ସତ୍ୟବାଦୀରେ ଆଚାର୍ଯ୍ୟ ହରିହର ଜୟନ୍ତୀ ପାଳିତ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀରେ ବୁଧବାର ରୂଷିପ୍ରତିମ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ଆୟୋଜନ କରାଯାଇଥିଲା। ପରିଷଦ ସଭାପତି ଗୁଣ୍ଡିଚା ବରାଳ ପ୍ରମୁଖ ହରିହରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ସହିତ ପଞ୍ଚଶଖା ସମାଧି ପୀଠରେ ଆଚାର୍ଯ୍ୟ ମହାଶୟଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ଏକ ରକ୍ତଦାନ ଶିବିରକୁ ତହସିଲଦାର କସ୍ତୁରୀ ପ୍ରଧାନ ଉଦ୍‌ଘାଟନ କରିଥିଲେ। ପୁରୀ ଆଚାର୍ଯ୍ୟ ହରିହର ରକ୍ତ ଭଣ୍ଡାର ତରଫରୁ ଡା. ଦୀପକ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ପାତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଏକ ଯୋଗ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୫୦ ଲୋକ ଯୋଗଶିବିରରେ ଅଂଶଗ୍ରହଣ କରିଥିଲେ।

ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭକରି ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିଥିବା କିଛି ପ୍ରତିଭାଙ୍କୁ ସମ୍ମାନିତ କରାଯିବା ସହ ସତ୍ୟବାଦୀର ୩ ଶହ ଜଣ ବରିଷ୍ଠ ନାଗରିକଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ଧ୍ୟାରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ସାଂସଦ ପିନାକି ମିଶ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.