ଜେଲରେ ପ୍ରତାଡ଼ନାର ଅଭିଯୋଗ ଆଣି କାନ୍ଦି ପକାଇଲେ ସାଧ୍ୱୀ ପ୍ରଜ୍ଞା

ଭୋପାଳ : ଭୋପାଳ ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ଗୁରୁବାର ଏକ କାର୍ଯ୍ୟକ୍ରମରେ ଜେଲରେ ତାଙ୍କ ପ୍ରତି ହୋଇଥିବା ପ୍ରତାଡ଼ନା ବଖାଣି କାନ୍ଦି ପକାଇଥିଲେ। ମାଲେଗାଁଓ ବିସ୍ଫୋରଣ ମାମଲାରେ ତାଙ୍କୁ ଗିରଫ କରାଯାଇ ୯ ବର୍ଷ କାଳ ଜେଲରେ ରଖାଯାଇଥିଲା। ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରୁଥିବା ସମୟରେ ତାଙ୍କ ପ୍ରତି ଜେଲରେ ହୋଇଥିବା ନିର୍ଯାତନା କଥା ସେ କହିଥିଲେ।
ସାଧ୍ୱୀ ପ୍ରଜ୍ଞା କହିଛନ୍ତି ଯେ ତାଙ୍କୁ ଜେଲରେ ପ୍ରବଳ ମାଡ଼ ମରାଯାଉଥିଲା। ପ୍ରଥମ ଦିନରୁ କିଛି ନପଚାରି ଜେଲ କର୍ତ୍ତୃପକ୍ଷ ତାଙ୍କୁ ପିଟୁଥିଲେ। ଯେଉଁ ଦୋଷ କରିନାହାନ୍ତି ତାହା ସ୍ୱୀକାର କରିବେ ନାହିଁ ବୋଲି ସେ ରୋକଠୋକ୍‍ କହିଦେଇଥିଲେ। ତାଙ୍କୁ ପ୍ରଥମେ ବେଆଇନ ଭାବେ ୧୩ ଦିନ ରଖାଯାଇଥିଲା। ଆତଙ୍କବାଦୀ ବୋଲି କୁହାଯାଉଥିଲା ଓ ବେଲ୍ଟରେ ପିଟା ଯାଉଥିଲା। ତାଙ୍କୁ ଦିନ, ରାତି ପିଟା ଯାଉଥିଲା। ଜଣକ ପରେ ଆଉ ଜଣେ କର୍ମଚାରୀ ଆସି ପିଟୁଥିଲେ। ତାଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଥିଲେ। ତାଙ୍କୁ ଓଲଟା ଓହଲାଇ ନିବସ୍ତ୍ର କରି ପିଟିବାକୁ ଧମକ ଦିଆଯାଉଥିଲା। ଏହା କହୁ କହୁ ସାଧ୍ୱୀ ପ୍ରଜ୍ଞା କାନ୍ଦି ପକାଇଥିଲେ।
ପ୍ରକାଶଯୋଗ୍ୟ ଯେ ମାଲେଗାଁଓ ବୋମା ବିସ୍ଫୋରଣ ମାମଲା ଅଭଯୁକ୍ତ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ପ୍ରାୟ ୯ ବର୍ଷ ପରେ ହାଇକୋର୍ଟରୁ ଜାମିନ ମିଳିଛି। ବିଜେପି ତାଙ୍କୁ ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଏହି ଆସନରେ ତାଙ୍କ ଲଢେଇ ସିଧାସଳଖ ଭାବେ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସହ ହେଉଛି। ୩୦ ବର୍ଷ ହେବ ଏହି ଆସନ ବିଜେପି ପାଖରେ ରହିଛି।

Comments are closed.