ଲୋକସଭାରେ କଂଗ୍ରେସ ଦଳର ନେତା ହେଲେ ଅଧୀର ରଂଜନ ଚୌଧୁରୀ

ନୂଆଦିଲ୍ଲୀ : କଂଗ୍ରସର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ ଲୋକସଭାରେ କଂଗ୍ରେସର ନେତା ହେବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପଦ ଗ୍ରହଣ କରିବାକୁ ମନା କରିବା ପରେ ଦଳ ଉପରୋକ୍ତ ନିଷ୍ପତ୍ତି ନେଇଛି। ମଙ୍ଗଳବାର କଂଗ୍ରେସର ଦଳୀୟ ବୈଠକରେ ଏନେଇ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ତାଙ୍କ ମା’ ସୋନିଆ ଗାନ୍ଧୀ ଉପସ୍ଥିତ ଥିଲେ।
ଲୋକସଭାରେ ଦଳର ନେତା ଭାବେ ଅଧୀରଙ୍କ ନାମ ଚୟନ କରାଯିବା ପରେ କଂଗ୍ରେସ ପକ୍ଷରୁ ଲୋକସଭାକୁ ଏକ ପତ୍ର ଲେଖାଯାଇଛି। ଅଧୀର ଲୋକସଭାରେ ସବୁଠୁ ବଡ଼ ବିରୋଧୀ ଦଳର ନେତା ହେବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏହାସହ ସବୁ ଗୁରୁତ୍ୱପୂର୍ଣ୍ଣ ଚୟନ ସମିତିରେ କଂଗ୍ରେସ ପକ୍ଷରୁ ଅଧୀର ରଂଜନ ପ୍ରତିନିଧିତ୍ୱ କରିବେ ବୋଲି କୁହାଯାଇଛି।
ଏବେ କଂଗ୍ରେସର ଦୃଷ୍ଟି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଡକାଯାଇଥିବା ବୈଠକ ଉପରେ ରହିଛି । ମୋଦୀ ଏହି ବୈଠକରେ ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ପ୍ରସଙ୍ଗ ଉଠାଇବେ। କଂଗ୍ରେସ ଭିନ୍ନ ଭିନ୍ନ ଯୁକ୍ତି ବାଢି ଏପର୍ଯ୍ୟନ୍ତ ଏହାକୁ ବିରୋଧ କରିଆସିଛି। ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ନିର୍ବାଚନ ହାରିବା ପରେ ଲୋକସଭାରେ କଂଗ୍ରେସକୁ ଦଳର ନେତା ପାଇଁ ବିକଳ୍ପ ଦେବାର ଥିଲା।

Comments are closed.