୪୨୬୭ଙ୍କ ଲାଇସେନ୍ସ ୩ ମାସ ବାତିଲ

ଭୁବନେଶ୍ବର: ଚଳିତ ବର୍ଷର ପ୍ରଥମ ୨୧ ଦିନରେ ପରିବହନ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନ କରିଥିବା ୪୧୬୭ ଜଣ ଗାଡ଼ି ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯାଇଛି। ଏନେଇ ପରିବହନ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗାଡ଼ି ଚାଳକଙ୍କର ଆସନ୍ତା ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍‌ କରାଯାଇଛି। ବିଶେଷ କରି ବିନା ହେଲ୍‌ମେଟ୍‌ ବାଇକ୍‌ ଆରୋହୀ, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଗାଡ଼ି ଚାଳନା, ଟ୍ରାଫିକ ଛକରେ ନାଲି ଆଲୁଅ ଅତିକ୍ରମ କରିବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ଫୋନ୍‌ରେ କଥା ହେବା ଓ କ୍ଷମତାଠାରୁ ଅଧିକ ମାଲ୍‌ ପରିବହନ କରି ସଡ଼କ ସୁରକ୍ଷା ନିମୟ ଉଲ୍ଲଘଂନ କରିଥିବା ଅଭିଯୋଗରେ ଏହି ଗାଡ଼ି ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯାଇଛି।

ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନକାରୀଙ୍କ ମଧ୍ୟରେ ସବୁଠାରୁ ଅଧିକ ବିନା ହେଲ୍‌ମେଟ୍‌ ଚାଳକ ଯାଞ୍ଚ ବେଳେ ଧରାପଡିଛିନ୍ତି। ୨୬୮୮ ଜଣ ବିନା ହେଲ୍‌ମେଟ୍‌ ଓ ପଛ ଆରୋହୀ(ପିଲିୟନ୍‌) ହେଲ୍‌ମେଟ୍‌ ନ ପିନ୍ଧଥିବା ଯୋଗୁଁ ଧରାପଡିଛନ୍ତି। ଏହା ପରେ ୭୨୮ ଜଣ ଦ୍ରୁତ ଗତିରେ ଗାଡ଼ି ଚଳାଇ ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନ କରିଛନ୍ତି। ତୃତୀୟରେ ମୋବାଇଲ ଫୋନରେ କଥା ହୋଇ ଗାଡ଼ି ଚଳାଇବା ବେଳେ ୨୫୫ ଜଣ ଧରାପଡିଛନ୍ତି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ୭୮ଜଣ ଯାଞ୍ଚରେ ଧରାପଡିଛନ୍ତି। ସେହିପରି ୩୨ ଜଣ ଚାରିଚକିଆ ଯାନ ଚଳାଇବା ବେଳେ ସିଟ୍‌ବେଲ୍‌ଟ ପିନ୍ଧି ନ ଥିବା ବେଳେ ଧରାପଡିଥିଲେ। ଏହା ବ୍ୟତୀତ ଟ୍ରାଫିକ ଓ ମଟର ଯାନ ଆଇନର ଏକାଧିକ ଧାରା ଉଲ୍ଲଙ୍ଘନ କରିଥିବା କାରଣରୁ ଅବଶିଷ୍ଟ ଚାଳକଙ୍କ ଲାଇସେନ୍ସ ବାତିଲ କରାଯାଇଛି।

ରାଜ୍ୟର ପ୍ରାୟତଃ ସମସ୍ତ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ପକ୍ଷରୁ ଚଳିତ ବର୍ଷ ସଡ଼କ ସୁରକ୍ଷା ଆଇନ୍‌କୁ ପାଳନ କରାଯାଇ ଧରପଗଡ଼ ଆରମ୍ଭ କରାଯାଇଛି। ତେବେ ଏହି ଅଭିଯାନରେ ସବୁଠାରୁ ଅଧିକ ଜୋର୍‌ଦାର ଧରପଗଡ଼ କରିଛି ଆର୍‌ଟିଓ-୧। ଖୋର୍ଦ୍ଧା ଜିଲା ଏବଂ କମିସନରେଟ୍‌ ପୁଲିସ ଅଞ୍ଚଳରେ ଆର୍‌ଟିଓ-୧ ପକ୍ଷରୁ ହାଇୱେ ଏବଂ ବିଭିନ୍ନ ଅଞ୍ଚଳରେ ଧରପଗଡ଼ କରାଯାଇ ୬୫୪ ଜଣ ଉଲ୍ଲଘଂନକାରୀଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯାଇଥିବା ବେଳେ ଆର୍‌ଟିଓ-୨ ପକ୍ଷରୁ ୫୪୮, କଟକ ଆର୍‌ଟିଓ ପକ୍ଷରୁ ୫୩୭, ସମ୍ବଲପୁର ଆର୍‌ଟିଓ ୪୧୦ ଓ ରାଉରକେଲା ଆର୍‌ଟିଓ ୨୭୯ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯାଇଛି।

Comments are closed.