ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ

ମୋର ପ୍ରିୟ ଦେଶବାସୀ,
୧. ୭୧ତମ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ, ମୁଁ ଭାରତରେ ତଥା ବିଦେଶରେ ବସବାସ କରୁଥିବା ଆପଣମାନଙ୍କୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି।
୨. ଆଜିକୁ ସାତ ଦଶନ୍ଧି ପୂର୍ବେ, ଜାନୁଆରୀ ୨୬ ତାରିଖ ଦିନ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଏହା ପୂର୍ବରୁ ମଧ୍ୟ, ଏହି ତାରିଖଟି ବିଶେଷ ମହତ୍ୱ ବହନ କରିଆସୁଥିଲା। “ପୂର୍ଣ୍ଣ ସ୍ୱରାଜ” ହାସଲ କରିବା ଉଦ୍ଦେଶ୍ୟରେ ଆମ ଜନସାଧାରଣ ୧୯୩୦ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଜାନୁଆରୀ ୨୬ ତାରିଖକୁ ପ୍ରତିବର୍ଷ “ପୂର୍ଣ୍ଣ ସ୍ୱରାଜ ଦିବସ” ରୂପେ ପାଳନ କରିଆସୁଥିଲେ। ସେଥିପାଇଁ, ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ହିଁ ଆମେ ଏକ ସାଧାରଣତନ୍ତ୍ର ଭାବେ ଆମର ଯାତ୍ରା ଆରମ୍ଭ କରିଥିଲୁ ଏବଂ ଆମ ସମ୍ବିଧାନରେ ରହିଥିବା ନୀତି ଅନୁସାରେ ଆମକୁ ପୁନଃପ୍ରତିବଦ୍ଧ କରିଥିଲୁ। ସେହି ଦିନଠାରୁ, ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖକୁ ଆମେ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରିଆସୁଛୁ।
୩. ଆଧୁନିକ ରାଷ୍ଟ୍ରର ତିନୋଟି ପ୍ରମୁଖ ଅଙ୍ଗ ହେଉଛି- ବିଧାନପାଳିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା, ଯାହାକି ପରସ୍ପର ସହ ସଂଶ୍ଳିଷ୍ଟ ଏବଂ ପରସ୍ପର ଉପରେ ନିର୍ଭରଶୀଳ। ତଥାପି, କାର୍ଯ୍ୟ କ୍ଷେତ୍ରରେ ଦେଖିଲେ, ଜନସାଧାରଣ ହିଁ ଏକ ରାଷ୍ଟ୍ର ଗଠନ କରିଥାନ୍ତି। “ଆମେ ଜନସାଧାରଣ” ହେଉଛେ ଗୋଟିଏ ସାଧାରଣତନ୍ତ୍ରକୁ ଆଗେଇ ନେବା ସକାଶେ ପ୍ରମୁଖ ବାହକ। ଆମ ଠାରେ ହିଁ ଗଣତନ୍ତ୍ରର ବାସ୍ତବ ଶକ୍ତି ନିହିତ ରହିଛି। ଆମେ ହିଁ ଆମର ସାମୂହିକ ଭବିଷ୍ୟତ ନିର୍ଦ୍ଧାରଣ କରିବୁ।
୪. ଆମ ସମ୍ବିଧାନ ଏକ ମୁକ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ହିସାବରେ ଆମମାନଙ୍କୁ ଅଧିକାରମାନ ପ୍ରଦାନ କରିଛି। କିନ୍ତୁ ସେହି ସମ୍ବିଧାନ ଅନ୍ତର୍ଗତ ଆମର ଉତରଦାୟୀତ୍ୱ ହେଉଛି ଆମେ ଗଣତନ୍ତ୍ରର ମୌଳିକ ଗଣତାନ୍ତ୍ରିକ ଆଦର୍ଶ – ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ପ୍ରତି ସର୍ବଦା ସଂକଳ୍ପବଦ୍ଧ ରହିବା। ଆମମାନଙ୍କ ସକାଶେ ଏଭଳି ସାମ୍ବିଧାନିକ ଆଦର୍ଶକୁ ଅନୁସରଣ କରିବା ସହଜସାଧ୍ୟ ହୋଇପାରିବ ଯଦି ଆମେ ଆମର ରାଷ୍ଟ୍ରପିତାଙ୍କ ଜୀବନ ଓ ଆଦର୍ଶକୁ ସ୍ମରଣ ରଖିବା। ସେପରି କରିବା ଦ୍ୱାରା, ଆମେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ସହ ଏହାକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିପାରିବା।
ପ୍ରିୟ ନାଗରିକଗଣ,
୫. ସରକାର ଅନେକ ଗୁଡ଼ିଏ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି ଏବଂ ସେଗୁଡ଼ିକର ସବୁଠାରୁ ଉଲ୍ଲେଖଯୋଗ୍ୟ ବୈଶିଷ୍ଟ୍ୟ ଏହାଯେ, ଦେଶର ଜନସାଧାରଣ ହିଁ ସେସବୁକୁ ଲୋକପ୍ରିୟ ଆନ୍ଦୋଳନରେ ପରିଣତ କରିସାରିଛନ୍ତି। ଏତେ କମ ସମୟ ମଧ୍ୟରେ “ସ୍ୱଚ୍ଛ ଭାରତ ଅଭିଯାନ” ଅଭୂତପୂର୍ବ ସଫଳତା ହାସଲ କରିପାରିଛି। ଅନ୍ୟାନ୍ୟ ପ୍ରୟାସରେ ମଧ୍ୟ ଅନୁରୂପ ମନୋଭାବ ପରିଲକ୍ଷିତ ହୋଇଛି। ତାହା ରନ୍ଧନ ଗ୍ୟାସ ସବସିଡି ଫେରସ୍ତ ହେଉ ଅଥବା ଡିଜିଟାଲ ପେମେଂଟକୁ ଆଗେଇ ନେବା ହେଉ, ସାଧାରଣ ଜନତା ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ସେମାନଙ୍କର ନିଜସ୍ୱ ବୋଲି ଭାବି ନେଇଛନ୍ତି ଏବଂ ସେସବୁକୁ ବାସ୍ତବରେ ଫଳପ୍ରସୂ କରାଇପାରିଛନ୍ତି। “ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା”ର ସଫଳତା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ ଏବଂ ସେଥିରେ ଧାର୍ଯ୍ୟ କରାଯାଇଥିବା ୮କୋଟି ହିତାଧିକାରୀ ଟାର୍ଗେଟ ପୂରଣ ହୋଇସାରିଛି।
ଏହାଦ୍ୱାରା ପ୍ରକୃତ ହିତାଧିକାରୀଙ୍କ ନିକଟରେ ସ୍ୱଚ୍ଛ ଇନ୍ଧନ ପହଞ୍ଚି ପାରିଛି। “ସୌଭାଗ୍ୟ” ଯୋଜନା ଭାବେ ଲୋକପ୍ରିୟ “ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର ଘର ଯୋଜନା” ମଧ୍ୟ ସାଧାରଣ ଜନତାଙ୍କ ଜୀବନକୁ ଆଲୋକିତ କରିଛି। “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି” ଅଧୀନରେ ଦେଶର ୧୪ କୋଟିରୁ ଅଧିକ କୃଷକ ପରିବାର ବାର୍ଷିକ ଛଅ ହଜାର ଟଙ୍କା ପାଇବାକୁ ଯୋଗ୍ୟ ହୋଇପାରିଛନ୍ତି। ଯେଉଁ କୃଷକମାନେ ଆମକୁ ଆହାର ଯୋଗାଇ ସମ୍ମାନର ସହ ଜୀବନ ବଞ୍ଚିବାର ସୁଯୋଗ ପ୍ରଦାନ କରିଛନ୍ତି ସେମାନଙ୍କ ପ୍ରୟାସରେ ଏହି ଅର୍ଥ ସହାୟକ ହୋଇପାରିବ। ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ଜଳ ସଂକଟ ଭଳି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିବା ସକାଶେ, ଜଳଶକ୍ତି ମନ୍ତ୍ରଣାଳୟ ନାମକ ଏକ ନୂଆ ମନ୍ତ୍ରଣାଳୟ ସୃଷ୍ଟି କରାଯାଇଛି। ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନାକୁ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ମୋର ଦୃଢ଼ ବିଶ୍ୱାସ ଯେ “ସ୍ୱଚ୍ଛ ଭାରତ ଅଭିଯାନ” ଭଳି “ଜଳ ଜୀବନ ମିଶନ” ମଧ୍ୟ ଏକ ଜନପ୍ରିୟ ଆନ୍ଦୋଳନର ରୂପ ଧାରଣ କରିବ।
୬. ଯେଉଁମାନଙ୍କ ସକାଶେ କଲ୍ୟାଣକର ଯୋଜନା ସର୍ବାଧିକ ଆବଶ୍ୟକ, ସେମାନଙ୍କ ସହିତ ସରକାରଙ୍କର ପ୍ରତ୍ୟେକଟି ନୀତିଗତ ପଦକ୍ଷେପ “ପ୍ରଥମେ ରାଷ୍ଟ୍ର” ଚିନ୍ତାଧାରା ଦ୍ୱାରା ଅଭିମନ୍ତ୍ରିତ। ବସ୍ତୁ ଓ ସେବା କର (ଜିଏସଟି) ଲାଗୁ ହେବା ଦ୍ୱାରା ଆମର ଲକ୍ଷ୍ୟ ‘ଏକ ରାଷ୍ଟ୍ର, ଏକ ଟିକସ, ଏକ ବଜାର’ ସାକାର ହୋଇପାରିଛି। ଏହା ଏବେ ଇ-ନାମ ଯୋଜନା ଦ୍ୱାରା ପରିପୂରକ ଭାବେ କାର୍ଯ୍ୟକାରୀ ହେଉଛି ଯାହାକି ‘ଗୋଟିଏ ରାଷ୍ଟ୍ର ପାଇଁ ଗୋଟିଏ ବଜାର’ ପ୍ରକ୍ରିୟାକୁ ସୁଦୃଢ଼ କରିବାରେ ସହାୟକ ହେଉଛି ଏବଂ ତାହା କୃଷକମାନଙ୍କୁ ସର୍ବାଧିକ ସହାୟକ ହେବ। ଦେଶର ପ୍ରତ୍ୟେକ ଭାଗର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଜାରି ରହିଛି- ତାହା ଜମ୍ମୁ କଶ୍ମୀର କିମ୍ବା ଲଦାଖ ହୋଇଥାଉ, ଅଥବା ଉତର-ପୂର୍ବାଞ୍ଚଳର କୌଣସି ରାଜ୍ୟ, ଅଥବା ଭାରତ ମହାସାଗରରେ ଅବସ୍ଥିତ କୌଣସି ଦ୍ୱୀପ।
୭. ଦେଶର ବିକାଶ ଲାଗି ଆଭ୍ୟନ୍ତରୀଣ ନିରାପତା ବ୍ୟବସ୍ଥା ସୁଦୃଢ଼ ରହିବା ଏକାନ୍ତ ଜରୁରି। ତେଣୁ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ସକାଶେ ସରକାରଙ୍କ ପକ୍ଷରୁ ଅନେକ ଗୁଡ଼ିଏ ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରାଯାଇଛି।
୮. ସୁଶାସନ ସକାଶେ ଉତମ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ସମସ୍ତଙ୍କ ପାଇଁ ଉପଲବ୍ଧ କରାଯିବା ସର୍ବଦା ଜରୁରି ବୋଲି ବିବେଚନା କରାଯାଇଥାଏ। ଉଭୟ କ୍ଷେତ୍ରରେ, ବିଗତ ସାତ ଦଶନ୍ଧି ମଧ୍ୟରେ ଆମେ ଢେର ପ୍ରଗତି ହାସଲ କରିଛୁ। ସରକାର ଯଥାର୍ଥରେ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ତାଙ୍କର ଧ୍ୟାନ କେନ୍ଦ୍ରୀତ କରିଛନ୍ତି ଏବଂ ଏ ଦିଗରେ ଅନେକ ମହତ୍ୱାକାଂକ୍ଷୀ ପଦକ୍ଷେପମାନ ଗ୍ରହଣ କରିଛନ୍ତି। “ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ” ତଥା “ଆୟୁଷ୍ମାନ ଭାରତ” ଏବେ ସରକାରୀ ପାଣ୍ଠି ବିନିଯୋଗରେ କାର୍ଯ୍ୟକାରୀ ହେଉଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନାରେ ପରିଣତ ହୋଇଛି। ଏହାଦ୍ୱାରା ସରକାର ସମାଜର ତୃଣମୂଳ ସ୍ତରରେ ବସବାସ କରୁଥିବା ଗରିବଙ୍କ କଲ୍ୟାଣ ସକାଶେ ସର୍ବଦା ଯତ୍ନଶୀଳ ଓ ସେମାନଙ୍କ ପାଇଁ ଚିନ୍ତା କରୁଥିବା ପ୍ରମାଣ କରିଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଣରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ତାହାର ପରିସର ବିସ୍ତାରିତ ହୋଇଛି। ଜନ ଔଷଧି ଯୋଜନା ପ୍ରବର୍ତନ ଦ୍ୱାରା ଦେଶର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି ଏବଂ ସେମାନଙ୍କୁ ସୁଲଭ ମୂଲ୍ୟରେ ସମସ୍ତ ପ୍ରକାର ଗୁଣାତ୍ମକ ଜେନେରିକ ଔଷଧ ଯୋଗାଇ ଦିଆଯାଉଛି।
ପ୍ରିୟ ଦେଶବାସୀ,
୯. ପ୍ରାଚୀନ କାଳରୁ ଭାରତରେ ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥାର ଭିତିଭୂମି ସ୍ଥାପନ କରାଯାଇଥିଲା। ସେତେବେଳେ ନାଳନ୍ଦା ଓ ତକ୍ଷଶୀଳା ଆଦି ସ୍ଥାନରେ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଥିଲା। ଭାରତରେ, ଶକ୍ତି, ପ୍ରଶସ୍ତି ଅବା ସଂପଦ ଠାରୁ ଜ୍ଞାନକୁ ହିଁ ଅଧିକ ମୂଲ୍ୟବାନ ବୋଲି ବିବେଚନା କରାଯାଇଥାଏ। ଆମ ପରମ୍ପରାରେ, ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଦ୍ୟା ଅଧ୍ୟୟନର ମନ୍ଦିର ରୂପେ ଗ୍ରହଣ କରାଯାଇଥାଏ, ତେଣୁ ଏହାକୁ ଯଥେଷ୍ଟ ସମ୍ମାନ ଦିଆଯାଏ। ଦୀର୍ଘବର୍ଷର ଉପନିବେଶବାଦୀ ଶାସନ ବ୍ୟବସ୍ଥା
ଦ୍ୱାରା ଆମ ରାଷ୍ଟ୍ରକୁ ଅନୁନ୍ନତ ଅବସ୍ଥାକୁ ଠେଲି ଦିଆଯାଇଥିବା ସମୟରେ ଶିକ୍ଷା ହିଁ ସଶକ୍ତିକରଣର ମାର୍ଗ ରୂପେ ମୁଣ୍ଡ ଟେକିଥିଲା। ଯଦିଚ ସ୍ୱାଧୀନତା ପରେ ଆମର ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ସେତେବେଳେ ସୀମିତ ସମ୍ବଳ ସତ୍ୱେ ଶିକ୍ଷା କ୍ଷେତ୍ରରେ ଆମର ସାଫଲ୍ୟ ବେଶ ଉଲ୍ଲେଖନୀୟ ଥିଲା। ବର୍ତମାନ ଆମ ପ୍ରୟାସ ହେଉଛି ଯେପରି କେହି ଜଣେ ହେଲେ ଶିଶୁ ଅଥବା ଯୁବକ ଶିକ୍ଷାଲାଭରୁ ବଞ୍ଚିତ ନହୁଏ। ସେହିଭଳି ଆମେ ବିଶ୍ୱସ୍ତରୀୟ ଓ ଉଚ୍ଚମାନର ଶିକ୍ଷା ବ୍ୟବସ୍ଥା ଦିଗରେ ଅଗ୍ରସର ଏବଂ ସେଥିପାଇଁ ଆମର ଶିକ୍ଷା ବ୍ୟବସ୍ଥାରେ ନିରବଚ୍ଛିନ୍ନ ଭାବେ ସଂସ୍କାରମୂଳକ ପଦକ୍ଷେପ ନିଆଯାଉଛି।
୧୦. ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ଅବିଶ୍ୱସନୀୟ ସଫଳତାରେ ଦେଶ ଗର୍ବିତ। ଇସ୍ରୋ ଏବେ ମିଶନ ଗଗନାୟନକୁ ସଫଳ କରିବା ଦିଗରେ ଅଗ୍ରସର ହେଉଛି। ଚଳିତବର୍ଷ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ଆହୁରି ଦ୍ରୁତଗତିରେ ଆଗକୁ ବଢ଼ିବା ଆଶାରେ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।
୧୧. ଚଳିତ ବର୍ଷ ମଧ୍ୟ ଟୋକିଓ ଅଲିମ୍ପିକ୍ସର ବର୍ଷ। ପାରମ୍ପରିକ ଭାବେ ଭାରତ କେତେକ ବର୍ଗର କ୍ରୀଡ଼ାରେ ଉତମ ପ୍ରଦର୍ଶନ କରିଆସିଛି, ଆମର ନୂତନ ପିଢ଼ିର କ୍ରୀଡ଼ାବିତ ଓ ଆଥଲେଟମାନେ ବିଗତ କିଛି ବର୍ଷ ମଧ୍ୟରେ ଆହୁରି ଅନେକ କ୍ରୀଡ଼ାରେ ଦେଶ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଅଲିମ୍ପିକ୍ସ ୨୦୨୦ରେ ଭାରତୀୟ କ୍ରୀଡ଼ାବିତମାନଙ୍କ ପଛରେ କୋଟି କୋଟି ଭାରତୀୟଙ୍କ ଶୁଭକାମନା ଓ ସମର୍ଥନ ଅବିରତ ଭାବେ ରହିବ।
୧୨. ପ୍ରବାସୀ ଭାରତୀୟମାନେ ମଧ୍ୟ ସର୍ବଦା ଦେଶର ଗୌରବ ବୃଦ୍ଧି କରିଛନ୍ତି। ବିଦେଶ ଗସ୍ତରେ ଥିବା ସମୟରେ ମୁଁ ଲକ୍ଷ୍ୟ କରିଛି ଯେ ପ୍ରବାସୀ ଭାରତୀୟମାନେ କେବଳ ସେମାନଙ୍କୁ ଆପଣାଇ ନେଇଥିବା ଦେଶ ପାଇଁ ସମୃଦ୍ଧି ଆଣିନାହାନ୍ତି, ଅନୁରୂପ ଭାବେ ସେମାନେ ବିଶ୍ୱ ସମୁଦାୟ ନିକଟରେ ଭାରତର ମର୍ଯ୍ୟାଦା ମଧ୍ୟ ବୃଦ୍ଧି କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ କ୍ଷେତ୍ରରେ ମହାନ ଯୋଗଦାନ ଦେଇଆସିଛନ୍ତି।
ପ୍ରିୟ ଦେଶବାସୀ,
୧୩. ମୁଁ ଆମ ଦେଶର ସଶସ୍ତ୍ର ସେନାବାହିନୀ, ଅର୍ଦ୍ଧସାମରିକ ବାହିନୀ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ବାହିନୀଙ୍କୁ ମୁକ୍ତ କଣ୍ଠରେ ପ୍ରଶଂସା କରୁଛି। ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ସକାଶେ ସେମାନଙ୍କର ବଳିଦାନ ଏକ ଅଦ୍ୱିତୀୟ ସାହସିକତା ଓ ଅନୁଶାସନର ଅମର ଗାଥା ସୃଷ୍ଟି କରିଛି। ଆମର କୃଷକ, ଡାକ୍ତର ଓ ନର୍ସ, ଶିକ୍ଷକ ସମାଜ ଯେଉଁମାନେ କି ଶିକ୍ଷାଦାନ ସହ ମୂଲ୍ୟବୋଧର ଶିକ୍ଷା ପ୍ରଦାନ କରିଆସୁଛନ୍ତି, ଆମର ବୈଜ୍ଞାନିକ ଓ ଇଞ୍ଜିନିୟର, ସଦାଜାଗ୍ରତ ଓ ସକ୍ରିୟ ଯୁବଗୋଷ୍ଠୀ, ଆମ ବିଶାଳ ଶ୍ରମଶକ୍ତିର ନିଷ୍ଠା, ଆର୍ଥିକ ସଂପଦ ବିକାଶ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କ ଭୂମିକା, ଆମ ସଂସ୍କୃତିକୁ ଉନ୍ନତ କରିବା ଲାଗି କଳାକାରମାନଙ୍କ ଯୋଗଦାନ, ସେବା କ୍ଷେତ୍ରରେ କାର୍ଯ୍ୟରତ ପେସାଦାର ଯେଉଁମାନଙ୍କୁ କି ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି ତଥା ଆମର ଅନ୍ୟ ଦେଶବାସୀ ଯେଉଁମାନେ କି ଆହୁରି ଅନେକ କ୍ଷେତ୍ରରେ ସେମାନଙ୍କର ଅବଦାନ ଓ ଯୋଗଦାନ ଦେଇଚାଲିଛନ୍ତି ଏବଂ ବିଶେଷ କରି ଆମର ସଦାଜାଗ୍ରତ କନ୍ୟା, ଯେଉଁମାନେ ସକଳ ପ୍ରତିବନ୍ଧକ ସତ୍ୱେ ପ୍ରତିଦିନ ନୂତନ ଶିଖର ଛୁଇଁ ପାରୁଛନ୍ତି- ସେମାନେ ଆମ ରାଷ୍ଟ୍ର ପାଇଁ ଗର୍ବ ଓ ଗୌରବ।
୧୪. ଚଳିତ ମାସ ପ୍ରାରମ୍ଭରେ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କିଛି ବ୍ୟକ୍ତିଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ମୋତେ ମିଳିଥିଲା। ନିରବ ଭାବେ ସେମାନଙ୍କର କାର୍ଯ୍ୟ କରି, ସେମାନେ ନାନା କ୍ଷେତ୍ରରେ ଯେପରିକି ବିଜ୍ଞାନ ଓ ନବୋନ୍ମେଷ, କ୍ରୀଡ଼ା, ଦିବ୍ୟାଙ୍ଗ ସଶକ୍ତିକରଣ, କୃଷି ଓ ବନୀକରଣ, ମହିଳା ଓ ଶିଶୁ କଲ୍ୟାଣ, ଶିକ୍ଷା, ସ୍ୱାସ୍ଥ୍ୟସେବା, ପ୍ରାଚୀନ କଳାର ବିକାଶ ଏବଂ ଭୋକିଲାଙ୍କ ପାଇଁ ଖାଦ୍ୟ ଓ ପୁଷ୍ଟି ଯୋଗାଣ ଭଳି କ୍ଷେତ୍ରରେ ଅପୂର୍ବ ସଫଳତା ହାସଲ କରିଛନ୍ତି। ଉଦାହରଣ ସ୍ୱରୂପ, ସୁଶ୍ରୀ ଅରିଫା ଜାନ ଜମ୍ମୁ ଓ କଶ୍ମୀରର ନୁମଧା ହସ୍ତକଳାର ପୁନରୁଦ୍ଧାର ସକାଶେ ବେଶ କିଛି କାର୍ଯ୍ୟ କରିଛନ୍ତି; ସୁଶ୍ରୀ ରତ୍ନାବଳୀ କୋଟ୍ଟପାଲ୍ଲୀ ତେଲଙ୍ଗାନାରେ ଥାଲାସେମିଆ ରୋଗୀଙ୍କୁ ଦୀର୍ଘ ଦିନରୁ ସେବା କରି ଆସୁଛନ୍ତି; ଶ୍ରୀମତୀ ଦେବକୀ ଆମ୍ମା ନିଜସ୍ୱ ଉଦ୍ୟମରେ କେରଳରେ ଜଙ୍ଗଲ ସମ୍ପଦର ବିକାଶ ଘଟାଇଛନ୍ତି; ଶ୍ରୀ  ଜାମଖୋଜାଙ୍ଗ ମିଶାଓ ମଣିପୁରରେ ଗୋଷ୍ଠୀ ବିକାଶ କ୍ଷେତ୍ରରେ ଢେର କାର୍ଯ୍ୟ କରିଛନ୍ତି ଯଦ୍ଦ୍ୱାରା ଅନେକ ଲୋକଙ୍କ ଜୀବନରେ ଉନ୍ନତି ଘଟିପାରିଛି ଏବଂ ଶ୍ରୀ ବାବର ଅଲ୍ଲୀ ପଶ୍ଚିମବଙ୍ଗରେ ଦରିଦ୍ର ପିଲାମାନଙ୍କୁ ମାଗଣାରେ ପିଲା ଦିନୁ ଶିକ୍ଷାଦାନ କରି ଚାଲିଛନ୍ତି। ଏଭଳି ଅସଂଖ୍ୟ ଉଦାହରଣ ରହିଛି। ମୁଁ ସେଥିରୁ ମାତ୍ର କେତୋଟି ଉଦାହରଣ ଆପଣମାନଙ୍କ ନିକଟରେ ଉପସ୍ଥାପନ କରିଛି। ସେମାନେ ନିଜର କର୍ମ ମାଧ୍ୟମରେ ଏହି ଉଦାହରଣ ସୃଷ୍ଟି କରିଛନ୍ତି ଯେ ସାଧାରଣ ଲୋକ ମଧ୍ୟ ଅସାଧାରଣ କାର୍ଯ୍ୟ କରିପାରିବେ ଓ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିପାରିବେ। ଏଭଳି ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରହିଛନ୍ତି ଯେଉଁମାନେ ରାଷ୍ଟ୍ର ଗଠନ ପ୍ରକଳ୍ପମାନ କାର୍ଯ୍ୟକାରୀ କରୁଛନ୍ତି ଏବଂ ସେହିଭଳି ଭାବେ ସରକାରଙ୍କ ପ୍ରୟାସରେ ସହଯୋଗ କରୁଛନ୍ତି।

ନାଗରିକଗଣ,
୧୫. ଆମେ ଏବେ ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ପାଦ ଥାପିଛେ। ଏହି ଦଶନ୍ଧି ହେଉଛି ନୂତନ ଭାରତ ଉତ୍‍ଥାନର ଦଶନ୍ଧି। ପୁଣି ଏକ ନୂତନ ପିଢ଼ିର ଭାରତୀୟମାନଙ୍କ ଉତ୍‍ଥାନର ଦଶକ। ଚଳିତ ଶତାବ୍ଦୀରେ ଯେଉଁମାନେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକରୁ ଅଧିକ ଲୋକ ଏବେ ଜାତୀୟ ବିତର୍କରେ ଅଂଶଗ୍ରହଣ କରୁଛନ୍ତି। ସମୟ ଅତିକ୍ରାନ୍ତ ହେବା ସହ, ଆମେମାନେ ଧୀରେ ଧୀରେ ଆମର ସ୍ୱାଧୀନତା ସଂଗ୍ରାମର ମହାନ ସେନାନୀଙ୍କ ସହ ଥିବା ସଂଯୋଗକୁ ଯେଭଳି ହରାଇ ବସୁଛୁ। କିନ୍ତୁ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ସେମାନଙ୍କର ଚିନ୍ତା ଓ ଚେତନା ହିଁ ନିରବଚ୍ଛିନ୍ନ ଭାବେ ଆମକୁ ଅନୁପ୍ରାଣିତ କରୁଛି। ପ୍ରଯୁକ୍ତିର ପ୍ରଗତି ସହ ଆଜିର ଯୁବ ମାନସ ଅଧିକ ଜ୍ଞାନର ଅଧିକାରୀ ଏବଂ ସେମାନଙ୍କ ମନରେ ଅଧିକ ଆତ୍ମବିଶ୍ୱାସ ଭରିରହିଛି। ପରବର୍ତୀ ପିଢ଼ି ଆମ ରାଷ୍ଟ୍ରର ମୂଳ ମୂଲ୍ୟବୋଧ ପ୍ରତି ଦୃଢ଼ ଭାବେ ପ୍ରତିବଦ୍ଧ ରହିଛନ୍ତି। କାରଣ ଆମର ଯୁବଗୋଷ୍ଠୀଙ୍କ ସକାଶେ ରାଷ୍ଟ୍ର ହେଉଛି ସର୍ବପ୍ରଥମ। ସେମାନଙ୍କ ଠାରେ ଏକ ଉଦୀୟମାନ ନୂତନ ଭାରତ ଝଲକ ଦେଖିବାକୁ ମିଳୁଛି।
୧୬. ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଆମମାନଙ୍କ ପାଇଁ ରାଷ୍ଟ୍ର ଗଠନ ସକାଶେ ସର୍ବଦା ପ୍ରାସଙ୍ଗିକ ହୋଇରହିଛି। ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ବାର୍ତାକୁ ପ୍ରତିଦିନ ସ୍ମରଣ କରିବା ଆମ ସମସ୍ତଙ୍କର ଦୈନିକ କାର୍ଯ୍ୟଧାରାର ଅଂଶ ବିଶେଷ ହେବା ଉଚିତ। ବର୍ତମାନ ସମୟରେ ଏହା ଆହୁରି ଅଧିକ ଜରୁରି ହୋଇପଡ଼ିଛି। ଯେତେବେଳେ ଆମେ କୌଣସି ଗୋଟିଏ କାରଣ ଲାଗି ସଂଗ୍ରାମ କରୁଛେ, ଜନସାଧାରଣ, ବିଶେଷ କରି ଯୁବବର୍ଗ, ମହାତ୍ମା ଗାନ୍ଧୀ ମାନବ ସମାଜକୁ ଦେଇ ଯାଇଥିବା ଅହିଂସାର ବାର୍ତାକୁ ଭୁଲି ଯିବା ଅନୁଚିତ।
ଗାନ୍ଧୀଜୀଙ୍କ ସେହି ଆପ୍ତବାକ୍ୟ କୌଣସି ଏକ କାର୍ଯ୍ୟ ଉତମ ଅବା ଭୁଲ, ଜାଣିବା ସକାଶେ ସର୍ବୋତମ ଏବଂ ତାହା ଆମ ଗଣତନ୍ତ୍ରର କାର୍ଯ୍ୟକାରୀତା କ୍ଷେତ୍ରରେ ମଧ୍ୟ ପ୍ରୟୋଗସିଦ୍ଧ। ଏଥିରେ ଉଭୟ ସରକାର ଏବଂ ବିରୋଧୀ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେତେବେଳେ ସେମାନେ ନିଜର ରାଜନୈତିକ ଚିନ୍ତାଧାରା ବ୍ୟକ୍ତ କରୁଛନ୍ତି, ଉଭୟେ ସମତୁଲ ଭାବେ ଆଗକୁ ଆଗେଇ ଆସି ସୁନିଶ୍ଚିତ କରିବା ଆବଶ୍ୟକ ଯେ ଦେଶର ବିକାଶ ଏବଂ ଲୋକମାନଙ୍କ କଲ୍ୟାଣ ଯେଭଳି ନିରବଚ୍ଛିନ୍ନ ଭାବେ ଅବ୍ୟାହତ ରହେ।
ପ୍ରିୟ ଦେଶବାସୀ,
୧୭. ଆମର ସାଧାରଣତନ୍ତ୍ର ଦିବସ ଆମ ସମ୍ବିଧାନର ଏକ ଉତ୍ସବ। ମୁଁ ଏଠାରେ ସମ୍ବିଧାନର ପ୍ରମୁଖ ଶିଳ୍ପୀବାବା ସାହେବ ଆମ୍ବେଦକରଙ୍କର ଏକ ଉକ୍ତିକୁ ଉଦ୍ଧୃତ କରି ମୋର ବକ୍ତବ୍ୟ ଶେଷ କରିବାକୁ ଚାହେଁ। “ଯଦି କେବଳ ଏକ ଢାଞ୍ଚା ଭାବେ ନୁହେଁ, ବରଂ ବାସ୍ତବରେ ଆମର ଗଣତନ୍ତ୍ରକୁ ଆମେ ବଜାୟ ରଖିବାକୁ ଚାହିଁବା, ତେବେ ଆମକୁ କ’ଣ କରିବାକୁ ହେବ? ମୋ ଦୃଷ୍ଟିରେ ନିଜର ସାମାଜିକ ଓ ଆର୍ଥିକ ଲକ୍ଷ୍ୟ ହାସଲ କରିବା ଲାଗି, ଅତ୍ୟନ୍ତ ନିଷ୍ଠାର ସହ ସାମ୍ବିଧାନିକ ଉପାୟକୁ ହିଁ ଅବଲମ୍ବନ କରିବା ଆମର ପ୍ରଥମ କାମ ହେବା ଉଚିତ।”
ଏହି ଆପ୍ତଶବ୍ଦ ହିଁ ଆମର ପଥକୁ ସଦାସର୍ବଦା ଆଲୋକିତ କରିଆସିଛି। ଏହି ଶବ୍ଦାବଳୀ ଆମକୁ ଆଗାମୀ ଦିନରେ ମଧ୍ୟ ନୂତନ ଗୌରବ ହାସଲ କରିବା ଦିଗରେ ପଥ ପ୍ରଦର୍ଶକ ହେବ।
ପ୍ରିୟ ନାଗରିକଗଣ
୧୮. ସମଗ୍ର ବିଶ୍ୱ ଏକ ବୃହତର ଏବଂ ସୁଦୃଢ଼ ପରିବାର ବୋଲି ଯେଉଁ ଚିନ୍ତନ ରହିଛି, ତାହା ଆମ ସଂସ୍କୃତିର “ବସୁଧୈବ କୁଟୁମ୍ବକମ’ରୁ ହିଁ ଆନିତ। ତାହା ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ଆମର ସଂପର୍କକୁ ନିବିଡ଼ କରୁଛି।
ଆମେ ଆମ ଗଣତାନ୍ତ୍ରିକ ଆଦର୍ଶକୁ ପରସ୍ପର ସହ ବାଂଟୁଛୁ ଏବଂ ସମଗ୍ର ବିଶ୍ୱ ସହ ଆମର ବିକାଶର ସୁଫଳକୁ ମଧ୍ୟ ବାଂଟି ଚାଲିଛୁ।
ବିଦେଶର କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ଆମର ସାଧାରଣତନ୍ତ୍ର ଦିବସ ଉତ୍ସବରେ ଅତିଥି ଭାବେ ସାମିଲ କରିବାର ପରମ୍ପରା ଆମର ରହିଆସିଛି। ମୁଁ ଆନନ୍ଦିତ ଯେ ଚଳିତ ବର୍ଷ, ଆମର ପ୍ରତିଷ୍ଠିତ ବନ୍ଧୁ, ବ୍ରାଜିଲର ରାଷ୍ଟ୍ରପତି ଶ୍ରୀ ବୋଲସୋନାରୋ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଉତ୍ସବରେ ଅଂଶଗ୍ରହଣ କରୁଛନ୍ତି।
ଭାରତ ଏବଂ ଭାରତବାସୀ ଯେତେବେଳେ ପ୍ରଗତି ପଥରେ ଆଗକୁ ଅଗ୍ରସର ହେଉଛନ୍ତି, ଆମେ ଆମ ନିଜ ସକାଶେ ଏବଂ ସମଗ୍ର ମାନବ ସମାଜ ନିମନ୍ତେ ଏକ ନିରାପଦ ଓ ସମୃଦ୍ଧ ବିଶ୍ୱ ଗଠନ କରିବା ପ୍ରତି ସଂକଳ୍ପବଦ୍ଧ।
୧୯. ମୁଁ ପୁଣି ଥରେ ଗଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି ଏବଂ ଆପଣମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜ୍ଞାପନ କରୁଛି।
ଜୟ ହିନ୍ଦ!

Comments are closed.