ଆଫଗାନିସ୍ତାନ: ତାଲିବାନ ଆକ୍ରମଣରେ ୬୭ ମୃତ, ୧୨୬ ଆହତ

0

କାବୁଲ : ଆଫଗାନିସ୍ତାନରେ ତିନି ବର୍ଷ ବ୍ୟବଧାନରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ବେଳେ ତାଲିବାନ ଆକ୍ରମଣରେ ୬୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୨୬ ଜଣ ଆହତ ହୋଇଛନ୍ତ। ସୂଚନା ଅନୁସାରେ ବିଭିନ୍ନ ମତଦାନ କେନ୍ଦ୍ର ଉପରେ ତାଲିବାନ ପକ୍ଷରୁ ୧୯୩ଟି ଆକ୍ରମଣ ହୋଇଥିଲା। ମୃତକଙ୍କ ମଧ୍ୟରେ ୨୭ ଜଣ ସାଧାରଣ ନାଗରିକ, ୯ ଜଣ ସୁରକ୍ଷା କର୍ମୀ ଓ ୩୧ ଜଣ ଆତଙ୍କବାଦୀ ଅଛନ୍ତି।
ଶନିବାର ସକାଳ ୭ଟାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା ଓ ଅପରାହ୍ନ ୬ଟାରେ ମତଦାନ ଶେଷ ହୋଇଥିଲା ବୋଲି ଆଭ୍ୟନ୍ତରୀଣ ମନ୍ତ୍ରୀ ଅଖତାର ମୋହମ୍ମଦ ଇବ୍ରାହିମ୍‍ କହିଛନ୍ତି। ଆକ୍ରମଣ ମଧ୍ୟରେ କାବୁଲ ମାତଦାନ କେନ୍ଦ୍ରରେ ଆତ୍ମଘାତୀ ବିସ୍ଫୋରଣ ମଧ୍ୟ ସାମିଲ ରହିଛି। କିଛି ସ୍ଥାନରେ ତାଲିବାନ ଏବଂ ଆଫଗାନିସ୍ତାନ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ ଆତଙ୍କବାଦୀ ସଂଗଠନ ତାଲିବାନ ବାରମ୍ବାର ଲୋକଙ୍କୁ ମତଦାନରେ ଅଂଶଗ୍ରହଣ ନ କରିବାକୁ ଧମକ ଦେଇ ଚାଲିଥିଲା। ନିର୍ବାଚନ ମତଦାନରେ ଅଂଶଗ୍ରହଣ କଲେ ଜୀବନ ହରାଇବାକୁ ପଡ଼ିବ ବୋଲି ତାଲିବାନ ମୁଖପାତ୍ର ଜାବିଉଲ୍ଲା ମୁଜାହିଦ୍‍ ଚେତାବନୀ ଦେଇଥିଲା। ଏହାସତ୍ତ୍ବେ ଲୋକମାନେ ବହୁ ସଂଖ୍ୟାରେ ମତଦାନରେ ଅଂଶଗ୍ରହଣ କରିଥିଲେ। ତାଲିବାନ ପକ୍ଷରୁ ଆଫଗାନିସ୍ତାନ ସାରା ୧୯୩ଟି ଆକ୍ରମଣ କରାଯାଇଥିଲା। ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୩୧ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ଓ ୧୮ ଜଣଙ୍କୁ ଗିରଫ କରାଯାଇଛି। ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ଅନୁସାରେ ସୁରକ୍ଷା ପାଇଁ ଶନିବାର ମତଦାନ ଗ୍ରହଣ କେନ୍ଦ୍ରଗୁଡ଼ିକରେ ୬୦ ହଜାର ସୈନ୍ୟ ଏବଂ ପୁଲିସ୍‍ ଯବାନଙ୍କୁ ମୁତୟନ କରାଯାଇଥିଲା। ଶନିବାର ଆତଙ୍କବାଦୀ ଆକ୍ରମଣ ସଂଖ୍ୟା ୨୦୧୪ ରାଷ୍ଟ୍ରପତି ନିର୍ବାଚନ ବେଳର ଆତଙ୍କବାଦୀ ଆକ୍ରମଣର ମାତ୍ର ଅଧା ଥିଲା ବୋଲି କୁହାଯାଉଛି।

Leave A Reply