ଆଦର୍ଶ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟଙ୍କ ଜବାବ ତଲବ

କଟକ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ‌ରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଏନସିଟିଇ ନିୟମ ଉଲ୍ଲଘଂନ ହେଉଥିବା ଦର୍ଶାଇ ଦାୟର ମାମଲାରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ.କେ.ଦାସଙ୍କ ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଏନସିଟିଇ ନିୟମାବଳୀ ଅନୁସାରେ ସ୍ନାତକ ଡିଗ୍ରୀ ସହିତ ସିଟି ଯୋଗ୍ୟତା ଥିବା ପ୍ରାର୍ଥୀ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ; କିନ୍ତୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ୨୦୨୦ରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ସିଟି ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେଇ ନ ଥିଲେ।

ଏହି ପ୍ରସଙ୍ଗକୁ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର ହୋଇଥିଲା, ସେଥିରେ ଦର୍ଶାଯାଇଛି ଯେ ୨୦୧୭, ଅକ୍ଟୋବର ୨୩ର ଉଚ୍ଚ ନ୍ୟାୟାଳୟଙ୍କ ରାୟ ଆବେଦନକାରୀଙ୍କ ସପକ୍ଷରେ ରହିଛି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ସିଟି ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ଆବେଦନର ସୁଯୋଗ ଦେବାକୁ ଉଚ୍ଚ ନ୍ୟାୟାଳୟ ୨୦୧୭ରେ ନିର୍ଦେଶ ଦେଇଥିଲେ। ଏହି ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ମାଧ୍ୟମିକ ଶିକ୍ଷା ପରିଷଦ, ଏନସିଟିଇ, କେନ୍ଦ୍ର ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ନୋଟିସ୍ ଜାରି କରିଛନ୍ତି।

Comments are closed.