ଭାରତରେ ୮ ଲକ୍ଷ ତଳକୁ ଖସିଲା ସକ୍ରିୟ କରୋନା ସଂକ୍ରମଣ

କୋଭିଡ ପରିଚାଳନାରେ ଭାରତ ଆଉ ଏକ ସଫଳତାର ମାଇଲଖୁଣ୍ଟ ଅତିକ୍ରମ କରିଛି। ପ୍ରଥମ ଥର ପାଇଁ ଗତ ଦେଢ ମାସ ପରେ ଦେଶର ସକ୍ରିୟ କରୋନା ସଂକ୍ରମଣଙ୍କ ସଂଖ୍ୟା ୮ ଲକ୍ଷ ତଳକୁ ଖସିଛି। ଇତି ମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୯୫ ହଜାର ୮୭ରେ ପହଞ୍ଚିଥିବା ବେଳେ ଏହା ସମୁଦାୟ ସଂକ୍ରମଣର ମାତ୍ର ୧୦ ଦଶମିକ ୭/୦ ପ୍ରତିଶତ ବୋଲି ଜଣାପଡିଛି। ସେପ୍ଟେମ୍ବର ପହିଲାରେ ସକ୍ରିୟ ମାମଲା ୭ ଲକ୍ଷ ୮୫ ହଜାର ୯୯୬ ଥିଲା। ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂକ୍ରମିତ ସୁସ୍ଥ ହେଉଥିବା ଫଳରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଭାରତରେ ସୁସ୍ଥତା ହାର ମଧ୍ୟ ଖୁବ ଅଧିକ ରହିଛି। ଏପର୍ଯ୍ୟନ୍ତ ୬୫ ଲକ୍ଷ ୨୪ ହଜାର ୫୯୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ସଂଖ୍ୟାର ପାର୍ଥକ୍ୟ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଇଁ ଏହା ଏବେ ୫୭ ଲକ୍ଷ ୨୯ ହଜାର ୫୦୮ରେ ପହଞ୍ଚିଛି।

ଗତକାଲି ଗୋଟିଏ ଦିନରେ ୭୦ ହଜାର ୮୧୬ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୬୨ ହଜାର ୨୧୨ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜାତୀୟ ସୁସ୍ଥତା ହାର ବୃଦ୍ଧି ପାଇ ୮୭ ଦଶମିକ ୭/୮ ପ୍ରତିଶତରେ ପହଞ୍ଚିଛି। ଦେଶବ୍ୟାପୀ ଡାକ୍ତରୀ ଭିତ୍ତିଭୂମିର ବିକାଶ, ଚିକିତ୍ସା ସମ୍ପର୍କିତ କେନ୍ଦ୍ରୀୟ ନିୟମାବଳୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ଅନୁପାଳନ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ଦେଶର ସୁସ୍ଥତା ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି। ଭାରତରେ ପୃଥିବୀର ସବୁଠାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଏହାର ମୃତ୍ୟୁ ହାର ମଧ୍ୟ ସର୍ବନିମ୍ନ ୧ ଦଶମିକ ୫/୨ ପ୍ରତିଶତରେ ପହଞ୍ଚିଛି। ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୮ ପ୍ରତିଶତ ନୂତନ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ମହାରାଷ୍ଟ୍ରରେ ଦିନକ ମଧ୍ୟରେ ସର୍ବାଧିକ ୧୩ ହଜାରରୁ ଊର୍ଦ୍ଧ୍ଵ ସୁସ୍ଥ ହୋଇଥିବା ବେଳେ କର୍ଣ୍ଣାଟକରେ ୮ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।

ସେହିପରି ଦେଶରେ ଗତକାଲି ଚିହ୍ନଟ ୬୨ ହଜାର ୨୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୮୯ ପ୍ରତିଶତ ରୋଗୀ ଅଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୧ ହଜାରରୁ ଊର୍ଦ୍ଧ୍ଵ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକ ଓ କେରଳରେ ୭ ହଜାରରୁ ଊର୍ଦ୍ଧ୍ଵ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ୮୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୩୦୬ ଜଣଙ୍କର ପ୍ରାଣହାନୀ ଘଟିଛି।

Comments are closed.