୫ବର୍ଷ ହେଲା ଅଟକି ରହିଛି ବିମାନ

ନୂଆଦିଲ୍ଲୀ: ୨୦୧୫ ଅଗଷ୍ଟ ୭ ତାରିଖ ରାତି ପ୍ରାୟ ୭ଟା। ତତ୍କାଳୀନ ବାଂଲାଦେଶୀ ଏୟାରଲାଇନ୍‍ ୟୁନାଇଟେଡ ଏୟାରୱେଜ୍‍ର ଏକ ବିମାନ ରାୟପୁରର ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ବିମାନଟି ଢାକାରୁ ମସ୍କଟ ଯାଉଥିବାବେଳେ ତାହାର ଗୋଟିଏ ଇଞ୍ଜିନ ଅକାମୀ ହୋଇଯିବାରୁ ବିମାନ ରାୟପୁରରେ ଅବତରଣ କରିଥିଲା। କିନ୍ତୁ ତାହା ପରବର୍ତ୍ତୀ ସମୟରେ ବିମାନଟି ଆଉ ଉଡାଣ କରିନାହିଁ। ପରବର୍ତ୍ତୀ ସମୟରେ ବାଂଲାଦେଶର ସେହି ବିମାନ ଚଳାଚଳ ସଂସ୍ଥା ମଧ୍ୟ ବନ୍ଦ ହୋଇଯାଇଛି। କିନ୍ତୁ ଦୀର୍ଘ ସାଢେ ପାଞ୍ଚବର୍ଷ ଧରି ସେହି ମ୍ୟାକ୍‍ଡୋନେଲ୍‍ ଡଗ୍‍ଲାସ ଏମ୍‍ଡି ୮୩ଟି ବିମାନ ରାୟପୁର ବିମାନ ବନ୍ଦରରେ ଥିବା ୮ଟି ପାର୍କିଂ ବେ’ ମଧ୍ୟରୁ ଗୋଟିକୁ ଅକ୍ତିଆର କରି ରଖିଛି। ବିମାନ ପାର୍କିଂ ବାବଦ ଦେୟ ବଢି ବଢି ଇତିମଧ୍ୟରେ ୧.୨୫ କୋଟି ଟଙ୍କାରେ ପହଞ୍ଚିଲାଣି। ବିମାନକୁ ଫେରାଇ ନେବାପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ବହୁବାର ଯୋଗାଯୋଗ କରିଛନ୍ତି, ପତ୍ର ଲେଖିଛନ୍ତି। କିନ୍ତୁ ଉକ୍ତ କମ୍ପାନୀର କୋ÷ଣସି ବ୍ୟକ୍ତି ଏଯାଏ ଭାରତକୁ ଆସୁନାହାନ୍ତି। କୌଣସି ଉପାୟ ନପାଇ ଶେଷରେ ଏଏଆଇ ଜାନୁଆରୀରୁ ଆଇନଗତ ପଦକ୍ଷେପ ଆରମ୍ଭ କରିଛି। ଏହାଦ୍ୱାରା ଏଏଆଇ ପାଇବାକୁ ଥିବା ପ୍ରାପ୍ୟ ପାଇଁ ବିମାନକୁ ନିଲାମ କରାଯିବ। ଅବଶ୍ୟ ଯାହା ଜଣାଯାଇଛି, ଜାନୁଆରୀରେ ଆଇନ ନୋଟିସ ପଠାଯିବା ପରେ ବାଂଲାଦେଶୀ କମ୍ପାନୀ ଉତ୍ତର ରଖି କହିଛି ଯେ ବିମାନକୁ ବିକ୍ରି କରିବାକୁ ନଅମାସ ସମୟ ଦିଆଯାଉ। କିନ୍ତୁ ଏଏଆଇ ଆଉ ଉକ୍ତ କମ୍ପାନୀ ଉପରେ ଭରସା କରିପାରୁନାହିଁ। ବିମାନଟି ରାୟପୁରରେ ଜରୁରୀ ଅବତରଣ କରିବାର ତିନିସପ୍ତାହ ପରେ ବାଂଲାଦେଶ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କର ଏକ ଦଳ ରାୟପୁର ଆସି ବିମାନକୁ ତନଖି କରିଥିଲେ। ତାହାର କିଛିମାସ ପରେ ଆଉଏକ ଦଳ ଆସି ଅକାମୀ ହୋଇପଡିଥିବା ଇଞ୍ଜିନକୁ ବଦଳାଇଥିଲେ। କିନ୍ତୁ ବାଂଲାଦେଶ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କଠାରୁ ଉଡାଣଯୋଗ୍ୟ ପ୍ରମାଣପତ୍ର ନମିଳିବାରୁ ବିମାନଟି ଉଡାଣ କରିପାରିନଥିଲା।
ଜଣାଯାଇଛି ଯେ ଢାକାରୁ ବିମାନ ଉଡାଣ ଆରମ୍ଭ କରିବା ସମୟରେ ସେଥିରେ ୧୭୩ଜଣ ଯାତ୍ରୀ ଥିଲେ। ଏହା ବାରାଣସୀ-ରାୟପୁର ଆକାଶମାର୍ଗକୁ ପ୍ରବେଶ କରିବାପରେ ବିମାନ ଚାଳନା କରୁଥିବା କ୍ରିୟୁ ଇଞ୍ଜିନ ପ୍ରେସର କମ୍‍ ରହୁଥିବା ଲକ୍ଷ୍ୟ କରିଥିଲେ। ପରେପରେ ଏକ ବଡଧରଣର ବିସ୍ଫୋରଣ ଘଟିଲା। ବିମାନଟି ସେତେବେଳେ ୩୨,୦୦୦ ଫୁଟ ଉପରେ ଉଡୁଥିଲା। ବିସ୍ଫୋରଣ ପରେ ବିମାନର ଗୋଟିଏ ଇଞ୍ଜିନରେ ନିଆଁଲାଗି ତାହା ଭାଙ୍ଗିପଡିଲା। ବିମାନ କ୍ରିୟୁ ସେହି ଶବ୍ଦ ଶୁଣିବା ସହିତ ବିମାନଟି ଥରିବା ଆରମ୍ଭ କରିଦେଲା ଏବଂ କ୍ରମଶଃ ତଳକୁ ଖସିବା ଆରମ୍ଭକଲା। କିନ୍ତୁ ସୌଭାଗ୍ୟକୁ ସେଦିନ ବିମାନରେ ଜଣେ ଇଞ୍ଜିନିୟର ଉପସ୍ଥିତ ଥିଲେ। ତାଙ୍କ ପରାମର୍ଶରେ ବିମାନକୁ ଜରୁରୀ ଅବତରଣ କରିବା ଉଦ୍ୟମ ଆରମ୍ଭହେଲା। ସେହି ସମୟରେ ବିମାନଟି ରାୟପୁର ନିକଟରେ ରହିଥିଲା। ତେଣୁ ସେମାନେ ରାୟପୁରେ ବିମାନ ଅବତରଣ କରାଇବାକୁ ଚାହିଁଲେ। କିନ୍ତୁ ରାୟପୁର ଏଟିସିର ସେମାନଙ୍କ ଫ୍ରିକ୍ୱେନ୍ସି ଗ୍ରହଣ କରିବାର ସାମର୍ଥ୍ୟ ଓ କ୍ଷମତା ନଥିଲା। ଠିକ୍‍ ସେତିକିବେଳେ ମୁମ୍ବଇରୁ କୋଲକାତା ଯାଉଥିବା ଇଣ୍ଡିଗୋର ଏକ ବିମାନ ଏହି ବାଂଲାଦେଶୀ ବିମାନର ବାର୍ତ୍ତାକୁ ଠାବ କରିବାପରେ ତାହା କୋଲକାତା ଏୟାର ଟ୍ରାଫିକ କଂଟ୍ରୋଲକୁ ଜଣାଇଲା। କୋଲକାତାଠାରୁ ରାୟପୁର ଏଟିସିକୁ ଖବର ଦିଆଗଲା। କିନ୍ତୁ ବାଂଲାଦେଶୀ କ୍ରିୟୁଙ୍କ ନିକଟରେ ରାୟପୁର ବିମାନ ବନ୍ଦରର ନାଭିଗେସନ ଚାର୍ଟ ନଥିଲା। ଏ କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇଥିଲେ ଇଣ୍ଡିଗୋ ବିମାନ କ୍ରିୟୁ। ସେମାନେ ବରାବର ରେଡିଓ ସଂଯୋଗ ସ୍ଥାପନ କରି ବାଂଲାଦେଶୀ ବିମାନକୁ ରାୟପୁରରେ ନିରାପଦରେ ଅବତରଣ କରାଇଥିଲେ। ବିମାନଯାତ୍ରୀ ଆଶ୍ୱସ୍ତ ହେଲେ, କିନ୍ତୁ ସେତିକିରେ ସେମାନଙ୍କର ଦୁଃଖ ସରିଲା ନାହିଁ। କଷ୍ଟମସ୍‍ ଏବଂ ଇମ୍ମିଗ୍ରେସନ କ୍ଲିଅରାନ୍ସ ନଥିବାରୁ ବିମାନ ଯାତ୍ରୀ ବିମାନ ମଧ୍ୟରେ ୨୭ଘଣ୍ଟା ବସିରହିଲେ। ୟୁନାଇଟେଡ ଏୟାରୱେଜ୍‍ର ଏକ ବିମାନ ଅଗଷ୍ଟ ୮ତାରିଖ ସକାଳା ୧୦.୨୭ରେ ରାୟପୁରରେ ପହଞ୍ଚି ସେମାନଙ୍କୁ ସ୍ଥାନାନ୍ତର କରିଥିଲା। ସେବେଠାରୁ ବିମାନଟି ରାୟପୁରରେ ଅଟକି ରହିଛି। ପରବର୍ତ୍ତୀ ସମୟରେ ୟୁନାଇଟେଡ ଏୟାରୱେଜ ବିପୁଳ କ୍ଷତିର ସମ୍ମୁଖୀନ ହେବାରୁ ୨୦୧୬ରୁ ତାହା ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି।

Comments are closed.