ପିଆଜ ପରେ ବଢିଲା ଟମାଟୋ ଦର

ନୂଆଦିଲ୍ଲୀ : ପିଆଜ ପରେ ଏବେ ବିଲାତି ବାଇଗଣ (ଟମାଟୋ)ର ବର୍ଦ୍ଧିତ ଦର ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ସପ୍ତାହକ ମଧ୍ୟରେ ବିଲାତି ଦରରେ ୭୦% ବୃଦ୍ଧି ଘଟିଛି। ନବରାତ୍ରି ଓ ଦଶହରା ଆସୁଥଥିବାବେଳେ ବିଲାତି ଦର ବୃଦ୍ଧି ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପିଆଜ କିଲୋପ୍ରତି ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ବିଲାତି ବାଇଗଣ (ଟମାଟୋ) ଏବେ କିଲୋପ୍ରତି ୪୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି।

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ ବିଶେଷ କରି ଉତ୍ତର ଭାରତ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ପ୍ରଚୁର ଟାମାଟୋ ଉତ୍ପାଦନ ହୋଇଥାଏ। ବର୍ଷା ଓ ବନ୍ୟା ଯୋଗୁଁ ଏହି ରାଜ୍ୟଗୁଡ଼ିକରେ ଟାମାଟୋ ଫସଲ ନଷ୍ଟ ହୋଇଯାଇଛି। ଫଳରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ ସହରରେ ଟମାଟୋ ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଦେଶର ଆଜାଦପୁର ପରିବା ବଜାରରେ ଟମାଟୋ ପାଇକାରୀ ମୂଲ୍ୟ କିଲୋ ପ୍ରତି ୩୪ଟଙ୍କା ରହିଛି। ବୁଧବାର ଟମାଟୋ ଟନ ପ୍ରତି ୫୬୦.୩ ଟଙ୍କା ଥିଲା। ଗୋଟିଏ ସପ୍ତାହ ପୂର୍ବରୁ ସେପ୍ଟେମ୍ବର ୧୯ରେ ଦିଲ୍ଲୀର ଟମାଟୋ କିଲୋ ପ୍ରତି ୫ ଟଙ୍କାରୁ ୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା। ଏବେ ଦିଲ୍ଲୀରେ ଟମାଟୋ କିଲୋ ପ୍ରତି ୪୦ରୁ ୬୦ ଟଙ୍କା ମଧ୍ୟରେ ରହିଛି।
ସେହିପରି ଦିଲ୍ଲୀ, ମୁମ୍ବଇ, ଲକ୍ଷ୍ନୌ ଭଳି ସହରର ଖୁଚୁରା ବଜାରରେ ପିଆଜ କିଲୋ ପ୍ରତି ୬୦ରୁ ୮୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ମମ୍ବଇରେ ପିଆଜ କିଲୋ ପ୍ରତି ୫୮ ଟଙ୍କା, ଚେନ୍ନଇରେ କିଲୋ ପ୍ରତି ୪୨ ଟଙ୍କା ରହିଛି। କାନପୁରରେ ପିଆଜ ଦର କିଲୋ ପ୍ରତି ୭୦ ଟଙ୍କା ଏବଂ ପୋର୍ଟବ୍ଲେୟରରେ ୮୦ ଟଙ୍କାରେ ବିକ୍ରି ହେଉଛି।
ପ୍ରମୁଖ ପନିପରିବା ଦରରେ ବୃଦ୍ଧି ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଦଶହରାକୁ ଆଉ ମାତ୍ର କେତେକଟା ଦିନ ବାକିଥିବାବେଳେ ବିଶେଷ କରି ପିଆଜ ଓ ଟମାଟୋ ଦର ବୃଦ୍ଧି ଯୋଗୁଁ ଲୋକେ ଓ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି।

Comments are closed.