ଏଣିକି ଆଧାରରେ ରହିବ ମୁଖ ଚିହ୍ନଟ ପ୍ରକ୍ରିୟା

0

ନୂଆଦିଲ୍ଲୀ: ଏଣିକି ଆଧାର ପାଇଁ ଫେସ୍‍ ରିକୋଗନିସନ୍‍ ବା ମୁଖ ଚିହ୍ନଟକୁ ବାଧ୍ୟତାମୂଳକ କରାଯିବ। ଭାରତୀୟ ସ୍ୱତନ୍ତ୍ର ପରିଚୟ କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ପକ୍ଷରୁ ଏଥିପାଇଁ ନିର୍ଦେଶନାମା ଜାରି ହୋଇଛି। ଫିଙ୍ଗର ପ୍ରିଣ୍ଟ, ଆଇ ସ୍କାନ୍‍ ସହିତ ଫେସ୍‍ ରିକୋଗନିସନ୍‍କୁ ଅତିରିକ୍ତ ତଥ୍ୟ ଭାବରେ ଗ୍ରହଣ କରାଯିବ। ବୟସାଧିକ୍ୟ କିମ୍ବା ମୂଲ ମଜୁରୀ ଲାଗୁଥିବା ପୁରୁଷ ଓ ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ କାମ କରୁ ନଥିବାରୁ ଫେସ୍‍ ରିକୋଗନିସନ୍‍ ପ୍ର୍ରକ୍ରିୟା ଲାଗୁ ପାଇଁ କୁହାଯାଇଛି। ଗତ ଜୁନ୍‍ ୧୯ ତାରିଖ ଓ ଅଗଷ୍ଟ ୧୭ ତାରିଖରେ ଏହି ନିର୍ଦେଶ ଆଧାର ସେବା ପ୍ରଦାନକାରୀ ଓ ବ୍ୟବହାରକାରୀଙ୍କ ପାଇଁ ଜାରି କରାଯାଇଛି। ନିର୍ଦେଶନାମାର ଉଲ୍ଳଂଘନ କଲେ ଆଧାର ଆଇନ ୨୦୧୬ର ଧାରା ୪୨ ଓ ୪୩ ଅନୁଯାୟୀ ଅପରାଧିକ କାର୍ଯ୍ୟକଳାପ ରୂପେ ବିବେଚନା କରାଯାଇ ଦଣ୍ଡବିଧାନ କରାଯିବ ବୋଲି ନିର୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
ୟୁଆଇଡିଏଆଇ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ ଭୂଷଣ ପାଣ୍ଡେଙ୍କ ସୂଚନା ଅନୁଯାୟୀ, ଏହି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ସବୁ ଆଧାରଧାରୀ ଓ ବ୍ୟବହାରକାରୀଙ୍କ ପାଇଁ ଲାଗୁ ହେବ। ପ୍ରାଥମିକ ପର୍ଯ୍ୟାୟରେ ସେପ୍ଟେମ୍ବର ୧୫ ତାରିଖରୁ ସିମ୍‍ କାର୍ଡ ପ୍ରଦାନ ବେଳେ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯିବ। ଟେଲିକମ୍‍ ଅପରେଟରମାନେ ଅତିକମ୍‍ରେ ସେମାନଙ୍କ ୧୦% ସିମ୍‍ କାରବାର ଫେସ୍‍ ରିକୋଗନିସନ୍‍ ଜରିଆରେ କରିବେ। ନଚେତ୍‍ ଉକ୍ତ ସିମ୍‍ ଦ୍ୱାରା ହୋଇଥିବା ପ୍ରତି କଲ୍‍ ପିଛା ୨୦ ପଇସା ହାରରେ ଜରିମାନା ଆଦାୟ କରାଯିବ।
ଆଧାର ଭିତ୍ତିକ ସ୍ୱୀକୃତି ପାଇଁ ଏବେ କେବଳ ଉଦ୍ଦିଷ୍ଟ ଉପକରଣରେ ଅଙ୍ଗୁଠି ରଖିବାକୁ ପଡ଼ୁଛି। କିନ୍ତୁ ଏହି ନିୟମ କଡ଼ାକଡ଼ି ହେବା ପରେ ଆଧାରଧାରୀଙ୍କ ଚେହେରାକୁ ସେବା ପ୍ରଦାନକାରୀ ଏକ ୱେବ୍‍କ୍ୟାମ୍‍ ମାଧ୍ୟମରେ ଉତ୍ତୋଳନ କରିବେ। ଫିଙ୍ଗର ପ୍ରିଣ୍ଟ ଓ ଆଇ ସ୍କାନ୍‍ ସହିତ ଫେସ୍‍ ରିକୋଗନିସନ୍‍ ତଥ୍ୟ ୟୁଏଡିଆଇଏ ନିକଟକୁ ପଠାଯିବ। ଆଧାରଧାରୀଙ୍କ ଫଟୋ ପୂର୍ବରୁ ୟୁଏଡିଆଇଏଙ୍କ ସର୍ଭରରେ ମହଜୁଦ୍‍ ଥିବାରୁ ୱେବ୍‍କାମ ଜରିଆରେ ପଠାଯାଇଥିବା ଫଟୋକୁ ମେଳାଇବାରେ କୌଣସି ଅସୁବିଧା ହେବନି। ପୂର୍ବରୁ ଥିବା ତଥ୍ୟ ସହିତ ସଦ୍ୟ ପ୍ରେରିତ ତଥ୍ୟ ମେଳ ଖାଇଲେ ୟୁଏଡିଆଇଏ ପକ୍ଷରୁ ଏକ ମେସେଜ୍‍ ସମ୍ପୃକ୍ତ ସେବା ପ୍ରଦାନକାରୀଙ୍କ ପାଖକୁ ଆସିବ ଏବଂ ପରିଚୟକୁ ସ୍ୱୀକୃତ ବୋଲି ଧରି ନିଆଯିବ। ଆଧାରର ବୈଧତା ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବା ବେଳେ ୟୁଏଡିଆଇଏଙ୍କ ସଦ୍ୟ ନିର୍ଦେଶନାମା ବିବାଦ ସୃଷ୍ଟି କରିବାର ଆଶଙ୍କା ରହିଛି।

Leave A Reply