୭ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ : ୩ ବନ କର୍ମଚାରୀ ନିଲମ୍ବିତ

0

ଭୁବନେଶ୍ବର : ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗରେ ବିଦ୍ୟୁତ ଆଘାତରେ ଏକକାଳୀନ ୭ଟି ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବନ ବିଭାଗ ପକ୍ଷରୁ ତିନିଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଢେଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ବାଳ, ମେରାମୁଣ୍ଡଳୀ  ସେକସନ ଫରେଷ୍ଟର ପ୍ରଭାକର ରଣା, ମେରାମୁଣ୍ଡଳୀ ଫରେଷ୍ଟ ଗାର୍ଡ ଗରିଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

​ସେ‌ହିପରି ଏହି ଘଟଣାରେ ସେସୁ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା କାରଣରୁ ଢେଙ୍କାନାଳ ବିଦ୍ୟୁତ ମଣ୍ଡଳ ଅଧୀକ୍ଷଣ ଯନ୍ତ୍ରୀ ନରେଶଚନ୍ଦ୍ର ପଟ୍ଟନାୟକ, ଚାଇଁପାଳ ଏସଡ଼ିଓ ଆର୍ତ୍ତତ୍ରାଣ ନାୟକ ଏବଂ ମେରାମୁଣ୍ଡଳୀ ଲାଇନମ୍ୟାନ ଫିରୋଜ ପଣ୍ଡାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏହି ଘଟଣାରେ ମେରାମୁଣ୍ଡଳୀ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେସୁର ମାନବ ସମ୍ବଳ ବିଭାଗ ଅଧିକାରୀ ସୁବ୍ରତ କୁମାର ମିଶ୍ର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗରେ ବିଦ୍ୟୁତ ଆଘାତରେ ଏକକାଳୀନ ୭ଟି ହାତୀଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ କମଳାଙ୍ଗ ନିକଟରେ ରେଳ ଲାଇନ୍‌ ପାର ହେଉଥିବା ବେଳେ ୧୩ଟି ହାତୀ ମଧ୍ୟରୁ ୭ଟି ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ତେବେ ସେଠାରେ ଯାଇଥିବା ବିଦ୍ୟୁତ ତାର ମାତ୍ର ୫ ଫୁଟ ଉଚ୍ଚତାରେ ରହିଥିଲା । ନିୟମ ଅନୁଯାୟୀ ବିଦ୍ୟୁତ ତାର ୧୭ ଫୁଟ୍‌ ଉପରେ ରହିବା କଥା । ମାତ୍ର ଦୀର୍ଘ ଦିନ ହେବ ତାର ଗୁଡ଼ିକ ଓହଳି ପଡ଼ିଥିଲା । ସେସୁ ଏଥିପ୍ରତି ଧ୍ୟାନ ଦେଇ ନଥିଲା । ଏହା ସହିତ  ବିଦ୍ୟୁତ ପରିବହନ ଲାଇନ୍‌କୁ କେବୁଲିଂ ମଧ୍ୟ କରାଯାଇ ନ ଥିଲା । ଫଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲି ପିସିସିଏଫ୍‌ ପ୍ରେସ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ ସେସୁକୁ ଚିଠି ଲେଖି ଏ ବିଷୟରେ ଜଣାଇଥିଲେ ବୋଲି ଡିଏଫ୍‌ଓ ସୁଦର୍ଶନ ପାତ୍ର କହିଛନ୍ତି । ତେଣୁ ତଦନ୍ତ କରାଯିବ ଏଥିରେ ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେବେ ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ ଟିମ୍‌ ଗଠନ କରାଯାଇଛି । ସେଥିରେ ଶକ୍ତି ବିଭାଗର ଇନ୍‌ସ୍ପେକଟର୍‌ ଓ ସେସୁର ଚିଫ୍‌ ଇଞ୍ଜିନିୟର ରହିଛନ୍ତି । ୨୦୧୩ରୁ ବିଦ୍ୟୁତ ବିଭାଗକୁ ସମସ୍ତ ହାତୀ ଚଳପ୍ରଚଳ ଅଂଚଳରେ ଯାଇଥିବା ବିଦ୍ୟୁତ ତାରକୁ କେବୁଲିଂ କରିବାକୁ କୁହାଯାଇଥିଲା  କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ବିଦ୍ୟୁତ ବିଭାଗର ଜଣେ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉଛି ବୋଲି ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।

Leave A Reply