ନିର୍ଦ୍ଧାରିତ ଉଚ୍ଚତାକୁ ଉଠି ନ ପାରି କୋଠାରେ ପିଟି ହୋଇଗଲା ବିମାନ, ୯ ମୃତ

ନୁର୍‌ ସୁଲତାନ: କାଜାଖସ୍ତାନରେ ଶୁକ୍ରବାର ବେକ୍‌ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଅଲ୍‌ମାଟୀ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ବିମାନରେ ୧୦୦ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ବିମାନବନ୍ଦର ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ବିମାନଟି କାଜାଖସ୍ତାନର ବଡ଼ ସହର ଅଲମାଟୀରୁ ରାଜଧାନୀ ନୁର୍‌ ସୁଲତାନ ଯାଉଥିଲା। ବିମାନରେ ୯୫ ଯାତ୍ରୀ ଏବଂ ୫ ଜଣ କର୍ମଚାରୀ ଥିଲେ।  ଅଲମାଟୀ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ସମୟରେ ନିର୍ଦ୍ଧାରିତ ଉଚ୍ଚତାକୁ ଉଠିପାରି ନ ଥିଲା। ଫଳରେ କିଛି ବାଟ ଯିବା ପରେ ଏକ ୨ ମହଲା କୋଠାରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ବିମାନଟି ଚୁରମାର ହୋଇଯାଇଛି। ସୌଭାଗ୍ୟବଶତଃ ଅଧିକାଂଶ ଯାତ୍ରୀ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। କ’ଣ ପାଇଁ ଏଭଳି ଦୁର୍ଘଟଣା ଘଟିଥିଲା ତାହାର ଯାଞ୍ଚ ଲାଗି ଏକ କମିଟି ଗଠନ କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତ୍ତାବରଣ ଲାଗି ରହିଛି।

Comments are closed.