ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ଖଇରା ଥାନାରେ ମାମଲା ରୁଜୁ କଲେ ଚିନ୍ମୟୀ

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶ ଆତ୍ମହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ଘଟଣାରେ ତାଙ୍କର ଜଣେ ପୂର୍ବତନ ପ୍ରେମିକାଙ୍କ ଆବିର୍ଭାବ ଓ ପ୍ରେମ ସମ୍ପର୍କକୁ ସ୍ବୀକାର କରିବା ପରେ ମାମଲା ତଦନ୍ତକାରୀ ଅଧିକାରୀଙ୍କ ନିମନ୍ତେ ଅଧିକ ରହସ୍ୟମୟ ହୋଇ ପଡ଼ିଛି । ଫେସବୁକ୍ ବନ୍ଧୁତାରୁ ପ୍ରେମିକା ପାଲଟିଥିବା ବାଲେଶ୍ବରର ଏହି ଯୁବତୀଙ୍କ ନାଁ ଚିନ୍ମୟୀ ମହାପାତ୍ର ବୋଲି କୁହାଯାଉଛି । ଚିନ୍ମୟୀ ବିଭିନ୍ନ ଗଣମାଧ୍ୟମରେ ତାଙ୍କର ଆଦିତ୍ୟଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ବୀକାର କରିଥିଲେ ହେଁ ତାଙ୍କ ଆତ୍ମହତ୍ୟାକୁ ନେଇ ସନ୍ଦେହପ୍ରକଟ କରିଛନ୍ତି ।
ଆଜି ଆଦିତ୍ୟଙ୍କ ଫେସ୍‌ବୁକ୍‌ ବନ୍ଧୁତାରୁ ପ୍ରେମିକା ପାଲଟିଥିବା ଚିନ୍ମୟୀ ମହାମାତ୍ର ଖଇରା ଥାନାରେ ଏତଲା ଦାୟର କରିଛନ୍ତି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ସହ ବିସ୍ମିତ ଦାଶ ଏବଂ ଅନ୍ୟ କିଛି ଲୋକଙ୍କ ନାମରେ ସେ ଖଇରା ଥାନାରେ ମାମଲା ଦାୟର କରିଛନ୍ତି। ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ୍‌ କରିଥିବା ନେଇ ଏତଲା ଦର୍ଶାଇଥିବାବେଳେ ଏମିତିକି ବିସ୍ମିତ କ୍ରାଇମ୍‌ବ୍ରାଞ୍ଚ ଅଫିସର କହି ଧମକାଇଥିବା ଅଭିଯୋଗ କରିଛନ୍ତି। ଚିନ୍ମୟୀ ମହାପାତ୍ରଙ୍କ ଏତଲା ଅନୁଯାୟୀ ବିସ୍ମିତ, ବିଦ୍ୟାଶ୍ରୀ ଓ ଅନ୍ୟମାନଙ୍କ ନାମରେ ଖଇରା ପୁଲିସ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।


ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ ବିବାହ କରିବା ପୂର୍ବରୁ ତାଙ୍କୁ ପ୍ରେମ କରୁଥିବା ଚିନ୍ମୟୀ ଦାବି କରିଛନ୍ତି । ଫେସବୁକରୁ ସେମାନଙ୍କର ବନ୍ଦୁତା ହୋଇଥିଲା ଓ ତାହା ପରେ ପ୍ରେମ ସମ୍ପର୍କରେ ରୂପାନ୍ତରିତ ହୋଇଥିଲା। ସେ ଆଦିତ୍ୟଙ୍କ ଆଶ୍ରମକୁ ବହୁବାର ଯାଇଥିବା ସ୍ବୀକାର କରିଛନ୍ତି। ମାତ୍ର ଆଦିତ୍ୟଙ୍କ ବିବାହ ପରେ ତାଙ୍କ ସହ କୌଣସି ସମ୍ପର୍କ ନ ଥିବା ସେ କହିଛନ୍ତି।
ତେବେ ଆଦିତ୍ୟଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ତାହା ଏବେ ମଧ୍ୟ ଅନ୍ଧାରରେ ରହିଛି। କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଯେ ସବୁ ଦିଗକୁ ଧରି ତଦନ୍ତ ଜାରି ରହିଛି, ଯେଉଁମାନଙ୍କ ନାଁ ସାମ୍ନାକୁ ଆସୁଛି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ।

Comments are closed.