ଓକିଲଙ୍କ ନାଁରେ ମାମଲା ରୁଜୁ ନେଇ ସଂଘର ଉଦବେଗ

ଧର୍ମଗଡ : ନିଜ ମହକିଲକୁ ସୁରକ୍ଷା ଦେବା ହେଉଛି ଜଣେ ଆଇନଜୀବୀର କର୍ତ୍ତବ୍ୟ ।ଏହି କର୍ତ୍ତବ୍ୟକୁ କରିବାକୁ ଯାଇ ଜଣେ ବରିଷ୍ଠ ଓକିଲ ନିଜେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି। ଅଭିଯୁକ୍ତମାନଙ୍କୁ ପ୍ରରୋଚିତ କରୁଥିବା ଅଭିଯୋଗରେ ପୁଲିସ ଓକିଲଙ୍କ ନାଁରେ ଏକ ମକଦ୍ଦମା ରୁଜୁ କରିଛି। ଯାହା ବେଆଇନ ଏବଂ ନିନ୍ଦନିୟ ବୋଲି ବୁଧବାର ହୋଟେଲ ରୟାଲ ପ୍ୟାଲେସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓକିଲ ସଂଘ ପ୍ରକାଶ କରିଛି। ଏନେଇ ଉଦବେଗ ପ୍ରକାଶ କରିବା ସହ ପୁଲିସ ଏଭଳି ମେନୋଭାବ ରଖିଲେ ଆଗାମୀ ଦିନରେ ଆଇନଗତ ସହାୟତା ଯୋଗାଇବାକୁ ଓକିଲମାନେ ପଛଘୁଞ୍ଚା ଦେବେ ବୋଲି ସଂଘ କହିଛି।

ସୂଚନା ଅନୁଯାୟୀ, ଧର୍ମଗଡ ଥାନା ଅନ୍ତର୍ଗତ ଇଚ୍ଛାପୁର ଗାଁର ଏକ ବିବାଦୀୟ ଜମିରୁ ଧାନ କାଟି ଆଣିବା ନେଇ ଧର୍ମଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଓକିଲ ଶ୍ରୀ ତୁଷାର ପାଟ୍ଟଯୋଷୀ ଓ ତାଙ୍କ ମହକିଲ ଯୌବନ ବାଗ ତାଙ୍କ ଜମିରୁ ଧାନ କାଟି ଆଣିଥିବାନେଇ ପରମାନନ୍ଦ ବାଗ ନାମକ ଜନୈକ ବ୍ୟକ୍ତି ଧର୍ମଗଡ ଥାନାରେ ଏତଲା କରିଥିଲେ। ଯାହାକୁ ଭିତ୍ତି କରି ଧର୍ମଗଡ ଥାନାରେ ଓକିଲ ଶ୍ରୀ ପାଟ୍ଟଯୋଷୀଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି। ଇଚ୍ଛାପୁର ମୌଜାର ୨୨ଏକର ୨୮ଡିସିମିଲ ଜମିକୁ ନେଇ ଧର୍ମଗଡ କୋର୍ଟରେ ଏକ ମାମଲା ବିଚାରଧୀନ ରହିଛି। ଏହି ଜମି ଯୌବନ ବାଗ୍, ଇନ୍ଦ୍ର ବାଗ୍ ଓ ତାଙ୍କ ବାପା, ଜେଜେ ବାପା ମଦନ ଗଉଡଙ୍କ ନାଁରେ ରେକର୍ଡ ଦରଜ ହୋଇ ଭୋଗ ଦଖଲ କରିଆସୁଛନ୍ତି। ଯୌବନଙ୍କ ପକ୍ଷରୁ ଓକିଲ ଶ୍ରୀ ପାଟ୍ଟଯୋଷୀ ମକଦ୍ଦମା ପରିଚାଳନା କରୁଛନ୍ତି। ଏହା ଏକ ଇଜମାଇଲ ପୈତୃକ ସଂପତ୍ତି ହୋଇଥିବାରୁ ଏହାକୁ ନେଇ ବିବାଦ ରହିଥିବାବେଳେ କୋଟଁ ଏହାକୁ ତିନି ପକ୍ଷ ମଧ୍ୟରେ ସମାନ ଭାଗ ବଣ୍ଟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କୋର୍ଟ ତରଫରୁ କୌଣସି ଅମିନ ଯାଇ ମାପଚୁପ କରିନଥିବାରୁ ଭାଗବଣ୍ଟା ହୋଇପାରି ନାହିଁ। ଏପରିସ୍ଥଳେ ଯୌବନ, ଇନ୍ଦ୍ର ଓ ମଦନ ବିବାଦିୟ ଜମିରେ ଧାନ ବୁଣି ଅମଳ କରିବା ପରେ ଅପର ପକ୍ଷ ଅର୍ଥାତ ପରମାନନ୍ଦ ବାଗ୍ ଜମିର ମାଲିକାନା ଦାବୀ କରି ଅମଳ ଧାନ ଫେରେଇ ଦେବାକୁ ପୁଲିସରେ ଏତଲା ଦେଇଥିଲେ। ଏହା ଏକ ଜମିଜମା ମାମଲା ହୋଇଥିବାବେଳେ ପୁଲିସ ସେଠାରେ ଅନ୍ୟ କୌଣସି ଧାରା ଲଗାଇ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖିବା ବଦଳରେ ଧାନ ଫେରେଇ ଦେବାକୁ ଚାପ ପ୍ରାୟୋଗ କରିବା ସହ ଓକିଲ ଏବଂ ମହକିଲଙ୍କ ନାଁରେ ମାମଲା ରୁଜୁ କରିବା ନିନ୍ଦନିୟ ବୋଲି ଓକିଲ ସଂଘ ପ୍ରକାଶ କରିଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ ଓକିଲ ସଂଘ ସଭାପତି ପ୍ରଦୀପ କୁମାର ଦାସ, ସନ୍ତୋଷ ମେହେର, ଦିଗାମ୍ବର ଦୂରିଆ, ତୁଷାର ପାଟ୍ଟଯୋଷୀ, ସୁବାଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏନେଇ ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ନାରାୟଣ ନାଏକଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ ହୋଇଛି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ। ଓକିଲଙ୍କ ସଂପୃକ୍ତି ନଥିଲେ ତାଙ୍କ ନାଁ କଟିଯିବ ବୋଲି କହିଥିଲେ।

Comments are closed.