କଣ୍ଠଶିଳ୍ପୀ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବାକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଜାନୁଆରୀ ୨୫ ତାରିଖରେ କେନ୍ଦ୍ର ସରକାର ୨୦୨୦ ବର୍ଷର ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଛନ୍ତି। ଏହି ତାଲିକାରେ ବଲିଉଡ଼ କଣ୍ଠଶିଳ୍ପୀ ଅଦନାନ ସାମୀଙ୍କ ନାମ ରହିଛି। ଏହାକୁ ନେଇ ରାଜନୀତି ଜୋର ଧରିଛି। ସାମୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବା ପ୍ରସଙ୍ଗକୁ ନେଇ ରବିବାର କଂଗ୍ରେସର ପ୍ରବକ୍ତା ତଥା ବରିଷ୍ଠ ନେତା ଜୟଭୀର ଶେରଗିଲ ପ୍ରଶ୍ନ କରିବା ସହ କଟାକ୍ଷ କରିଛନ୍ତି।

କଂଗ୍ରେସ ପ୍ରବକ୍ତା ଜୟଭୀର ଶେରଗିଲ ପ୍ରଶ୍ନ କରିଛନ୍ତି ଯେ, କାରଗିଲ ଯୁଦ୍ଧରେ ସାମିଲ ଥିବା ସେନା ସନାଉଲ୍ଲାହଙ୍କୁ ବିଦେଶୀ ଘୋଷଣା କରାଯାଇଥିବା ବେଳେ ସାମୀଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଉଛି କିପରି? ସାମୀଙ୍କ ବାପା ପାକିସ୍ତାନ ବାୟୁସେନାରେ ରହି ଭାରତ ବିରୋଧରେ ଯୁଦ୍ଧ ଲଢିଥିଲେ ।

ଶେରଗିଲ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଭାରତୀୟ ସେନାର ସିପାହୀ ଓ ଭାରତ ମାତାର ପୁତ୍ର ମୋହମ୍ମଦ ପାକିସ୍ତାନ ବିରୋଧରେ କାରଗିଲ ଯୁଦ୍ଧ ଲଢିଥିଲେ। ଏନଆରସି ତରଫରୁ ତାଙ୍କୁ ବିଦେଶୀ ଘୋଷଣା କରାଯାଇଛି। କିନ୍ତୁ ପାକିସ୍ତାନ ବାୟୁସେନାରେ ରହି ଭାରତ ବିରୋଧରେ ଯୁଦ୍ଧ ଲଢିଥିବା ସେନାର ପୁଅ ଅଦନାମ ସାମୀକୁ ପଦ୍ମଶ୍ରୀ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି। ଏହା କିପରି ସମ୍ଭବ ବୋଲି ଶେରଗିଲ ପ୍ରଶ୍ନ କରିଛନ୍ତି। ବିଜେପି ସରକାର ଚମଚାଗିରି କରୁଥିବା ଲୋକଙ୍କୁ ପଦ୍ମଶ୍ରୀ ସମ୍ମାନ ଦେଇଉଛନ୍ତି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି।

କିନ୍ତୁ ଅପରପକ୍ଷରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ସାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ପ୍ରସିଦ୍ଧ ଗାୟକ ଏବଂ ସଙ୍ଗୀତକାର ତଥା ପାକିସ୍ତାନୀ ମୁସଲମାନ ପ୍ରବାସୀ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳୁଥିବାରୁ ମୁଁ ବହୁତ ଖୁସୀ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସାମୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ମୁଁ ସରକାରଙ୍କୁ ସୁପାରିଶ କରିଥିଲେ। ମୋଦୀ ସରକାର ତାଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ପାକିସ୍ତାନର ମୂଳ ବାସିନ୍ଦା ଅଦନାନ ସାମୀ କିଛି ବର୍ଷ ପୂର୍ବରୁ ଭାରତର ନାଗରିକତା ହାସଲ କରିଥିଲେ। ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି।

Comments are closed.