ମହିଳା ସହଯୋଗୀଙ୍କୁ ହତ୍ୟା ପରେ ପୁଲିସ ସବ୍‌-ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ:  ନିଜ ମହିଳା ସହକର୍ମୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବ ପୁଲିସ ସବ୍‌-ଇନ୍ସପେକ୍ଟର। ଉତ୍ତର-ପଶ୍ଚିମ ଦିଲ୍ଲୀର ରୋହିଣୀସ୍ଥିତ ମେଟ୍ରୋ ରେଳ ଷ୍ଟେସନ୍‌ ଅଞ୍ଚଳରେ ଦିଲ୍ଲୀ ପୁଲିସର ସବ୍‌-ଇନ୍ସପେକ୍ଟର ପ୍ରୀତି ଅହଲାୱତ (୨୬)ଙ୍କୁ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟାରେ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି ସହକର୍ମୀ ସବ୍‌-ଇନ୍ସପେକ୍ଟର ଦୀପାଂଶୁ ରଥି (୨୬)। ପ୍ରୀତି ଷ୍ଟେସନ୍‌ରୁ ବାହାରୁଥିବାବେଳେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଦୀପାଂଶୁ ତିନିଟି ଗୁଳି ମାରିଥିଲେ ଓ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସିସିଟିଭି ଚିତ୍ରରୁ ସ୍ପଷ୍ଟ ହୋଇଛି। ପ୍ରୀତିଙ୍କୁ ମାରିବା ପରେ ଦୀପାଂଶୁ ଶନିବାର ହରିୟାଣାର ସୋ​​‌ନେପତ ନିକଟ ମୁରଥଲଠାରେ ଆତ୍ମହତ୍ୟା କରିଛନ୍ତି। ପୁଲିସ ଦୀପାଂଶୁଙ୍କ ମୋବାଇଲ ଫୋନ୍‌ ଟ୍ରାକ୍‌ କରି ମୁରଥଲଠାରେ ପହଞ୍ଚିଥିଲେ ଓ ସିସିଟିଭି ଚିତ୍ରରୁ ଦୀପାଂଶୁଙ୍କୁ ଚିହ୍ନଟ କରାଯାଇଥିଲା। ସେଠାରେ ନିଜ କାର୍‌ ଭିତରେ ତାଙ୍କର ମୃତଦେହ ରହିଥିଲା। ଦୀପାଂଶୁ ଭଜନପୁରାଠାରେ ନିଯୁକ୍ତ ଥିଲେ। ପ୍ରୀତି ପୂର୍ବ ଦିଲ୍ଲୀର ପତପଡ଼ଗଞ୍ଜଠାରେ ନିଯୁକ୍ତ ଥିବାବେଳେ ପରିବାର ସହ ରୋହିଣୀ ସେକ୍ଟର-୮ରେ ବସବାସ କରୁଥିଲେ। ଉଭୟ ୨୦୧୮ରେ ପୁଲିସ ସବ୍‌-ଇନ୍ସପେକ୍ଟର ଭାବେ ଯୋଗ ଦେଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା; କିନ୍ତୁ ପ୍ରୀତି ଦୀପାଂଶୁଙ୍କୁ ବିବାହ ପାଇଁ ରାଜି ନ ଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।

Comments are closed.