କାବୁଲ୍‌ ଗୁରୁଦ୍ବାରରେ ଆଇଏସ୍‌ ଆକ୍ରମଣ; ୩୦ ମୃତ

କାବୁଲ : ଦୀର୍ଘକାଳ ପରେ ଶିଖ୍‌ ସମ୍ପ୍ରଦାୟ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କ ଶିକାର ହୋଇଛନ୍ତି। ଆଫଗାନିସ୍ତାନ ରାଜଧାନୀ କାବୁଲର ସୋର୍‌ ବଜାରସ୍ଥିତ ଏକ ଗୁରୁଦ୍ବାର ଉପରେ ଆତଙ୍କବାଦୀ ଆକ୍ରମଣରେ ଶିଖ୍‌ ସମ୍ପ୍ରଦାୟର ୩୦ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ବୁଧବାର ସକାଳ ୭ଟା ୪୫ରେ ଆକ୍ରମଣ ହୋଇଥିଲା। ଏଥିରେ ୪ଜଣ ଆତ୍ମଘାତୀ ବିସ୍ଫୋରଣକାରୀ ସମ୍ପୃକ୍ତ ଥିବା ପ୍ରକାଶ। ଏହି ସମୟରେ ଗୁରୁଦ୍ବାରରେ ୧୫୦ରୁ ଅଧିକ ଭକ୍ତ ପ୍ରାର୍ଥନା କରୁଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ନିଜକୁ ଦାୟୀ କରିଥିଲେ ମଧ୍ୟ ଏହା ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ଭାରତ ସନ୍ଦେହ କରୁଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ତାଲିବାନ୍‌ର ଶକ୍ତି ବୃଦ୍ଧିକୁ ଅଟକାଇବା ପାଇଁ ଆଇଏସ୍‌ଆଇ ‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଖୋରାସନ୍‌ ପ୍ରୋଭିନ୍ସ’ ବା ଆଇଏସ୍‌କେପିକୁ ପ୍ରୋତ୍ସାହନ ଦେଉଛି। ଏହି ପରିପ୍ରେକ୍ଷୀରେ ଶିଖ୍‌ମାନଙ୍କୁ ନିଶାଣ କରାଯାଇଛି। ତାଲିବାନ-ଆମେରିକା ଶାନ୍ତିଚୁକ୍ତି ପୁନଃ କାର୍ଯ୍ୟକ୍ଷମ ପାଇଁ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପମ୍ପିଓ ଦୁଇ ଦିନ ପୂର୍ବେ କାବୁଲ ଗସ୍ତରେ ଯାଇଥିଲେ। ଏହି ଗସ୍ତକୁ ଭଣ୍ଡୁର କରିବା ସହ ଆଇଏସ୍‌କେପିର ଗୁରୁତ୍ବ ବୃଦ୍ଧି ଉଦ୍ଦେଶ୍ୟରେ ଆଇଏସ୍‌ଆଇ ଏଭଳି ଷଡ଼ଯନ୍ତ୍ର ରଚନା କରିଛି।

ଏହି ଆକ୍ରମଣକୁ ତାଲିବାନ୍‌ ଅସ୍ବୀକାର କରିବ ଜାଣି ଆଇଏସ୍‌କେପିକୁ ସମ୍ମୁଖକୁ ଆଣିବା ପାଇଁ ଆଇଏସ୍‌ଆଇ ଯୋଜନା ପ୍ରସ୍ତୁତ କରିଥିବା ଭାରତୀୟ ଗୁଇନ୍ଦା ବିଭାଗର ଜଣେ ଅଧିକାରୀ ଯୁକ୍ତି ଦର୍ଶାଇଛନ୍ତି। ଭାରତ ପକ୍ଷରୁ ଏ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି ଓ ମୃତ ଶିଖ୍‌ଙ୍କ ପରିବାରକୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ୁ ଆଫଗାନ୍‌ ସୁରକ୍ଷା ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଆଇଏସ୍‌ଆଇ ଓ ତାଲିବାନ ସମର୍ଥିତ ହାକାନି ନେଟ୍‌ୱର୍କ ପକ୍ଷରୁ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଯୋଜନା ଥିଲା; କିନ୍ତୁ କଡ଼ା ସୁରକ୍ଷା ଦୃଷ୍ଟିରୁ ଏହା କାର୍ଯ୍ୟକାରୀ ହୋଇ ନ ପାରିବାରୁ ଗୁରୁଦ୍ବାର ଉପରେ ଆକ୍ରମଣ ହୋଇଛି। ଦୁଇ ବର୍ଷ ପୂର୍ବେ କାବୁଲରେ ଆଇଏସ୍‌ ଆକ୍ରମଣରେ ୧୯ଶିଖ ପ୍ରାଣ ହରାଇଥିଲେ।

Comments are closed.