ହାଇୱା ଧକ୍କାରେ ଅଟୋ ଚୁରମାର: ମା, ପୁଅ ଓ ଝିଅ ସହ ମାମୁଁ ମୃତ

ମନମୁଣ୍ଡା/କଣ୍ଟାମାଳ: କଣ୍ଟାମାଳ-ମନମୁଣ୍ଡା ୪୧ ନଂ ରାଜ୍ୟ ରାଜପଥର ଗୋପାଲମାଳ ଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ମା’ ପୁଅଝିଅଙ୍କ ସହ ମାମୁଁର ମୃତ୍ୟୁ ଘଟିଛି।
ପ୍ରକାଶ ଯେ ସିମିଳିପଦର ପଞ୍ଚାୟତ ଫଗୁଣାମାଲ ଗ୍ରାମର ସୁରୁସୁତା ନାଗଙ୍କ ପରିବାର ସଦସ୍ୟମାନେ ତାଙ୍କ ନାତୁଣିର ଅନ୍ନପ୍ରାସନ ପାଇଁ ଆଜି ସକାଳେ ଖଟଖଟିଆ ରୁଗୁଡିପାଲିରୁ ପଲସାଗୋରାକୁ ଭୋଜି ସାମଗ୍ରୀ କିଣିବା ପାଇଁ ଅଟୋରେ ଯାଇଥିଲେ। ଅଟୋକୁ ସୁରୁସୂତାଙ୍କ ଭାଇ ଗଣେଶ ତାଣ୍ଡିଆ(୩୫) ଚଳାଉଥିଲେ। ଅଟୋରେ ସୁରୁସୂତାଙ୍କ ପୁଅ ବବୁଲୁ ନାଗ(୧୩), ଝିଅ ସରୋଜିନୀ ନାଗ(୨୦)ଙ୍କ ସହ ଅନ୍ୟ ଜଣେ ସଂପର୍କୀୟ ପିଣ୍ଟୁ ତାଣ୍ଡି ମଧ୍ୟ ଥିଲେ। ପଲସାଗୋରା ଯିବା ସମୟରେ ସକାଳ ପ୍ରାୟ ୯ଟାରେ ଗୋପାଲମାଲ ଛକଠାରେ ଏକ ପିଚୁ ବୋଝେଇ ହାଇୱା ଅଟୋକୁ ଧକ୍କା ଦେଇଥିଲା ଫଳରେ ଅଟୋରେ ଥିବା ସୁରୁସୁତା ନାଗ(୫୦), ସରୋଜିନୀ ନାଗ (୨୦) ବବୁଲୁ ନାଗ (୧୩)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାସହ ଗଣେଶଙ୍କ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗଣେଶ ଓ ପିଣ୍ଟୁକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା।


ଶୁକ୍ରବାର ସରୋଜିନୀଙ୍କ ଝିଅର ଏକୋଇଶିଆ ଥିବା ହେତୁ ପରିବାର ସଦସ୍ୟ ଅଟୋରେ ପଲସଗୋରାକୁ ଜିନିଷ କିଣିବାକୁ ଯାଉଥିଲେ। ଅଟୋଟି ରାଜ୍ୟପଥ ୪୧ ଗୋପାଲମାଲ ଛକ ନିକଟରେ କଣ୍ଟାମାଳ ଦିଗକୁ ମୁଁହ କରି ଠିଆ ହୋଇଥିବାବେଳେ ହାଇୱ ପଛରୁ ଆସି ଧକ୍କା କରିଥିଲାବୋଲି ଫଗୁଣାମାଲ ଗ୍ରାମର ୱାର୍ଡ ସଭ୍ୟ ବିରୁପାକ୍ଷ ମେଣ୍ଡିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ଘଟାଇ ହାଇୱ ଚାଳକ ଫେରାର ହୋଇଯାଇଥିଲା।
ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ସାଧାରଣ ଲୋକଙ୍କ ଭିଡ ଜମିବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ହାଇୱ ଗାଡି ମାଲିକ ଠିକାଦାର ଜୟରାମ ପୂଜାହାରି ଘଟଣାସ୍ଥଳରେ ପହଞ୍ଚି ମୃତକ ପରିବାରକୁ ୭୦ ହଜାର ଟଙ୍କା ଦେବା ସହ ଗୁରୁତର ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ଘୋଷଣା କରିଥିଲେ। ଘଟଣା ସ୍ଥଳକୁ କଣ୍ଟାମାଲ ତହସିଲଦାର ଅର୍ଜୁନ ପ୍ରଧାନ, ବିଡିଓ ବନ୍ଦନା ଖଟୁଆ ମଧ୍ୟ ପହଞ୍ଚି ରେଡ଼କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ଦେବାର ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏନସିଆର ପାଣ୍ଠିରୁ ବୀମା ବାବଦ ଟଙ୍କା କରାଇଦେବାର ଚେଷ୍ଟା କରିବାର ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଦୀର୍ଘ ପ୍ରାୟ ୪ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା । ପୁଲିସ ଉଭୟ ଗାଡିକୁ ଜବତ କରିଥିବା ମନମୁଣ୍ଡା ଆଇଆଇସି ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.