ଚୀନ୍ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍ ଜାରି: ଚାଇନା ଆପ୍ ବାଇଡୁ, ୱେବୁ ଉପରେ ଲାଗିଲା କଟକଣା

ଆପ ଷ୍ଟୋରରୁ ହଟାଇବାକୁ ଇଣ୍ଟରନେଟ ସେବା ପ୍ରଦାନକାରୀଙ୍କୁ ନିର୍ଦେଶ

ନୂଆଦିଲ୍ଲୀ : ଚୀନ୍ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍ ଜାରି ରହିଛି । ପ୍ରଥମେ ଚାଇନାର ୫୯ ଆପ ଏବଂ ପରେ ୪୭ କ୍ଲୋନ ଆପ ଉପରେ କଟକଣା ପରେ ଏବେ ଚାଇନିଜ୍ ଆପ୍ ବାଇଡୁ ଓ ୱେବୁକୁ ନିଷିଦ୍ଧ କରିଛି ଭାରତ । ଚାଇନାର ଏହି ଦୁଇ ପ୍ରଭାବଶାଳୀ ଆପକୁ ନିଷିଦ୍ଧ କରି ଭାରତ ଚୀନକୁ ଆଉ ଏକ ବଡ ଝଟକା ପହଞ୍ଚାଇଛି । ପୂର୍ବରୁ ସରକାର ଟିକଟକ ଓ ୟୁସି ବ୍ରାଉଜର ଭଳି ଲୋକପ୍ରିୟ ଆପ ଉପରେ କଟକଣା ଲଗାଇଥିଲେ । ଉପରୋକ୍ତ ଦୁଇ ଆପକୁ ପ୍ଲେ ଷ୍ଟୋରରୁ ହଟାଇବାକୁ ସରକାର ଇଣ୍ଟରନେଟ ସେବା ପ୍ରଦାନକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଗୁଗୁଲ ଏବଂ ଆପଲ ଷ୍ଟୋରରୁ ବାଇଡୁ ଓ ୱେବୁକୁ ହଟାଇବାକୁ କୁହାଯାଇଛି ।

ୱେବୋ କମ୍ପାନୀ ୨୦୧୯ରେ ଆରମ୍ଭ ହେବା ପରେ ଏହାର ୫ଶହ ନିୟୁତ ୟୁଜର ଅଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ପୂର୍ବରୁ ଭାରତ ସରକାର ଚାଇନର ଶତାଧିକ ଆପକୁ ନିଷିଦ୍ଧ କରିଛନ୍ତି । ଗତ ଜୁଲାଇ ୨୭ ତାରିଖରେ ସରକାର ଯେଉଁ ୪୭ଟି ଆପ୍‌କୁ ଭାରତରୁ ନିଷିଦ୍ଧ କରିବାକୁ ଘୋଷଣା କରିଥିଲେ ଏହି ଦୁଇ ଆପ୍‌ ସେହି ତାଲିକାରେ ରହିଛି । ଏହି ୪୭ ଆପ ମଧ୍ୟରୁ ଅଧିକାଂଶ ହେଉଛି ପୂର୍ବରୁ ସରକାରଙ୍କ ଦ୍ୱାରା ନିଷିଦ୍ଧ କରାଯାଇଥିବା ଆପଗୁଡିକର କ୍ଲୋନ ଆପ । ଚଳିତବର୍ଷ ଜୁନରେ ଭାରତ ଚୀନ ଉପରେ କରିଥିଲା ପ୍ରଥମ ଡିଜିଟାଲ୍‌ ଷ୍ଟ୍ରାଇକ୍ ‌। ସେ ସମୟରେ କେନ୍ଦ୍ର ସରକାର ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ଆପକୁ ଦେଶରେ ନିଷିଦ୍ଧ କରିବାକୁ ଘୋଷଣା କରିଥିଲେ । ଦ୍ବିତୀୟ ଥର କଟକଣା ନିଷ୍ପତ୍ତି ସମୟରେ ସରକାର କ୍ଲୋନ୍‌ ଏବଂ କିଛି ଅରିଜିନାଲ୍‌ ଆପ୍‌ର ବିଭିନ୍ନ ଭର୍ସନକୁ ନିଷିଦ୍ଧ କରିବାକୁ ଘୋଷଣା କରିଥିଲେ । ଦେଶର ସୁରକ୍ଷା ଓ ଗୋପନୀୟତାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ଆଣି ସରକାର ଏହି ସବୁ ଆପ୍‌କୁ ଭାରତରୁ ହଟାଇବା ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ଏଭଳି ୨୭୫ ଆପ ସରକାରଙ୍କ ଟାର୍ଗେଟରେ ରହିଛି ଯାହା ଜାତୀୟ ସୁରକ୍ଷା ଓ ନିରାପତ୍ତାକୁ ଉଲ୍ଲଂଘନ କରୁଛି ।

Comments are closed.