ନାଗେଶ୍ବର ରାଓ ନିଯୁକ୍ତି ବିରୋଧୀ ମାମଲାରୁ ଓହରିଲେ ବିଚାରପତି ସିକ୍ରି

0

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ପରେ ଏବେ ସୁପ୍ରିମକୋର୍ଟ ବିଚାରପତି ଏ.କେ. ସିକ୍ରି ଗୁରୁବାର ସିବିଆଇ ଅନ୍ତରୀଣ ନିର୍ଦେଶକ ଭାବେ ଏମ୍‌. ନାଗେଶ୍ବର ରାଓଙ୍କ ନିଯୁକ୍ତି ବିରୋଧି ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି। ନିଜର ସ୍ଥିତି ଏବଂ ବ୍ୟକ୍ତିଗତ କାରଣ ଦର୍ଶାଇ ବିଚାରପତି ସିକ୍ରି ଏଭଳି ନିଷ୍ପତ୍ତି ନେଇଛନ୍ତି। କମନ କଜ ପକ୍ଷରୁ ହୋଇଥିବା ଉକ୍ତ ଆବେଦନକୁ ଶୁକ୍ରବାର ଶୁଣାଣି ନିମନ୍ତେ ସୂଚୀବଦ୍ଧ କରାଯାଇଛି। ଅନ୍ୟ ଏକ ପୀଠରେ ଏହାର ଶୁଣାଣି ହେବ।
ସିବିଆଇ ନିର୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଚୟନ କମିଟିର ସଦସ୍ୟ ଥିଲେ ବିଚାରପତି ସିକ୍ରି। କମିଟିର ସଦସ୍ୟ ପ୍ରଧାନ ବିଚାରପତି ଗୋଗଇ ପୂର୍ବରୁ ଆଲୋକ ବର୍ମାଙ୍କ ନିଯୁକ୍ତି ସମ୍ବନ୍ଧୀୟ ମାମଲାର ଶୁଣାଣି କରିଥିବାରୁ ଚୟନ କମିଟି ବୈଠକ ପାଇଁ ସେ ସିକ୍ରିଙ୍କ ନାମ ସୁପାରିସ କରିଥିଲେ। ଚୟନ କମିଟି ବୈଠକରେ ସିକ୍ରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବର୍ମାଙ୍କୁ ପଦରୁ ହଟାଯିବା ସପକ୍ଷରେ ମତ ଦେଇଥିଲେ। ତେବେ ଜାନୁଆରୀ ୨୪ରେ ସିବିଆଇ ନିର୍ଦେଶକ ନିଯୁକ୍ତି ନେଇ ଅନୁଷ୍ଠିତ ବୈଠକରେ ଯୋଗ ଦେବାକୁ ଥିବାରୁ ନାଗେଶ୍ବର ରାଓଙ୍କ ନିଯୁକ୍ତି ବିରୋଧୀ ମାମଲାର ଶୁଣାଣି ସେ କରିପାରିବେ ନାହିଁ ବୋଲି ଦର୍ଶାଇ ପ୍ରଧାନ ବିଚାରପତି ଓହରିଯାଇଥିଲେ। ଏଥିସହ ଶୁଣାଣି ନିମନ୍ତେ ସେ ସିକ୍ରିଙ୍କ ନାମ ସୁପାରିଶ କରିଥିଲେ। ଗୁରୁବାର ମାମଲାଟି ଶୁଣାଣି ପାଇଁ ଉପସ୍ଥାପିତ ହେବା କ୍ଷଣି ସେ ଏହାର ଶୁଣାଣି କରିପାରିବେ ନାହିଁ ବୋଲି ସିକ୍ରି ସ୍ବେଚ୍ଛାସେବୀ ସଂସ୍ଥା କମନ କଜର ପକ୍ଷ ଉପସ୍ଥାପନ କରୁଥିବା ଓକିଲ ଦୁଷ୍ୟନ୍ତ ଡାଭେଙ୍କୁ କହିଛନ୍ତି। ଏ ନେଇ ଡାଭେ ପ୍ରଶ୍ନ ଉଠାଇବାରୁ ପ୍ରଧାନବିଚାରପତିଙ୍କ ନିର୍ଦେଶ କ୍ରମେ ଅନ୍ୟ ଏକ ପୀଠରେ ଏହାର ଶୁଣାଣି ହେବ ଉଚିତ ବୋଲି ସିକ୍ରିଙ୍କ ପୀଠ କହିଛନ୍ତି।

Leave A Reply