କେନ୍ଦ୍ରଶାସିତ ଅଂଚଳ ମାନ୍ୟତା ପରେ ୮ଟି ପର୍ଯ୍ୟାୟରେ ହେବ ଜାମ୍ମୁ କାଶ୍ମୀରରେ ପ୍ରଥମ ନିର୍ବାଚନ

କେନ୍ଦ୍ରଶାସିତ ଅଂଚଳ ଘୋଷଣା ହେବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର କେ.କେ ଶର୍ମା କହିଛନ୍ତି ଯେ ଜିଲ୍ଲା ଉନ୍ନୟନ ପରିଷଦ (ଡିଡିସି), ପଞ୍ଚାୟତ ଏବଂ ସ୍ଥାନୀୟ ସଂସ୍ଥା ଉପ-ନିର୍ବାଚନ ଆଠଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୨୮ରେ ଏବଂ ଅନ୍ତିମ ତଥା ଅଷ୍ଟମ ପର୍ଯ୍ୟାୟ ଡିସେମ୍ବର ୨୯ରେ ହେବ। ଏଥିରେ ଜିଲ୍ଲା ଉନ୍ନୟନ ପରିଷଦ ନିର୍ବାଚନରେ ଦଳୀୟ ଚିହ୍ନ ବ୍ୟବହାର ହେବାକୁ ଥିବା ବେଳେ ଉପ-ନିର୍ବାଚନରେ ଦଳୀୟ ଚିହ୍ନ ବ୍ୟବହାର କରାଯିବ ନାହିଁ ବୋଲି ଜଣାପଡିଛି।

କେକେ ଶର୍ମା ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଖାଲିଥିବା ସରପଞ୍ଚ ଏବଂ ପଞ୍ଚାୟତ ଆସନଗୁଡିକ ପାଇଁ ଏକ ସମୟରେ ନିର୍ବାଚନ ଅନୁଷ୍ଠିତ ହେବ। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମାଧ୍ୟମରେ ଭୋଟ୍ ଗ୍ରହଣ କରାଯିବ ଏବଂ କରୋନା ରୋଗୀ, ବରିଷ୍ଠ ନାଗରିକ ଏବଂ ଶାରୀରିକ ଅସୁସ୍ଥଙ୍କ ପାଇଁ ପୋଷ୍ଟାଲ ବାଲଟ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ୨୦୨୦ ଜାନୁଆରୀ ୧ରେ ସରପଞ୍ଚ ଏବଂ ପଞ୍ଚ ନିର୍ବାଚନରେ ​​ବ୍ୟବହୃତ ଭୋଟର ତାଲିକା ଡିଡିସି ନିର୍ବାଚନ ପାଇଁ ବ୍ୟବହୃତ ହେବ। ଏହି ନିର୍ବାଚନ ଘୋଷଣା ସହିତ ମଡେଲ ଆଚରଣ ସଂହିତା ଆଜିଠାରୁ ଲାଗୁ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଥମ ଆନୁଷ୍ଠାନିକ ବିଜ୍ଞପ୍ତି ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ଜାରି କରାଯିବ।

Comments are closed.