ବିଶ୍ୱ ଐତିହ୍ୟ ତାଲିକାରେ ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ସାମିଲ ଦାବି, କେନ୍ଦ୍ରକୁ ଚିଠି ଲେଖିଲେ ସାଂସଦ ଅପରାଜିତା

ଡେସ୍କ: ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦାବି କରିଛନ୍ତି। ଏ ନେଇ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ପତ୍ର ଲେଖିଛନ୍ତି। ସେ ଦର୍ଶାଇଛନ୍ତି, ପୂର୍ବରୁ ଏହି ଦୁଇ ଐତିହ୍ୟସ୍ଥଳ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସ୍ମାରକ ଭାବେ ଘୋଷଣା ହୋଇସାରିଛି। ଏଏସ୍‌‌ଆଇ ଏହାର ରକ୍ଷଣାବେକ୍ଷଣ କରୁଛି।

ସେ ଲେଖିଛନ୍ତି, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାରେ ଜୈନ ଧର୍ମକୁ ନେଇ ଅନେକ ପଥର ଖୋଦିତ ସ୍ମାରକ ରହିଛି। ପ୍ରଥମ ଖ୍ରୀଷ୍ଟାବ୍ଦର ସମ୍ରାଟ ଖାରବେଳ ସମୟରେ ଅନେକ ଶିଳାଲିପି ମଧ୍ୟ ପାହାଡରେ ଖୋଦିତ ହୋଇ ରହିଛି। ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାରେ ହୋଇଥିବା ପଥର ଖୋଦେଇ କଳା ଗ୍ରୀକ୍‌‌ ଏବଂ ରୋମ୍‌‌ର ଭାସ୍କର୍ଯ୍ୟ କଳା ସହିତ ସାମଞ୍ଜସ୍ୟ ରହିଛି। ଏଥିପ୍ରତି ଗୁରୁତ୍ୱ ଦେଇ ଦୁଇ ଐତିହ୍ୟକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କଲେ ଏହି ଦୁଇ ଐତିହ୍ୟର ସୁନ୍ଦର ଭାବେ ରକ୍ଷଣବେକ୍ଷଣ ହୋଇପାରିବ ବୋଲି ଶ୍ରୀମତୀ ଷଢ଼ଙ୍ଗୀ କହିଛନ୍ତି।

Comments are closed.