‘ଆଡଭୋକେଟ୍ସ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ’ ବାଧ୍ୟତାମୂଳକ ନିଷ୍ପତ୍ତି : କାର୍ଯ୍ୟକାରୀ ପ୍ରସଙ୍ଗକୁ ସ୍ଥଗିତ ରଖିଲା ଆଇନଜୀବୀ ପରିଷଦ

କଟକ : ପ୍ରତି ଓକିଲାତିନାମାରେ ଶହେ ଟଙ୍କାର ଆଡଭୋକେଟ୍ସ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ଏବେ ଆଇନଜୀବୀଙ୍କୁ ଦେବାକୁ ପଡିବ ନାହିଁ। ଓକିଲାତନାମାରେ ଏହି ଷ୍ଟାମ୍ପ ସଂଲଗ୍ନ ବାଧ୍ୟତାମୂଳକ ସମ୍ପର୍କିତ ନଷ୍ପତ୍ତି କାର୍ଯ୍ୟକାରୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସ୍ଥଗିତ ରଖାଯାଇଛି।
ଏ ନେଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ରାଜ୍ୟର ସମସ୍ତ ଆଇନଜୀବୀ ସଂଘକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଏବେ ଦେଖା ଦେଇଥିବା ପରିସ୍ଥିତିରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଆଡଭୋକେଟ୍ସ ୱେଲଫେୟାର କର୍ପସ୍ ଫଣ୍ଡ ନିୟମାବଳୀର ନିୟମ ୨୫ ଅନୁସାରେ ପ୍ରତି ଓକିଲାତିନାମା ଓ ମେମୋ ଅଫ୍ ଆପିୟରାନ୍ସ ଦାଖଲ କରିବା ସମୟରେ ଶହେ ଟଙ୍କିଆ ଆଡଭୋକେଟ୍ସ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂଲଗ୍ନ ବାଧ୍ୟତାମୂଳକ ନିୟମ କାର୍ଯ୍ୟକାରୀ ସ୍ଥଗିତ ରଖାଯାଇଛି ବୋଲି ବିଭିନ୍ନ ଆଇନଜୀବୀ ସଂଘକୁ ମିଳିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ସ୍ଥଗିତ ରଖାଯାଇଥିବା ସ୍ପଷ୍ଟ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟର ସମସ୍ତ ଆଇନଜୀବୀ ଅଦାଲତରେ ଓକିଲାତିନାମା ଓ ମେମୋ ଅଫ୍ ଆପିୟରାନ୍ସ ଦାଖଲ କରିବା ସମୟରେ ଏହି ଷ୍ଟାମ୍ପ ମେ ୧୪ରୁ ସଂଲଗ୍ନ କରିବେ ବୋଲି ଏପ୍ରିଲ ୨୮ରେ ରାଜ୍ୟ ଆଇନଜୀବୀ ପରିଷଦ ନିଷ୍ପତ୍ତି ନେଇଥିଲା। ଅନ୍ୟପକ୍ଷରେ ଓକିଲାତିନାମାରେ ଆଡଭୋକେଟ୍ସ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂଲଗ୍ନ ବାଧ୍ୟତାମୂଳକ ପ୍ରସଂଗକୁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ବିରୋଧ କରାଯାଇଥିଲା। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ୱେଲଫେୟାର କର୍ପସ୍ ଫଣ୍ଡ୍ ନିୟମାବଳୀ, ୨୦୨୦କୁ ପ୍ରତ୍ୟାହାର ପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଥିଲା।
ଏହି ନିୟମାବଳୀ ଆଇନଜୀବୀଙ୍କ ସ୍ବାର୍ଥ ବିରୋଧୀ ବୋଲି ହାଇକୋର୍ଟ ବାର୍ ପକ୍ଷରୁ ଦର୍ଶାଯାଇଥିଲା। ରାଜ୍ୟର ଅନ୍ୟ ଆଇନଜୀବୀ ସଂଘ ଗୁଡିକ ମଧ୍ୟ ଏପରି ଷ୍ଟାମ୍ପକୁ ବିରୋଧ କରିଥିଲେ। ଏହା ପରେ ଏହି ଷ୍ଟାମ୍ପ ବଧ୍ୟତାମୂଳକ ନିଷ୍ପତ୍ତିକୁ ପରିଷଦ ସ୍ଥଗିତ ରଖିଥିଲା।

Comments are closed.