ଶିଶୁ ମୃତ୍ୟୁ ଘଟଣାରେ ଉତ୍ତରଦାୟିତ୍ୱ ସ୍ଥିର ହେଉ – ସଚିନ ପାଇଲଟ

ରାଜସ୍ଥାନ: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି, କୋଟାର ଜେ.କେ. ଲୋନ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା ପାଇଁ ଉତ୍ତରଦାୟିତ୍ୱ ସ୍ଥିର ହେବା ଉଚିତ୍‍। ଶନିବାର ଅପରାହ୍ଣରେ ହସ୍ପିଟାଲ ଗସ୍ତ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପାଇଲଟ କହିଛନ୍ତି, ଶିଶୁମାନଙ୍କ ମୃତ୍ୟୁରେ ସେ ଗଭୀର ଭାବେ ମର୍ମାହତ। ସେ କହିଛନ୍ତି, ଏହି ଘଟଣାରେ ସରକାରଙ୍କ ପ୍ରତିକ୍ରିୟା ଆଦୌ ସନ୍ତୋଷଜନକ ନୁହେଁ। ସେ କହିଛନ୍ତି, ଯେଉଁମାନେ ନିଜ ନିଜର ପିଲାମାନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ଏତେ କମ୍‍ ସମୟ ମଧ୍ୟରେ ଏତେଗୁଡ଼ିଏ ଶିଶୁଙ୍କର ମୃତ୍ୟୁ ପଛରେ କିଛିନା କିଛି କାରଣ ରହିଛି। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରମେଶ ମିନା ଓ ସମବାୟ ମନ୍ତ୍ରୀ ଉଦୟ ଲାଲ  ଅଞ୍ଜାନା ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ଗସ୍ତରେ ଥିଲେ। ପାଇଲଟ ପୀଡ଼ିତମାନଙ୍କ ପରିବାରକୁ ମଧ୍ୟ ଭେଟିଥିଲେ। ଲୋକସଭା ବାଚସ୍ପତି ମଧ୍ୟ ପୀଡ଼ିତମାନଙ୍କ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଇତିମଧ୍ୟରେ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣାର ସମୀକ୍ଷା ପାଇଁ ଅଗ୍ରଣୀ ଶିଶୁ ବିଶେଷଜ୍ଞ ଓ ଅନ୍ୟାନ୍ୟ ବିଶେଷଜ୍ଞ ଡାକ୍ତରମାନଙ୍କର ଟିମ୍‍ କୋଟାରେ ପହଞ୍ଚିଛି। ଘଟଣାର ସମୀକ୍ଷା ଓ ସମସ୍ୟାର ନିଦାନ ପାଇଁ ଆଶୁପଦକ୍ଷେପ ନେବା ସକାଶେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଦଳକୁ ସେଠାକୁ ପଠାଯାଇଛି। ଏହି ଉଚ୍ଚସ୍ତରୀୟ ଟିମ୍‍ରେ ଜୋଧପୁର ଏମସ୍‍ର ବିଶେଷଜ୍ଞ ଡାକ୍ତର ଏବଂ ଜୟପୁର ସ୍ୱାସ୍ଥ୍ୟସେବା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ସାମିଲ ଅଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡକ୍ଟର କେ.କେ. ଶର୍ମା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଏହି କେନ୍ଦ୍ରୀୟ ଦଳରେ ସାମିଲ ଅଛନ୍ତି।

Comments are closed.