ଆଧାର ତଥ୍ୟ ଜାଲ୍‍କରି ଖାଉଟି ସାମଗ୍ରୀ ହଡ଼ପ!

0

ଲକ୍ଷ୍ନୌ : ଆଧାର କାର୍ଡ ତଥା ଏହାର ତଥ୍ୟ ଅପବ୍ୟବହାର ପୂର୍ବକ ସରକାରୀ ଖାଉଟି ସାମଗ୍ରୀ ହଡ଼ପ ସମ୍ପର୍କିତ ବଡ଼ ଖବର ଏବେ ଉତ୍ତରପ୍ରଦେଶରେ ଝଡ଼ ସୃଷ୍ଟି କରିଛି। ମିଳିଥିବା ସୂଚନାନୁସାରେ ୮୫୯ ଆଧାର କାର୍ଡକୁ ୧ଲକ୍ଷ ୮୦ହଜାର ଥର ବ୍ୟବହାର କରାଯାଇ ୪୩ ଜିଲାରେ କୋଟି କୋଟି ଟଙ୍କା ଖାଉଟି ସାମଗ୍ରୀ ହଡ଼ପ କରାଯାଇଛି। ଏମିତି କି ଗୋଟିଏ ଗୋଟିଏ କାର୍ଡ ୨ହଜାର ଥର ବ୍ୟବହୃତ ହୋଇଥିବା ଲକ୍ଷ୍ୟ କରାଯାଇଛି। ବୈଷୟିକ କର୍ମଚାରୀମାନଙ୍କ ଦ୍ୱାରା ଏହି କାରବାର କରାଯାଇଛି। ସେମାନେ ପ୍ରକୃତ ହିତାଧିକାରୀଙ୍କ ଆଧାର କାର୍ଡରେ ଥିବା ଅଙ୍ଗୁଳି ଛାପକୁ ଅନ୍ୟ ସହିତ ମେଳ କରାଇ ଖାଉଟି ସାମଗ୍ରୀ ଚାଲାଣ କରିବାରେ ସହାୟକ ହୋଇଥିବା ଜଣାପଡ଼ିଛି। ଏହା ପଛରେ କିଛି ସରକାରୀ କର୍ମଚାରୀ ଓ ମଧ୍ୟସ୍ଥଙ୍କୁ ନେଇ ଏକ ବଡ଼ ର‍୍ୟାକେଟ କାମ କରୁଥିବା ତଦନ୍ତରୁ ଜଣାପଡ଼ିଛି। ଏ ସମ୍ପର୍କରେ ପ୍ରାଥମିକ ସୂଚନା ମିଳିବା ପରେ ରାଜ୍ୟ ଖାଦ୍ୟ ଆୟୋଗ ମୁଖ୍ୟ ଆଲୋକ କୁମାର ଆଭ୍ୟନ୍ତରୀଣ ତଦନ୍ତ କରାଇଥିଲେ।
ରିପୋର୍ଟ ଅନୁସାରେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଖାଉଟି ସାମଗ୍ରୀ ବଣ୍ଟନ ପାଇଁ ସମ୍ପୃକ୍ତ କେନ୍ଦ୍ରରେ ଆଧାର ସଂଯୋଗ ଥିବା ପିଓଏସ୍‍ ଯନ୍ତ୍ର ବ୍ୟବହାର ହୋଇଥାଏ। ଏହି ଯନ୍ତ୍ରରେ ହିତାଧିକାରୀଙ୍କର ବାୟୋମେଟ୍ରିକ୍‍ ଛାପ ପ୍ରମାଣସ୍ୱରୂପ ରହିଥାଏ। ବାୟୋମେଟ୍ରିକ ପ୍ରମାଣକୁ ଏଡ଼ାଇବା ପାଇଁ ସମ୍ପୃକ୍ତ ଅପରେଟରମାନେ ଆଧାର ତଥ୍ୟରେ ଜାଲିଆତି କରିଥିଲେ। ଯନ୍ତ୍ରରେ ଜାଲ୍‍ ତଥ୍ୟ ସଂଯୋଗ କରିବା ପରେ ପୁନର୍ବାର ମୂଳ ତଥ୍ୟକୁ ସନ୍ନିବେସିତ କରୁଥିଲେ। ଫଳରେ ବାୟୋମେଟ୍ରିକ ବ୍ୟବସ୍ଥାର ଜାଲିଆତି ସହଜ ହେଉଥିଲା। ସମ୍ପୃକ୍ତ ର‍୍ୟାକେଟ ଆଧାର ତଥ୍ୟକୁ ଜାଲ୍‍ ପୂର୍ବକ ଏହି ପ୍ରକ୍ରିୟାକୁ ସହଜ କରିଥିଲେ ଓ ଏହା ମାଧ୍ୟମରେ କେନ୍ଦ୍ରରୁ ଖାଉଟି ସାମଗ୍ରୀ ଉଠାଇବା ସହ ଏହାର ଚୋରାଚାଲାଣ କରିଚାଲିଥିଲେ।
ତଥ୍ୟାନୁସାରେ, ୪୩ଟି ଜିଲାରେ ଏହି ର‍୍ୟାକେଟ୍‍ ବେଶ୍‍ ସକ୍ରିୟ ଥିଲାବେଳେ ଆଲ୍ଲାହାବାଦରେ ୧୦୭ଟି ଆଧାର କାର୍ଡକୁ ଉପରୋକ୍ତ ପ୍ରକ୍ରିୟାରେ ୩୭ ହଜାର ୫୭୪ ଥର ଅପବ୍ୟବହାର କରାଯାଇଥିଲା। ସେହିଭଳି ମିରଟରେ ୧୦୮ଟି କାର୍ଡକୁ ୨୭ ହଜାର ୩୨୪ ଥର, ମୁଜାଫର ନଗରରେ ୬୪ଟି କାର୍ଡକୁ ୧୯ ହଜାର ୭୯୫ ଥର ଓ ଗାଜିଆବାଦରେ ୬୯ଟି କାର୍ଡକୁ ୧୬ ହଜାର ୫୮ଥର ବ୍ୟବହାର କରାଯାଇଥିଲା। ଆଲୋକ କୁମାରଙ୍କ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ସମ୍ପୃକ୍ତ ବୈଷୟିକ କର୍ମଚାରୀ ଓ ଖାଉଟି ସାମଗ୍ରୀ ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି।

Leave A Reply