ଚିନ୍ତା ବଢ଼ାଉଛି ଦୁର୍ଘଟଣା : ଦଶବର୍ଷରେ ଗଲାଣି ୩୦ହଜାର ଜୀବନ

0

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ୁଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି। ୨୦୧୭ରେ ଦେଶରେ ଦୁର୍ଘଟଣାରେ ମୋଟ ୧.୪୮ଲକ୍ଷ ଲୋକ ପ୍ରାଣ ହରାଇଥିବାବେଳେ ଓଡ଼ିଶାରେ ଏହି ସମୟ ମଧ୍ୟରେ ୪,୮୦୦ଲୋକ ପ୍ରାଣ ହରାଇଥିଲେ। ପ୍ରାୟ ୫ହଜାର ଲୋକ ଆହତ ହାଇଥିଲେ। ଗତ ଦଶନ୍ଧିରେ ରାଜ୍ୟରେ ଦୁର୍ଘଟଣାରେ ୩୦ହଜାର ଲୋକଙ୍କ ପ୍ରାଣହାନି ଘଟିଛି। ସାରା ଦେଶରେ ପ୍ରତି ୧୦୦ଟି ଦୁର୍ଘଟଣାରେ ୨୯ଜଣ ପ୍ରାଣ ହରାଉଥିବାବେଳେ ଓଡ଼ିଶାରେ ଏହି ସଖ୍ୟା ୪୪ରେ ପହଞ୍ଚିଛି। ଓଡ଼ିଶାରେ ଦୁର୍ଘଟଣାର ଭୟାବହତା ଏଥିରୁ ବାରି ହେଉଛି। ଦୁର୍ଘଟଣା ପରବର୍ତ୍ତୀ ଆଶୁ ଚିକିତ୍ସା ଯୋଗାଇବା କ୍ଷେତ୍ରରେ ଆମର ଦାୟିତ୍ବହୀନତା ଓ ବିଫଳତା ହିଁ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଦାୟୀ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ.ନୃସିଂହଚରଣ ସାହୁ କହିଛନ୍ତି।
ସଚିବାଳୟଠାରେ ଶୁକ୍ରବାର ଅନୁଷ୍ଠିତ ସଡ଼କ ସୁରକ୍ଷା ପରିଷଦର ଦ୍ବିତୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଥିଲେ ଯେ ଦୁର୍ଘଟଣା ହାର କମାଇବା ପାଇଁ ସୁପ୍ରିମକୋର୍ଟ ୨୦୧୪ ମସିହାରେ ଅବସରପ୍ରାପ୍ତ ବିଚାରପତି ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା କମିଟି ନିୟମିତ ଭାବେ ସମୀକ୍ଷା କରୁଛନ୍ତି। ୨୦୨୦ ମସିହା ସୁଦ୍ଧା ଦୁର୍ଘଟଣା ହାର ୫୦ପ୍ରତିଶତ କମାଇବାକୁ କମିଟି ଗୁରୁତ୍ବାରୋପ କରିଛି। ହେଲେ ରାଜ୍ୟରେ ଏହାର ବିପରିତ ଚିତ୍ର ଦେଖିବାକୁ ମିଳିଛି। ୨୦୧୫ ମସିହା ତୁଳନାରେ ୨୦୧୬ ମସିହାରୁ ୨୦୧୭ ମଧ୍ୟରେ ଦୁର୍ଘଟଣା ହାର ୭.୩୩ପ୍ରତିଶତ ବୃଦ୍ଧି ପାଇଛି। ୨୦୧୮ ମସିହା ଅକ୍ଟୋବର ସୁଦ୍ଧା ପରିସ୍ଥିତି ଅଧିକ ଜଟିଳ ହୋଇଛି। ଏହି ସମୟ ସୁଦ୍ଧା ରାଜ୍ୟରେ ୪୨୭୦ଟି ଦୁର୍ଘଟଣା ଘଟିଛି। ୨୦୧୭ ମସିହା ତୁଳନାରେ ୮.୪୩ପ୍ରତିଶତ ଅଧିକ। ଦୁର୍ଘଟଣା ହାର ପ୍ରତିବର୍ଷ ୧୦ ପ୍ରତିଶତ ହ୍ରାସ ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦେଶ ରହିଥିବା ସତ୍ତ୍ବେ ଏଥିରେ କୌଣସି ସୁଧାର ଆସୁନାହିଁ। ସୁପ୍ରିମକୋର୍ଟ କମିଟି ୨୦୧୮ ଜୁଲାଇ ୧୦ରେ ରାଜ୍ୟରେ ଦୁର୍ଘଟଣା ହାର ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବୈଠକରେ ଦୁର୍ଘଟଣା ହାର ହ୍ରାସ ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିରେ କମିଟି ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଦୁର୍ଘଟଣା କିପରି କମିବ ସେ ସମ୍ପର୍କରେ ୨୦୧୮ ଡ଼ିସେମ୍ବର ୩୧ସୁଦ୍ଧା ମତ ରଖିବା ସହିତ ବିହିତ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ।
ଏହି ସମୟ ଭିତରେ ଖୋର୍ଦ୍ଧାରୁ ଚଣ୍ଡିଖୋଲ ମଧ୍ୟରେ ଯାନବାହନ ଚଳାଚଳକୁ ସଠିକ ଭାବେ ନିୟନ୍ତ୍ରଣ, ନିୟମିତ ତଦାରଖ ସହିତ ସିସିଟିଭି ସର୍ଭିଲେନ୍ସ ବ୍ୟବସ୍ଥା ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଏବେ ରାମେଶ୍ବରଠାରୁ ଚଣ୍ଡିଖୋଲ ମଧ୍ୟରେ ୨୪ଟି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି। ଏହି କ୍ୟାମେରା ଗାଡ଼ିର ଗତି ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ନିୟମ ଭଙ୍ଗକାରୀ ଚାଳକ ଓ ଗାଡ଼ି ଉପରେ ଇ-ଚାଲାଣ କାଟିପାରିବ। ଦୁର୍ଘଟଣା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧୀନରେ ଷ୍ଟୁଡ଼େଣ୍ଟ ଟ୍ରାଫିକ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଗାଡ଼ିର ବେଗ ସମ୍ପର୍କରେ ଦୁର୍ଘଟଣା ପ୍ରବଣ ସ୍ଥାନରେ ସୂଚିତ କରାଯିବା ସହିତ ସିଟିଜେନ ରିପୋର୍ଟିଂ ବ୍ୟବସ୍ଥା ରାଜ୍ୟରେ ଲାଗୁ କରିବା, ପ୍ରତ୍ୟେକ ସଚେତନ ନାଗରିକ ଯାନବାହନ ଚଳାଚଳରେ ବ୍ୟତିକ୍ରମ ଦେଖିଲେ ତୁରନ୍ତ ପୁଲିସକୁ ସାବଜନୀନ ଟେଲିଫୋନ ନମ୍ବରରେ ସୂଚନା ଦେବାକୁ ବ୍ୟବସ୍ଥା କରାଯିବ। ସବୁ ଜିଲା ଓ ସବଡ଼ିଭିଜନରେ ବୈଦ୍ୟୁତିକ ଟ୍ରାଫିକ ସିଗନାଲ ବ୍ୟବସ୍ଥା ଲାଗୁ କରିବା ସହ ବର୍ତ୍ତମାନ ୪ଟି ଜିଲା ପୁରୀ, ଅନୁଗୋଳ, ଖୋର୍ଦ୍ଧା, କେନ୍ଦୁଝର ଜିଲା ସହିତ ନୂଆକରି କୋରାପୁଟ , ବା​‌େ​‌ଲଶ୍ବର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ କମିଶନରେଟ ପୁଲିସରେ ଷ୍ଟୁଡ଼େଣ୍ଟ ଟ୍ରାଫିକ ସ୍ବେଚ୍ଛାସେବୀଙ୍କ ପାଇଁ ବୃତ୍ତି ବ୍ୟବସ୍ଥା ଆରମ୍ଭ କରିବା ଉପରେ ବୈଠକରେ ନିଷ୍ପତ୍ତି ହୋଇଛି।
ଦୁର୍ଘଟଣାପ୍ରବଣ ଜିଲାକୁ ଚିହ୍ନଟ କରି ଏହାର ନିରାକଣ ଦିଗ ପ୍ରତି ଦୃଷ୍ଟି ଦିଆଯିବା ସହିତ ପୁଲିସ, ପରିବହନ ଓ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ଜରିଆରେ ଜରୁରୀକାଳୀନ ଚିକିତ୍ସା ସହାୟତା ଯୋଗାଇବା, ଦୁର୍ଘଟଣା ପରେ ତତ୍କାଳ ଜରୁରୀ ପ୍ରାଥମିକ ଚିକିତ୍ସା, ଟ୍ରମା କେୟାର ବ୍ୟବସ୍ଥାକୁ ସୁନିଶ୍ଚିତ କରିପାରିଲେ ଦୁର୍ଘଟଣା ମୃତାହତ ସଂଖ୍ୟା ହ୍ରାସ କରାଯାଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
ବୈଠକରେ କୃଷି ଉତ୍ପାଦନ କମିଶନର ଗଗନ ଧଳ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧ୍ୟକ୍ଷ କେ.ବି.ସିଂହ, ପରିବହନ କମିଶନର ସଞ୍ଜୀବ ପଣ୍ଡା, କ୍ରାଇମ ବ୍ରାଞ୍ଚ ଏଡ଼ିଜି ସନ୍ତୋଷ କୁମାର ଉପାଧ୍ୟାୟ, ଘରୋଇ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା, ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ, ବିଭିନ୍ନ ​‌େସ୍ବଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ବସ ଓ ଟ୍ରକ ମାଲିକ ସଂଘର କାର୍ଯ୍ୟକର୍ତ୍ତା ବୈଠକରେ ଦୁର୍ଘଟଣାର କାରଣ ଓ ନିରାକରଣ ଉପରେ ମତ ରଖିଥିଲେ।

Leave A Reply