ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ପରଲୋକ

ଭୁବନେଶ୍ବର/କଟକ : ବରିଷ୍ଠ ଆଇନଜୀବୀ, ପୂର୍ବତନ ଆଡ଼ଭୋକେଟ ଜେନେରାଲ ତଥା ବିଶିଷ୍ଟ ରାଜନେତା ଜୟନ୍ତ ଦାସଙ୍କର ଶୁକ୍ରବାର ଅପରାହ୍ଣରେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। କିଛିଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କୁ ୭୭ ବର୍ଷ ହେଇଥିଲା। ସତ୍ୟନଗର ଶ୍ମଶାନରେ ପରିବାର, ବନ୍ଧୁ ପରିଜନ ଓ ଶୁଭେଚ୍ଛୁ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସନ୍ଧ୍ୟାରେ ତାଙ୍କର ଶବ ସତ୍କାର କରାଯାଇଛି। ପୁତ୍ର ଆଇନଜୀବୀ ଆଦିତ୍ୟ ମୁଖାଗ୍ନି ଦେଇଥିଲେ। ଏହି ଅବସରରେ କନିଷ୍ଠ ଭ୍ରାତା ଆଇନଜୀବୀ ଯଶୋବନ୍ତ ଦାସ, ସମାଜସେବୀ ବିବେକାନନ୍ଦ ପାଣିଗ୍ରାହୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ସ୍ବର୍ଗତ ଜଷ୍ଟିସ ନବକୁମାର ଦାସଙ୍କ ସୁପୁତ୍ର ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅଣନାତି ଥି‌ଲେ ଶ୍ରୀ ଦାସ। କାଦୁଆସ୍ଥିତ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘର ସଭାପତି ଭାବେ ସେ କାର୍ଯ୍ୟ କରିଥିଲେ। କଟକ ଜିଲା ସାଲେପୁର ଜିଗିନିପାଟପୁର ନିବାସୀ ସ୍ବର୍ଗତ ଦାସ ଆଲାଏଡ ସର୍ଭିସ୍‌ ଆକାଉଣ୍ଟାଣ୍ଟ ଜେନେରାଲ ପଦରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଇଂରାଜୀ ଦୈନିକ ‘ହିନ୍ଦୁସ୍ତାନ ଟାଇମ୍‌ସ’ରେ କିଛିଦିନ ସାମ୍ବାଦିକତା କରିଥିଲେ। କଟକରୁ ପ୍ରକାଶିତ ଇଂରାଜୀ ସାପ୍ତାହିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ର ସେ ମଧ୍ୟ ସମ୍ପାଦକ ଥିଲେ। ପରେ ସେ ଆଇନଜୀବୀ ଭାବେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ଥିଲେ। ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ଭାବେ ତାଙ୍କ ଅବଦାନ ଅତୁଳନୀୟ। ସ୍ବର୍ଗତ ଦାସଙ୍କ ପତ୍ନୀ ସରିତା ଜୟନ୍ତୀ ଦାସ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଏବଂ ପୁତ୍ର ଆଦିତ୍ୟ ଦାସ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଭାବେ ବେଶ୍‌ ପରିଚିତ। ବରିଷ୍ଠ ଆଇନଜୀବୀ ସ୍ବର୍ଗତ ଦାସଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ତଥା କାଦୁଆ ଆଶ୍ରମର ଆଜୀବନ ସଦସ୍ୟ ଶ୍ରୀ ନିରଞ୍ଜନ ରଥ ମଧ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି।
ଜୟନ୍ତ ଦାସଙ୍କ ବିୟୋଗରେ ହାଇକୋର୍ଟ ବାର୍‌ ଆସୋସିଏସନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ, ଉପସଭାପତି ଦେବୀପ୍ରସାଦ ଦାସ, ସମ୍ପାଦକ ଜିତେନ୍ଦ୍ର କୁମାର ଲେଙ୍କା, ଆଇନଜୀବୀ କାଳୀପ୍ରସନ୍ନ ମିଶ୍ର ଓ ଦେବସ୍ନାନ ଦାସ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ସଭାପତି ଜ୍ଞାନରଞ୍ଜନ ମହାନ୍ତି ଓ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ତ୍ରିପାଠୀ ଗଭୀର ଶୋକ ପ୍ରକାଶ କରିବା ସହିତ ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି, ସ୍ବର୍ଗତ ଦାସ ଆଇନଜୀବୀଙ୍କ ପାଇଁ ଏକ ଅନୁଷ୍ଠାନ ଥିଲେ। ସ୍ବର୍ଗତ ଦାସଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Comments are closed.