ଦୀର୍ଘ ୨୩ ବର୍ଷର ସଂଘର୍ଷ ପରେ ମିଳିଲା ଶିକ୍ଷକ ମାନ୍ୟତା

ରେଙ୍ଗାଲିକେମ୍ପ : ଦୀର୍ଘ ୨୩ବର୍ଷ ଧରି ଲାଗି ରହିଥିବା ସଂଘର୍ଷ ଆଜି ସଫଳ ହୋଇଛି। ୧୯୯୭ ମସିହାରେ ସମ୍ବଲପୁର ର  ପୂର୍ବତନ ସର୍କଲ ଇନ୍ସପେକ୍ଟର ଦେଇଥିବା ନିଯୁକ୍ତିକୁ ରାଜ୍ୟ ସରକାର ଅସିଦ୍ଧ ନିଯୁକ୍ତି ବୋଲି ତାଙ୍କୁ ମାନ୍ୟତା ଦେଇନଥିଲେ, ଯାହା ଫଳରେ ଦୀର୍ଘ ୨୩ବର୍ଷ ଧରି ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜର ଅଧିକାର ପାଇଁ ସଂଘର୍ଷ  କରି ଆସୁଥିଲେ। କିନ୍ତୁ ଆଜି ସେମାନଙ୍କୁ ସରକାର ଶିକ୍ଷକ ମାନ୍ୟତା ପ୍ରଦାନ କରିଛନ୍ତି। ତେଣୁ ଆଜି ଅତାବିରା ଶିକ୍ଷକ ଭବନ ଠାରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ଅତାବିରା ବ୍ଲକ ଶିକ୍ଷା ଅଧିକାରୀ ରାଜାରାମ ମେହେର, ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଓ ଅତାବିରା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜକିଶୋର ପୂଜାରୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଲୋକନାଥ ବିଶ୍ଵାଳ ସଭା ପରିଚାଳନା କରିଥିଲେ। ସୁରେନ୍ ଭୋଷାଗର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକର ମାନ୍ୟତା ପାଇଥିବା ଶିକ୍ଷକମାନଙ୍କୁ ମୁଖ୍ୟ ଅତିଥି ତାଙ୍କ କରକମଳରେ ସ୍ଥାୟୀ ମାନ୍ୟତା ପତ୍ର ପ୍ରଦାନ କରିଥିଲେ। ପରିଶେଷରେ ପ୍ରିୟ ରଂଜନ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.