ପୁଣି ବିମାନ ବାତିଲ, ଝାରସୁଗୁଡ଼ା ବିମାନବନ୍ଦରରେ ହଟ୍ଟଗୋଳ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନ ବନ୍ଦରରୁ ବୁଧବାର ପୁଣି କୋଲକୋତାରୁ ଝାରସୁଗୁଡ଼ା ଓ ଝାରସୁଗୁଡ଼ାରୁ ହାଇଦ୍ରାବାଦ ଯାଉଥିବା ବିମାନ ବାତିଲ ହେବାରୁ ଝାରସୁଗୁଡ଼ା ବିମାନବନ୍ଦରରେ ଯାତ୍ରୀମାନେ ହଟ୍ଟଗୋଳ କରିଛନ୍ତି। ସ୍ପାଇସଜେଟର ଏସ୍‍ଜି-୩୨୮୧ ବିମାନଟି ଅପରାହ୍ନ ୩ଟା ୫୦ରେ ଝାରସୁଗୁଡ଼ାରେ ଅବତରଣ କରିବା କଥା। କିନ୍ତୁ ସ୍ପାଇସଜେଟର ବିମାନଟି କୋଲକାତା ବିମାନବନ୍ଦରରୁ ଉଡ଼ାଣ ଭରିବା ଅଧାଗଣ୍ଟାପରେ ସିଗନାଲ ନ ମିଳିବା ଦର୍ଶାଇ ପୁଣି କୋଲକାତାକୁ ଫେରିଯାଇଥିଲା। ଫଳରେ କୋଲକାତାରୁ ଝାରସୁଗୁଡ଼ା ଆସୁଥିବା ସମସ୍ତ ଯାତ୍ରୀ ପୁଣି କୋଲକାତାକୁ ଫେରିଯାଇଥିଲେ। ଝାରସୁଗୁଡ଼ାରୁ ହାଇଦ୍ରାବାଦ ଯିବାପାଇଁ ୫୦ ରୁ ଅଧିକ ଯାତ୍ରୀ ବୋଡ଼ିଂପାସ ନେଇଥିବାବେଳେ ସଂନ୍ଧ୍ୟା ୭ ଟା ପର୍ଯ୍ୟନ୍ତ କୋଲକାତାରୁ ଫ୍ଲାଇଟ ନ ଆସିବାରୁ ବିମାନଟି ବାତିଲ ହୋଇଯାଇଥିବା ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଥିଲା।

ଚକ୍ରଧରପୁରରୁ ଝାରସୁଗୁଡ଼ା ଆସି ହାଇଦ୍ରାବାଦ ଚିକିତ୍ସା ପାଇଁ ଯାଉଥିବା ସୀମା ଅଗ୍ରୱାଲଙ୍କ ଆସନ୍ତାକାଲି ହାଇଦ୍ରାବାଦର ଆପୋଲୋ ହସପିଟାଲ ଯିବାର ଥିଲା। ସେହିପରି ଇଟାଲିର ମରିସିମୋ ନାମକ ଜଣେ ଯାତ୍ରୀ ହାଇଦ୍ରାବାଦରୁ ଦୁବାଇ ଓ ସେଠାରୁ ଇଟାଲି କନେକ୍ଟିଙ୍ଗ ଫ୍ଲାଇଟ ଥିଲା। କିନ୍ତୁ ସ୍ପାଇସଜେଟର ବିମାନ ବାତିଲ ହେବାରୁ ଏହି ବିଦେଶୀ ଯାତ୍ରୀଙ୍କ ଲକ୍ଷାଧିକ ଟଙ୍କାର ଟିକଟ ବେକାର ହୋଇଯାଇଥିବା ଅଭିଯୋଗ କରିଛନ୍ତି। ସେହିପରି ଆଉଜଣେ ହାର୍ଟ ପେସେଣ୍ଟର ଆସନ୍ତା କାଲି ହାଇଦ୍ରାବାଦରେ ଚିକିତ୍ସା ହେବାର ଥିଲା କିନ୍ତୁ ବିମାନ ବାତିଲ ଯୋଗୁଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ହାଇଦ୍ରାବାଦରେ ବାପାଙ୍କ ଅସ୍ତ୍ରୋପଚାର ହେଉଛି ସେଠି ତାଙ୍କ ପାଖରେ କେହି ନାହାନ୍ତି, ସେଠାକୁ ଯିବାକୁ ଝାରୁସୁଗୁଡ଼ାରୁ ହାଇଦ୍ରାବାଦ ପାଇଁ ସ୍ପାଇସଜେଟ ବିମାନରେ ଯିବା ପାଇଁ ଟିକଟ କରିଥିଲି ଏବେ କଣ କରିବି କିଛି ବୁଝିପାରୁନି ବୋଲି ବରଗଡ଼ର ଆଶିଷ ପଟ୍ଟନାୟକ କହିଛନ୍ତି।

ଆସନ୍ତା କାଲି ଜଣେ ଛାତ୍ରର ପରୀକ୍ଷା ହାଇଦ୍ରାବାଦରେ ଥିଲା କିନ୍ତୁ ଫ୍ଲାଇଟ ବାତିଲ ଯୋଗୁଁ ତାହା ସେ ଦେଇପାରିବେନି ବୋଲି କହିଛନ୍ତି। ଜଣେ ମହିଳା ରାଉରକେଲାରୁ ହାଇଦ୍ରାବାଦ ଛୋଟ ଛୋଟ ଦୁଇ ଝିଅଙ୍କୁ ନେଇ ଯିବାର ଥିଲା କିନ୍ତୁ ବିମାନ ବାତିଲ ଯୋଗୁଁ ମହିଳା ଜଣକ ବିମାନ ବନ୍ଦର ବାହାରେ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି। କେବଳ ଏତିକି ନୁହଁ ବରଗଡ଼, ସମ୍ବଲପୁର, ଚାଇବାସ ଓ ଛତିଶଗଡ଼ର ଅନେକ ଯାତ୍ରୀ ହାଇଦ୍ରାବାଦ ଯିବାର ଥିଲା। କିନ୍ତୁ ବିମାନଟି ସ୍ପାଇସଜେଟ ବାତିଲ କରିଦେବାରୁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସ୍ପାଇସଜେଟ ଅଧିକାରୀଙ୍କୁ ପଚାରିବାରୁ ସେମାନେ କୌଣସି ସଠିକ ଉତ୍ତର ଦେଉନଥିବା ଅଭିଯୋଗ ହୋଇଛି। ସ୍ପାଇସଜେଟ ଝାରସୁଗୁଡ଼ା ବିମାନ ବନ୍ଦରକୁ ବଦାନାମ କରିବାକୁ ଲାଗିଛି। ଗତ ୬ ତାରିଖରେ ମଧ୍ୟ ହାଇଦ୍ରାବାଦରୁ ଝାରସୁଗୁଡ଼ା ଓ ଝାରସୁଗୁଡ଼ାରୁ କୋଲକୋତା ସ୍ପାଇସଜେଟର ବିମାନ ବାତିଲ ହେବାରୁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ।

ଏନେଇ ସମ୍ବଲପୁର ଓଡ଼ିଶା ସଂସ୍କୃତି ସମାଜର ସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କ ଜ୍ୱାଇଁ ଏହି ବିମାନରେ ଥିବାବେଳେ ୨୦ ଘଣ୍ଟାପରେ ଝାରସୁଗୁଡ଼ା ଆସିଥିଲା। ଏନେଇ ପ୍ରଫେସର ପତି ସ୍ପାଇସଜେଟର ସିଏମ୍‍ଡ଼ି ଅଜୟ ସିଂହଙ୍କୁ ପତ୍ର ଲେଖିଥିବା ଜଣାପଡ଼ିଛି। ଏହି ଘଟଣାକୁ ଏକ ସପ୍ତାହ ନପୁରୁଣୁ ପୁଣି ବିମାନ ବାତିଲ ହେବାରୁ ଯାତ୍ରୀମାନେ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିଭିନ୍ନ ସ୍ଥାନକୁ ଯିବାପାଇଁ ନିଶ୍ଚିତ ଭାବରେ ଚିନ୍ତାକରିବେ ବୋଲି ଯାତ୍ରୀମାନେ କହିଛନ୍ତି। ଏନେଇ ବିମାନବନ୍ଦର କର୍ତ୍ତୁପକ୍ଷ ଓ ଲୋକପ୍ରତିନିଧିମାନେ ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବାକୁ ସାଧାରଣରେ ଦାବି ହୋଇଛି।

Comments are closed.