୮ ପୁଲିସ କର୍ମଚାରୀଙ୍କ ହତ୍ୟାକାରୀ ବିକାଶ ଦୁବେର ଘର ଭାଙ୍ଗିଲା ପ୍ରଶାସନ

କାନପୁର: ଉତ୍ତରପ୍ରଦେଶର କାନ୍‌ପୁର ଅନ୍ତର୍ଗତ ଚୌବେପୁରରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେ ବିରୋଧରେ ପୁଲିସ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଗୋଟିଏ ପଟେ ପୁଲିସ ବିକାଶକୁ ଖୋଜୁଥିବାବେଳେ ଅନ୍ୟପଟେ ପ୍ରଶାସନ ପକ୍ଷରୁ ଶନିବାର ତା’ର ଘରକୁ ଭଙ୍ଗାଯାଇଛି। ପ୍ରଶାସନର ଏକ ଟିମ୍‌ ବିକ୍ରୁ ଗାଁରେ ପହଞ୍ଚି ଜେସିବି ସହାୟତାରେ ବିକାଶ ଦୁବେର କିଲେନୁମା ଘର ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛି। ଅନ୍ୟପଟେ ବିକାଶର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତି ଜବତ କରିବାକୁ ମଧ୍ୟ ପ୍ରଶାସନ ପଦେକ୍ଷପ ନେବା ଆରମ୍ଭ କରିଛି।

ଅନ୍ୟପଟେ ଚୌବେପୁର ଏନକାଉଣ୍ଟରରେ ଚୌବେପୁର ଏସଓ ବିନୟ ତିୱାରୀଙ୍କ ଭୂମିକା ସନ୍ଦେହଘେରରେ ଥିବାରୁ କାନପୁର ଆଇଜି ତାଙ୍କୁ ନିଲମ୍ବିତ କରିଛନ୍ତି। ଏସଟିଏଫର ଏକ ଟିମ୍‌ ବିନୟଙ୍କୁ ଏନକାଉଣ୍ଟର ସମ୍ପର୍କରେ ପଚରାଉଚରା କରୁଛି। ବିକାଶର କଲ୍‌ ଡିଟେଲ୍ସ ପୁଲିସକୁ ମିଳିଛି। ସେଥିରେ ବିକାଶ ନମ୍ବରରୁ କିଛି ପୁଲିସ କର୍ମଚାରୀଙ୍କ ନିକଟକୁ କଲ୍‌ ଯାଇଛି। ସେହି ପୁଲିସ କର୍ମଚାରୀଙ୍କୁ ଏସଟିଏଫ ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ବିକାଶ ଦୁବେ ହେଉଛି ଉତ୍ତରପ୍ରଦେଶର ମୋଷ୍ଟ ୱାଣ୍ଟେଡ ଅପରାଧୀ। ମନ୍ତ୍ରୀଙ୍କୁ ହତ୍ୟାଠାରୁ ଆରମ୍ଭ କରି ବଡ଼ ବଡ଼ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡରେ ତା’ର ସମ୍ପୃକ୍ତି ରହିଛି। ନିକଟରେ ତା’ ନାଁରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହେବା ପରେ ପୁଲିସ ଗତ ଗୁରୁବାର ରାତିରେ ବିକାଶ ଦୁବେକୁ ଗିରଫ କରିବା ଲାଗି ବିକ୍ରୁ ଗାଁକୁ ଯାଇଥିଲା। ଗାଁରେ ପହଞ୍ଚିବା ପରେ ବିକାଶ ଓ ତାର ସହଯୋଗୀ ଅପରାଧୀମାନେ ପୁଲିସ କର୍ମଚାରୀଙ୍କୁ ଘେରିଯାଇ ଏକେ-୪୭ରୁ ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ଡିଏସପିଙ୍କ ସମେତ ୮ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ବିକାଶକୁ ଧରିବା ଲାଗି ଉତ୍ତରପ୍ରଦେଶ ଡିଜିବି ରାଜ୍ୟ ପୁଲିସ ବିଭାଗକୁ ୪୮ ଘଣ୍ଟାର ମହଲତ ଦେଇଛନ୍ତି, ଯେଉଁଥିରୁ ୨୪ ଘଣ୍ଟା ପୂରିଯାଇଛି।

Comments are closed.