ସହାୟତା ଦେଲେ ଅଭିନେତା ସୋନୁ ସୁଦ୍: କେରଳରୁ ସ୍ବତନ୍ତ୍ର ବିମାନରେ ଓଡ଼ିଶା ଫେରିଲେ ୧୬୯ ପ୍ରବାସୀ ଝିଅ

ଭୁବନେଶ୍ବର: ବଲିଉଡ଼୍ ଓ ଟଲିଉଡ଼ ଅଭିନେତା ସୋନୁ ସୁଦଙ୍କ ପ୍ରଶଂସାରେ ଏବେ ଦେଶର ଗଣମାଧ୍ୟମ ଶତମୁଖ । ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଗଣମାଧ୍ୟରେ ଏବେ କେବଳ ସୋନୁଙ୍କ ପ୍ରଶଂସା । ଅବଶ୍ୟ ତାଙ୍କ କାମଟି ମଧ୍ୟ ବେଶ୍ ପ୍ରଶଂସନୀୟ । କେରଳର ବିଭିନ୍ନ ପୋଷାକ ତିଆରି କାରଖାନାରେ ଲକ୍ଡ଼ାଉନ ଯୋଗୁଁ ଅଟକି ରହିଥିବା ୧୬୯ ଓଡ଼ିଆ ଝିଅଙ୍କୁ ଏକ ସ୍ବତନ୍ତ୍ର ବିମାନରେ ପଠାଇଥିବା ବ୍ୟବସ୍ଥା କରିଛନ୍ତି ସୋନୁ ।

କେବଳ ଏହି ଝିଅ ନୁହନ୍ତି ପ୍ରାୟ ୧୨ ହଜାର ପ୍ରବାସୀ ଶ୍ରମିକଙ୍କୁ ଏ ପର୍ଯ୍ୟନ୍ତ ନିଜ ଅଞ୍ଚଳକୁ ସୋନୁ ପଠାଇବାର ବ୍ୟବସ୍ଥା କରିଛନ୍ତି । ବର୍ତମାନ ସୁଦ୍ଧା ଆହୁରି ୩୦ ହଜାର ଶ୍ରମିକ ଫେରିବା ପାଇଁ ସୋନୁଙ୍କ ସହାୟତାକୁ ଅପେକ୍ଷା କରି ରହିଛନ୍ତି ।

ଆଉ ଓଡ଼ିଶାରେ ପହଞ୍ଚିବା ପରେ ଓଡ଼ିଆ ଝିଅମାନେ ଗଦଗଦ୍ ହୋଇଛନ୍ତି । ଓଡ଼ିଶା ମାଟିରେ ପାଦ ଦେବା ପରେ ସୋନୁଙ୍କୁ ନିଜ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି ଧନ୍ୟବାଦ ସୋନୁ ସାର୍ । ସେହିପରି ଓଡ଼ିଶାର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମଧ୍ୟ ସୋନୁଙ୍କୁ ତାଙ୍କର ମହତ୍ କାର୍ଯ୍ୟ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଏହି ଝିଅମାନେ କେରଳର ଏକ ପୋଷାକ ତିଆରି କମ୍ପାନୀରେ କାମ କରୁଥିଲେ। ହେଲେ ଲକଡାଉନ୍ କାରଣରୁ ଦୀର୍ଘ ଦିନ ଧରି କମ୍ପାନୀ ବନ୍ଦ ରହିବା ପରେ ସେମାନେ ସେଠାରେ ବିନା କାମରେ ଅଟକି ରହିଥିଲେ । ଏହାକୁ ନେଇ ସେମାନେ ବ୍ୟସ୍ତ ଥିଲେ ଓ ଏବଂ ନିଜ ସମସ୍ୟା ଉଲ୍ଲେଖ କରି ଏକ ଭିଡ଼ିଓ ଜାରି କରିଥିଲେ । ଏହି ଭିଡ଼ିଓ ଦେଖିବା ପରେ ସୋନୁ ଝିଅମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଓଡ଼ିଶା ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ । ଆଜି ଏହି ଝିଅମାନେ ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ କେନ୍ଦ୍ରାପଡ଼ାରେ ନିଜ ଗାଁକୁ ପଠାଇ ଦିଆଯାଇଛି । ସେମାନେ ସେଠାରେ ସରକାରୀ ନିୟମ ଅନୁସାରେ ସଙ୍ଗରୋଧରେ ରହିବେ ଏବଂ ସଂଗରୋଧ ଶେଷ ପରେ ନିଜ ଘରକୁ ଯିବେ ।

Comments are closed.