ସଡକ ଦୁର୍ଘଟଣାରେ ଏକ ମୃତ ୪ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଣପୁର-ବାଲୁଗାଁ ବାଇପାସ ନିକଟ ପାରିକଂସାରୀ ଛକରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ସମେତ ଜଣେ ବ୍ୟକ୍ତିଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତକ ହେଲେ ଏମ. ତାତା ପାଇ।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପାଖାପାଖି ୫ ଟାରେ ବିଶାଖାପାଟଣାରୁ ୮ ଜଣଲୋକଙ୍କୁ ନେଇ ଏକ ଟାଟା ପିକଅପ ଭ୍ୟାନ ପୁରୀ ପେଣ୍ଠକଟା ଅଞ୍ଚଳକୁ ଯାଉଥିବା ସମୟରେ ବାଣପୁର ବାଲୁଗାଁ ବାଇପାସ ପାରିକଂସାରୀ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ି ଚାଳକଙ୍କ ଆଖି ଲାଗିଯାଇଥିବା ସ୍ଥଳେ ଚାଳକ ଡ଼େଇଁପଡ଼ିବାରୁ ଗାଡ଼ିଟି ବିପରୀତ ଦିଗରେ ଓଲଟି ପଡିଥିଲା। ଫଳରେ ଭ୍ୟାନ ପଛପଟେ ଡ଼ାଲାରେ ଥିବା ଏମ. ତାତା ପାଇ ନାମକ ଜଣେ ବୃଦ୍ଧ ବ୍ୟକ୍ତି ଛିଟିକିପଡ଼ି ଗାଡ଼ି ଆଗରେ ପଡିଯାଇଥଲେ । ତେବେ ଭାରସାମ୍ୟ ହରାଇ ଗାଡିଚାଳକ ତାଙ୍କ ଉପରେ ଗାଡ଼ି ଚଢେଇ ଦେଇଥିଲେ ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଅନୁରୂପ ଭାବେ ଡ଼ାଲାରେ ଥିବା ଜି. ନକରାଜୁ ନାମକ ବ୍ୟକ୍ତିଙ୍କ ବାମ ଗୋଡ଼ ଉପରକୁ ମଧ୍ୟ ଗାଡ଼ି ଚଢ଼ିଯାଇଥିଲା ଯାହା ଫଳରେ ତାଙ୍କ ବାମ ଗୋଡ଼ ସଂପୂର୍ଣ୍ଣ କଟିଯାଇଛି। ଅନ୍ୟ ଜଣେ ଜି.କୋଣ୍ଡାମା ନାମକ ମହିଳାଙ୍କ ଗୋଡ଼ ମଧ୍ୟ ଫ୍ୟାକଚର ହେଇଯାଇଛି ଏବଂ ପଶୁଲୁ ବଳରାମ ନାମକ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ତୁରନ୍ତ ବାଲୁଗାଁ ଆଇ ଆଇ ସି ରମାକାନ୍ତ ମାହାଲିକ, ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼, ବାଲୁଗାଁ ଥାନା ଏ.ଏସ.ଆଇ ଦିଲୀପ ବିଶ୍ୱାଳ ଏବଂ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲ ନେଇଥିବା ସ୍ଥଳେ ଗାଡ଼ି ଏବଂ ମୃତକଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଗାଡ଼ି ଚାଳକ ଘଟଣା ସ୍ଥଳରେ ଫେରାର ହୋଇଯାଇଛି। ବାଲୁଗାଁ ପୁଲିସ ମୃତକ ଏବଂ ଆହତଙ୍କ ପରିଜନକୁ ଏ ସମ୍ପର୍କରେ ସୂଚନା ଦେଇ ତଦନ୍ତ ଚଳାଇଛନ୍ତି।

Comments are closed.