ସହରୀ ଚାକଚକ୍ୟରେ ଜନଜାତି କାରିଗର ଓ କାରିଗରୀ

ଭୁବନେଶ୍ବର: ଓଡ଼ିଶାରେ ଜନଜାତି ଉଣା ଅଧିକେ ସମସ୍ତେ କାରିଗର କହିଲେ ଅତ୍ୟୁକ୍ତି ହେବ ନାହିଁ। ସଂଗୀତ କଳା ହେଉ, ନୃତ୍ୟକଳା ହେଉ ଅବା ଚିତ୍ରକଳା ବା ବସ୍ତୁକଳା; ପ୍ରତ୍ୟେକରେ ସେମାନେ ଧୂରୀଣ। ସଂଗୀତ ଓ ନୃତ୍ୟକୁ ନେଇ ତାଙ୍କ ଅଭିବ୍ୟକ୍ତି ରହିଛି “ସେନ୍‌ଗେ ସୁସୁନ କା ଜଣେ ଦୁରାଂ” ଅର୍ଥାତ୍ “ଚାଲିଲେ ନାଚ କହିଲେ ଗୀତ”। ଏହା ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ପାଇଁ ପ୍ରଯୁଜ୍ୟ। ହାତରେ କାତିଟାଏ ବା କତୁରୀଟାଏ ଯଦି ଅଛି, ବଣରେ, ଡଙ୍ଗରରେ, ହାତ ଖାଲି ରହିବନି କିଛି ନା କିଛି କାରିଗରୀ ଚାଲୁଥିବ ବାଉଁଶ କଣି, ପାତିଆ, କାଠ, ଛାଲି, ତନ୍ତୁ, ଘାସ, ଫଳ, ମଞ୍ଜି, ପତ୍ର, ପ୍ରତ୍ୟେକରେ କିଛି ନା କିଛି ଯାଦୁଗରୀ ଦେଖାଇବାରେ ତାଙ୍କର ପଟୁତା ରହିଛି। ନିଜ ପାଇଁ, ନିଜ ପ୍ରିୟଜନ ପାଇଁ ଏହି କାରିଗରୀ ଉଦ୍ଦିଷ୍ଟ। ବ୍ୟବସାୟ ପାଇଁ ନୁହେଁ।
ସମୟ ବଦଳିଛି ତା ସହିତ ବଦଳିଛି ଜନଜାତିଙ୍କ ମାନସିକତା, କଳା ପାଇଁ କଳା ପ୍ରବୃତିରୁ କ୍ରମଶ ଜନଜାତି ଜୀବନ ପାଇଁ କଳାକୁ ଆପଣାଇବାରେ ଲାଗିଛି। ବାହ୍ୟ ସମାଜ ସଂସ୍କୃତି କଳା ଜଗତ ସଂସ୍ପର୍ଶରେ ଆସି ସେ ଦେଖିଛି ହାଟରେ, ବଜାରରେ, ଯାନିଯାତ୍ରାରେ ବିଭିନ୍ନ କଳାବସ୍ତୁର ସମ୍ଭାର। ତା’ର ଆଦର ଓ ମୂଲ୍ୟ। ସେ ଧିରେ ଧିରେ ବଜାର ଆଡକୁ ଅଗ୍ରସର ହୋଇଛି। ଆଉ ଏଇ ମାତ୍ରାରେ ବିଭିନ୍ନ ସମୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସହଯୋଗ ସହ ଦକ୍ଷତା ବିକାଶ ବୃଦ୍ଧି କରାଇଛି। ବଜାରଟାଏ ସୃଷ୍ଟି କରାଇ ଜନଜାତି କଳାର ଆଦରକୁ ଲୋକାଭିମୁଖୀ କରାଇବାରେ ଚେଷ୍ଟିତ ହୋଇଛି। ଜନଜାତି ସମାଜ ବୁଝିଛି, ତାର ପ୍ରସ୍ତୁତ କଳା ସାମଗ୍ରୀର ଚାହିଦା ରହିଛି। ଆୟର ପନ୍ଥା ସୃଷ୍ଟି ହୋଇପାରିବ। ଜୀବନ ଜୀବିକା ପାଇଁ ଏହା ଏକ ରାସ୍ତା ହୋଇପାରିବ।


ଆଦିବାସୀ ମେଳା ଜନଜାତି କାରିଗର ମାନଙ୍କୁ ଲୋକ ଲୋଚନକୁ ଆଣିବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବଜାର ସୃଷ୍ଟି କରାଇବା ପାଇଁ ବିଧିବଦ୍ଧ ପଦକ୍ଷେପ ନେଇ ପୂର୍ବବର୍ଷ ମାନଙ୍କରେ ସ୍ୱତନ୍ତ୍ର ପ୍ରଭାଗରେ ବିକ୍ରିବଟାର ସୁଯୋଗ ସୃଷ୍ଟି କରାଯାଇଥିଲା। ଏହଳାକୁ ଆହୁରି ଆଗକୁ ବଢ଼ାଇବାକୁ କାରିଗରମାନଙ୍କୁ ନେଇ ଦକ୍ଷତା ବିକାଶ ତାଲିମ ଦିଆଯାଇ ତାଙ୍କ ଉତ୍ପାଦିତ କଳା ଓ କଳାବସ୍ତୁକୁ ବଜାର ସହିତ ସଂଯୋଗ କରିବା ପାଇଁ ବିଭାଗ ତରଫରୁ ପଦକ୍ଷେପ ସ୍ୱରୂପ ରାଜ୍ୟ ଜନଜାତି ସଂଗ୍ରହାଳୟ ମାଧ୍ୟମରେ ତାଲିମ ଓ ପ୍ରଦର୍ଶନ କ୍ଷେତ୍ର ପ୍ରସ୍ତୁତ କରାଗଲା। ବିଗତ ବର୍ଷ ଆଦିବାସୀ ମେଳାରେ ଏହଳାର ଭବ୍ୟ ପ୍ରଦର୍ଶନ ଆଦିବାସୀ କଳା ଓ କଳାବସ୍ତୁର ମହତ୍ୱକୁ ସୁଦୂର ପ୍ରସାରୀ କରିଥିଲା।


ଚଳିତ ବର୍ଷ ଆଦିବାସୀ ମେଳା -୨୦୨୧ରେ କିଛିଟା ପରିବର୍ତ୍ତନ ପରିଲକ୍ଷିତ ହୋଇଛି। କୋଭିଡ୍ ମହାମାରୀ ଯୋଗୁଁ ଆଦିବାସୀ ମେଳାର ଆକାର ସଂକ୍ଷିପ୍ତ କରାଯାଇଛି। କେବଳ କୃଷିଜାତ ଓ ବନଜାତ ସାମଗ୍ରୀର ବିକ୍ରିବଟାର ସୁଯୋଗ ସୃଷ୍ଟି କରାଯାଇଛି। ସେ ଭିତରେ ଜନଜାତି କାରିଗର ନିଜ ପ୍ରସ୍ତୁତ କଳା ସାମଗ୍ରୀକୁ ଆଣି ବିକ୍ରି କରିବାର ଲୋଭ ସମ୍ବରଣ କରିପାରି ନାହାନ୍ତି।
ମେଳାର ମଉଜ ନେବା ଅବସରରେ ଆମର ସାକ୍ଷାତ ହୋଇଥିଲେ ରାଇରଙ୍ଗପୁର ଆଇଟିଡିଏ ତରଫରୁ ଯୋଗ ଦେଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସାଫିକା ଜେରାଇଙ୍କ ସହ। ରାଇରଙ୍ଗପୁରର ଓମ୍ ସାଇ ପ୍ରଡକ୍ଟ ଅଧିନରେ ବାଉଁଶ କାରିଗରୀରେ ଛ’ ମାସିଆ ତାଲିମ ନେବା ମଧ୍ୟରେ ନିଜର ଦକ୍ଷତା ବିକାଶ କରି ଭିନ୍ନ ଭିନ୍ନ ଆକୃତିର କଳା ସାମଗ୍ରୀ ପ୍ରସ୍ତୁତ କରିବାରେ ନିଜର ପାରିବା ପଣିଆ ଦେଖାଇଛନ୍ତି। ତାର ଉପଯୁକ୍ତ ବଜାର ହିସାବରେ ଆଦିବାସୀ ମେଳର ଖ୍ୟାତି ଥିବାର ଜାଣି ସେ ସୁଦୂର ରାଇରଙ୍ଗପୁରରୁ ଆଇଟିଡିଏ ମାଧ୍ୟମରେ ଆସିଛନ୍ତି ମେଳାକୁ। ସୁନ୍ଦର କଳାବସ୍ତୁ, ଶସ୍ତାଦାମ, ଗରାଖ ମନଲାଖି ବିକିବାର ସୁଯୋଗ ଟାଏ ପାଇଛନ୍ତି।


ଆମର ପ୍ରଶ୍ନ ଥିଲା ଏହାକୁ ଜିବୀକା ହିସାବରେ ନେଇ ପାରିବା ର ତ ? ସେ ହସି ହସି ଉତର ଦେଲେ ଆଦିବାସୀ ମେଳା ପରି ସୁନ୍ଦର ବଜାର ପାଇଲେ ଏହାକୁ ବୃତି ହିସାବରେ ଗ୍ରହଣ କରିହେବ। ଗ୍ରାହକଙ୍କ ଆବଶ୍ୟକତା ଦେଖି କାରିଗରକୁ ଦକ୍ଷ ହେବାକୁ ପଡ଼ିବ। ଭବିଷ୍ୟତରେ ଡିଜାଇନ୍ ବିକାଶ କରିବାରେ ମୁଁ ସକ୍ଷମ ହେବି ବୋଲି ଭାବୁଛି। ଭୁବନେଶ୍ୱର ବଜାରରେ ଅନେକ ନୂତନ ବିଷୟ ଜାଣିବାର ଅଛି। ତାକୁ କଳାତ୍ମକ ଭାବରେ ଫୁଟାଇ ପାରିଲେ ଚାହିଦା ମେଂଟାଇ ହେବ। ଝିଅର ଆତ୍ମବିଶ୍ୱାସ ଦେଖି ଆମର ବିଶ୍ୱାସ ଦୃଢ଼ ହେବାରେ ଲାଗିଲା। ଜନଜାତି କାରିଗରଙ୍କ କାରିଗରୀ କୁ ବଂଚାଇବାରେ ଆଦିବାସୀ ମେଳା ଏକ ପ୍ରକୃଷ୍ଟ ମଞ୍ଚ ହୋଇ ଉଭା ହୋଇଥିବାର ଏହା ଏକ ଉଦାହରଣ ମାତ୍ର।

Comments are closed.