ବିଶାଖାପାଟଣା ଗ୍ୟାସ ଦୁର୍ଘଟଣା – ପୁଣି ସେହି ସ୍ଥାନରୁ ନିର୍ଗତ ହେଉଛି ବିଷାକ୍ତ ଗ୍ୟାସ

ସମାଜ ପୋର୍ଟାଲ ଡେସ୍କ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଗତକାଲି ବିଷାକ୍ତ ଗ୍ୟାସ ଲିକ ହେବା ଓ ତାହା ସଂସ୍ପର୍ଶରେ ଆସି ୧୧ ଜଣଙ୍କ ମୃତ୍ୟୁ ଓ ଶତାଧିକ ଗୁରୁତର ହୋଇଥିବା ବେଳେ ପୁଣି ସେହି ସ୍ଥାନରୁ ଗ୍ୟାସ ଲିକ ହେଉଥିବା ସୂଚନା ମିଳିଛି। ଯେଉଁ ଟାଙ୍କିରୁ ଷ୍ଟେରିନ ଗ୍ୟାସ ଗୁରୁବାର ସକାଳେ ଲିକ ହୋଇଥିଲା, ସେହି ଟାଙ୍କିରୁ ପୁଣି ଗ୍ୟାସ ନିର୍ଗତ ହେଉଥିବାରୁ ତାହାକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଏନଡିଆରଏଫ ସମେତ ୫୦ ଜଣ ଅଗ୍ନିଶମ କର୍ମଚାରୀ ପହଂଚିଛନ୍ତି। ତେବେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳର ଲୋକମାନେ ଚାଲି ଚାଲି ଓ ବାଇକରେ ଦୁରକୁ ପଳାଇଯାଉଥିବା ଖବର ମିଳିଛି।

ବିଶାଖାପାଟଣା ଜିଲ୍ଲା ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ସେହି ଅଂଚଳଠାରୁ ୨ରୁ୩ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳରୁ ଲୋକମାନଙ୍କୁ ଅନ୍ୟତ୍ର ଯିବାକୁ କୁହାଯାଇଛି। ୧୦ଟି ଅଗ୍ନିଶମ ଗାଡି ଓ ୨ଟି ଫେଣ ସ୍ପ୍ରେ କରୁଥିବା ଗାଡି ସାହାଯ୍ୟରେ ଗ୍ୟାସ ଲିକ ବନ୍ଦ କରିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି। ଇତି ମଧ୍ୟରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ସେହି ଗ୍ୟାସକୁ ନିଷ୍କ୍ରିୟ କରିବା ପାଇଁ ବିଶେଷଜ୍ଞ ଦଳ ଆସି ପହଂଚିଛନ୍ତି।

ଅନ୍ୟପକ୍ଷରେ ଦ୍ଵିତୀୟ ଥର ଗ୍ୟାସ ଲିକ ହେବା ଘଟଣା ମିଛ ବୋଲି ସେଠାକାର ଜଣେ ବିଧାୟକ ଗଣବନ୍ଧୁ କହିଥିବା ଟାଇମ୍ସ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Comments are closed.