ନିଖୋଜ ବ୍ୟକ୍ତିଙ୍କ ପାଇଁ ଆଧାର ବ୍ୟବହାର ମାମଲା: କେନ୍ଦ୍ରର ମତାମତ ଲୋଡ଼ିଲେ ଦିଲ୍ଲୀ ହାଇକୋର୍ଟ

0

ନୂଆଦିଲ୍ଲୀ : ନିଖୋଜ ବ୍ୟକ୍ତିଙ୍କୁ ପରିବାର ନିକଟକୁ ଫେରାଇ ଆଣିବା ନିମନ୍ତେ ସେମାନଙ୍କ ବାୟୋମେଟ୍ରିକ୍‍ ଏବଂ ଆଧାର ବିବରଣୀ ଅତ୍ୟନ୍ତ ଉପଯୋଗୀ ହେବ। ଏଣୁ ନିଖୋଜ ମାମଲାଗୁଡିକରେ ଆଧାର ଓ ବାୟୋମେଟ୍ରିକ୍‍ ବ୍ୟବହାର ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶାବଳୀ ଜାରି କରିବା ଦାବିରେ ହୋଇଥିବା ଏକ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କ ମତାମତ ଲୋଡିଛନ୍ତି। ଆଧାରର ବୈଦ୍ଧତା ଏବଂ ତାହା ସମ୍ବନ୍ଧୀୟ ବହୁ ପ୍ରସଙ୍ଗକୁ ନେଇ ତର୍କବିତର୍କ ଜାରିରହିଛି; କିନ୍ତୁ ଜଣେ ନିଖୋଜ ବ୍ୟକ୍ତିଙ୍କର ଯଦି ଆଧାର କାର୍ଡ ଥାଏ ତା’ହେଲେ ତାହା ତାଙ୍କୁ ଖୋଜି ବାହାର କରିବା ସହଜ ହେବ। ବିଶେଷକରି ନିଖୋଜ ଥିବା ଶିଶୁ, ପ୍ରୌଢ଼ ଏବଂ ମାନସିକରୋଗୀଙ୍କୁ ଖୋଜି ପରିବାର ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏହା ନିତାନ୍ତ ଆବଶ୍ୟକ। ଏଣୁ ନିଖୋଜ ମାମଲାଗୁଡିକରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆଧାର ଏବଂ ବାୟୋମେଟ୍ରିକ୍‍ ବ୍ୟବହାର ନିମନ୍ତେ ଏକ ନିର୍ଦେଶାବଳୀ ଜାରି କରିବାକୁ ଓକିଲ ଅମିତ୍‍ ସାହାଣୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। କାର୍ୟ୍ୟନିର୍ବାହୀ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଏବଂ ବିଚାରପତି ସି. ହରି ଶଙ୍କରଙ୍କ ପୀଠ ଏହି ଆବେଦନ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ନୋଟିସ୍‍ ଜାରି କରିଛନ୍ତି। ଏ ସମ୍ବନ୍ଧରେ କି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ବିଷୟରେ ରିପୋର୍ଟ ଦାଖଲ କରିବାକୁ ପୀଠ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୩ରେ ହେବ। ଉଲ୍ଲେଖ ଯେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‍ସିଆର୍‍ବି) ୨୦୧୬ର ପରିସଂଖ୍ୟାନ ଅନୁସାରେ ପ୍ରାୟ ୫,୪୯,୦୦୮ ଜଣ ବ୍ୟକ୍ତି ନିଖୋଜ ହେବା ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ କେବଳ ୩,୧୯,୬୨୯ ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା। ଏହି ପରିସଂଖ୍ୟାନକୁ ଭିତ୍ତି କରି ସାହାଣୀ ଉପରୋକ୍ତ ଆବେଦନ କରିଛନ୍ତି। ଏଥିରେ ସେ ନିଖୋଜ ହୋଇଯାଇଥିବା ଜଣେ ୩୧ ବର୍ଷ ବୟସ୍କ ମାନସିକ ଅସୁସ୍ଥ ମହିଳାଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଯିବା ଘଟଣା ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ସମ୍ପୃକ୍ତ ମହିଳାଙ୍କୁ ଦିଲ୍ଲୀ ପୁଲିସ ଉଦ୍ଧାର କରି ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟ୍‍ ଅଭିଳାଷ ମଲହୋତ୍ରାଙ୍କ ସମ୍ମୁଖରେ ହାଜର କରିଥିଲା। ସମ୍ପୃକ୍ତ ମହିଳାଙ୍କ ଆଧାର ଯାଞ୍ଚ କରିବାକୁ ମାଜିଷ୍ଟ୍ରେଟ୍‍ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସୌଭାଗ୍ୟବଶତଃ ସମ୍ପୃକ୍ତ ମହିଳାଙ୍କର ପୂର୍ବରୁ ଆଧାର ତଥ୍ୟ ରହିଥିଲା। ସେଥିରୁ ସୂଚନା ହାସଲ କରି ପୁଲିସ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇବାରେ ସଫଳ ହୋଇଥିଲା।

Leave A Reply