ ନର୍ସରୀମାନଙ୍କ ଗଛଗୁଡିକ ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଛି। ଏ ବିଷୟରେ ଚାଷୀମାନେ ଲୋଇସିଂହା ବନବିଭାଗକୁ ଖବର ଦେବା ପରେ ବନବିଭାଗ ପକ୍ଷରୁ ହାତୀପଲର ଗତିବିଧିକୁ ଅନୁଧ୍ୟାନ କରି ଲୋକଙ୍କୁ ସକାଳ ୮ଟା ପର୍ଯ୍ୟନ୍ତ ପଦାକୁ ନବାହାରିବା ଓ ସନ୍ଧ୍ୟା ୫ଟା ସମୟରୁ ବାହାରକୁ ନଯିବା ପାଇଁ ଲୋକଙ୍କୁ ଅବଗତ କରିଛନ୍ତି।

 

ଅଞ୍ଚଳବାସୀ ହାତୀ ଭୟରେ ସକାଳ ୯ଟା ପର୍ଯ୍ୟନ୍ତ ପଦାକୁ ବାହାରୁ ନଥିବା ବେଳେ ଅପରାହ୍ନ ୪ଟା ସମୟରୁ ଗ୍ରାମ ଭିତରେ ରହୁଛନ୍ତି। ପ୍ରତି ବର୍ଷ ଧାନ ଅମଳ ସମୟରେ ଉକ୍ତ ହାତୀପଲ ଛେଲିଆପଟ ଜଙ୍ଗଳକୁ ଆସି ଦୀର୍ଘ ୨ରୁ ୩ ମାସ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ରହି ଚାଷୀମାନଙ୍କର ଅନେକ କ୍ଷୟକ୍ଷତି କରିଥାନ୍ତି। ଏହାର ସ୍ଥାୟୀ ପ୍ରତିକାର କରିବା ପଇଁ ଅଞ୍ଚଳବାସୀ ବ୍ଲକ ପ୍ରଶାସନ, ଜିଲା ପ୍ରଶାସନ ଓ ରାଜ୍ୟସରକାରଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଅଞ୍ଚଳର ଚାଷୀମାନେ ସ୍ୱର୍ବସାନ୍ତ ହୋଇ ଅନେକ ଚାଷୀ ଚାଷ କାର୍ଯ୍ୟ ଛାଡି ଶ୍ରମିକ କାର୍ଯ୍ୟ କରୁଥିବାର ସୂଚନା ଦେଉଛନ୍ତି। ଏଣୁ କ୍ଷୟକ୍ଷତି ହୋଇଥିବା ଚାଷୀମାନଙ୍କ ଚାଷ ଆକଳନ କରି ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.