ଦିଲ୍ଲୀ ପରାଜୟ ପରେ ବିହାର, ପଶ୍ଚିମବଙ୍ଗ ପାଇଁ ରଣନୀତି ବଦଳାଇବ ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳରେ ଦୟନୀୟ ଅବସ୍ଥା ଭୋଗିବା ପରେ ବିଜେପି ଆଗାମୀ ବିହାର ଓ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ରଣନୀତିରେ ପରିବର୍ତ୍ତନ ଆଣିବ ବୋଲି ସୂଚନା ମିଳିଛି। ବିଶେଷକରି ସଂଶୋଧିତ ନାଗରିକତ୍ବ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) ମୁସଲମାନବିରୋଧୀ ବୋଲି ପ୍ରଚାର ହେବା ସହିତ ଦିଲ୍ଲୀରେ ହିନ୍ଦୁଙ୍କ ଭୋଟ୍‌ରୁ ଦଳ ବଞ୍ଚିତ ହେବା ପରେ ଏହାକୁ ପ୍ରସଙ୍ଗ କରିଥିବା ବିଜେପି ଯୋଜନାରେ ପରିବର୍ତ୍ତନ କରିବା ସମ୍ଭାବନା ଦୃଢ଼ ହୋଇଛି। ଚଳିତ ବର୍ଷ ଶେଷ ଆଡ଼କୁ ବିହାର ଓ ଆସନ୍ତା ବର୍ଷ ପଶ୍ଚିମବଙ୍ଗ ନିର୍ବାଚନ ହେବାର ଅଛି। ଏହି ଦୁଇ ରାଜ୍ୟରେ ମୁସଲମାନଙ୍କ ସଂଖ୍ୟାବହୁଳତା ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ରାଜ୍ୟରେ ଏନ୍‌ଆରସି କାର୍ଯ୍ୟକାରୀ ହେବ ନାହିଁ ବୋଲି ଘୋଷଣା କରିଛନ୍ତି; କିନ୍ତୁ ସିଏଏକୁ ସମର୍ଥନ କରିଛନ୍ତି। ସିଏଏ ପ୍ରସଙ୍ଗରେ ତାଙ୍କର ଦୁଇ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ କିଶୋର ଓ ପବନ କୁମାର ବର୍ମା ବିରୋଧୀ ପାଲଟି ଯାଇଛନ୍ତି ଏବଂ ନୀତୀଶ ସେମାନଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ପ୍ରଶାନ୍ତ ଏବେ ଅରବିନ୍ଦ କେଜରିୱାଲଙ୍କ ବିଜୟର ବଡ଼ ଅଂଶୀଦାର ପାଲଟିଛନ୍ତି। କେଜରିୱାଲଙ୍କ ଜାତୀୟ ରାଜନୀତି ପ୍ରତି ଅଭିଳାଷ ରହିଥିବାରୁ ପ୍ରଶାନ୍ତ ଓ ବର୍ମା ଆଗାମୀ ଦିନରେ ବିହାର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହା ଯଦି ଦାନା ଧରେ; ତେବେ ବିଜେପି ପାଇଁ ସମସ୍ୟା ଅଧିକ ଜଟିଳ ହେବ। ଅପରପକ୍ଷରେ ଦିଲ୍ଲୀରେ ବିଜେପିର ପରାଜୟ ପରେ ବିହାରରେ ନୀତୀଶଙ୍କ ସହିତ ଏହାର ମୂଲଚାଲ କ୍ଷମତା ହ୍ରାସ ପାଇବା ନିଶ୍ଚିତ ବୋଲି କୁହାଯାଉଛି। ରାଜ୍ୟରେ ଏକାକୀ ଲଢ଼ି ସଫଳତା ହାତେଇବା ଅସମ୍ଭବ ଅନୁଭବ କରି ବିଜେପି ନୀତୀଶଙ୍କୁ ରାଜ୍ୟରେ ଏନ୍‌ଡିଏର ନେତା ଭାବେ ଘୋଷଣା କରିଛି; କିନ୍ତୁ ସାମ୍ପ୍ରତିକ ସ୍ଥିତି ବଳବତ୍ତର ରହିଲେ ଏଥିରୁ କିଛି ଲାଭ ପାଇବା ଆଶା କମ୍‌ ବୋଲି ଦଳର ରଣନୀତି ବିଶାରଦମାନେ ଏବେ ମନେ କରୁଛନ୍ତି। ଆବଶ୍ୟକ ପଡ଼ିଲେ ନୀତୀଶ କ୍ଷମତାରେ ରହିବା ପାଇଁ ବିଜେପିକୁ ପର କରିଦେବା ଅସମ୍ଭବ ନୁହେଁ ବୋଲି ମଧ୍ୟ ସେମାନେ ବିଚାର କରୁଛନ୍ତି। ଏପରି ହେଲେ ଦଳ ଘୋର ବିପତ୍ତିରେ ପଡ଼ିବ; ତେଣୁ ଏହା ପୂର୍ବରୁ ରଣନୀତି ବଦଳାଇବା ଯୋଜନା ଆରମ୍ଭ ହୋଇଯାଇଥିବା ପ୍ରକାଶ।

କେଜରିୱାଲ ଓ ପ୍ରଶାନ୍ତଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ରହିଛି। ଦିଲ୍ଲୀ ନିର୍ବାଚନରେ ପ୍ରଶାନ୍ତ ଜଣେ ନୂଆ କେଜରିୱାଲଙ୍କୁ ଆବିଷ୍କାର କରିଥିବା କହିଛନ୍ତି। ଉଭୟ ପ୍ରବଳ ବିଜେପି ବିରୋଧୀ ଭାବେ ଜଣାଶୁଣା। ସେମାନେ ଦେଶତମାମ ବୁଲି ବିଜେପି ବିରୋଧରେ ପ୍ରଚାର ସହ ସ୍ବତନ୍ତ୍ର ରାଜନୈତିକ ସମୀକରଣର ସୂତ୍ରପାତ କରିବାର ସମ୍ଭାବନା ରହିଛି। ଜାନୁଆରୀ ୨୦୧୪ରେ କେଜରିୱାଲ ଦେଶବ୍ୟାପୀ ଭ୍ରମଣ କରି ନିଜ ଦଳ ସପକ୍ଷରେ ହାୱା ସୃଷ୍ଟି କରିଥିଲେ। ସେତେବେଳେ ସେ ଦେଶଗଠନ ପାଇଁ ‘ଫୋନ୍‌ରେ ଏକ ମିସ୍‌ଡ କଲ୍‌’ ମାଧ୍ୟମରେ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ‘ଆପ୍‌ରେ ଯୋଗଦିଅ, ଦେଶ ଗଠନରେ ସହାୟକ ହୁଅ’ ଏବଂ ‘ମେଁ ଭି ଆମ୍‌ ଆଦ୍‌ମୀ’ ଅଭିଯାନ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ କରାଇଥିଲେ। ଏହା ଖୁବ୍‌ ଗ୍ରହଣୀୟ ହୋଇଥିଲା। ଏଥିରୁ ତାଙ୍କର ଜାତୀୟ ରାଜନୀତି ପ୍ରତି ଅଭିଳାଷ ଲକ୍ଷ୍ୟ କରାଯାଇଥିଲା। ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ସେ ପଞ୍ଜାବ ଓ ଅନ୍ୟ କେତେକ ରାଜ୍ୟରେ ଦଳର ଭିତ୍ତି ପକାଇଥିଲେ। ପଞ୍ଜାବରେ ଏହା କିଛି ମାତ୍ରାରେ ସଫଳ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଦାନା ଧରି ନ ଥିଲା। ପରେ ଦଳ ଗୋଆ, ହରିୟାଣା, ମହାରାଷ୍ଟ୍ରରେ ମଧ୍ୟ ଉପସ୍ଥିତି ଜାହିର କରିବା ଉଦ୍ୟମ କରି ବିଫଳ ହୋଇଥିଲା। କେରଳରେ ଏହା ସିପିଆଇ(ଏମ୍‌) ସହିତ ମେଣ୍ଟ କରିଥିଲା। ଏବେ ତୃତୀୟ ପର୍ଯ୍ୟାୟ ସଫଳତା ତାଙ୍କୁ ପୁନର୍ବାର ଜାତୀୟ ରାଜନୀତି ପ୍ରତି ପ୍ରୋତ୍ସାହିତ କରିଥିବା ପ୍ରକାଶ; ଅତଏବ ବିହାରରୁ ପ୍ରଶାନ୍ତ ଓ କେଜରିୱାଲ ବିଜେପି ବିରୋଧୀ ଅଭିଯାନର ଅୟମାରମ୍ଭ କରିବା ସୂଚନା ମିଳିଛି।

Comments are closed.