କାର ବାଇକ ମୁହାଁମୁହିଁ, ଜଣେ ଗୁରୁତର

ତେଲକୋଇ: ତେଲକୋଇ ଥାନା ଘୁଣ୍ଟୁପଶୀ ଗ୍ରାମ ନିକଟସ୍ଥ ଠିପି ବନ୍ଦ ବିଦେଶୀ ମଦ ଦୋକାନ ନିକଟରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଏବଂ ବାଇକ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ବାଲେଶ୍ବର ରୁ କାରଟି ରାଉରକେଲା ଯାଉଥିବା ବେଳେ ଘଟଣାସ୍ଥଳରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ସ୍କୁଟିକୁ ଅତିକ୍ରମ କରୁଥିବାବେଳେ ସାମନା ପଟୁ ଦୃତ ଗତିରେ ବାଇକ ଟି ଆସି କାର ସମ୍ମୁଖରେ ଧକ୍କା ଦେଇଥିଲା ।

 

ଫଳରେ ବାଇକ ଆରୋହି ଗୁରୁତର ହେବାସହ କାର ର ଆଗ ଚକ ଓ ବନେଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଗୁରୁତର ପାଲ୍ଲହଡା ଥାନା କମ୍ପରକଳା ର ବିନୋଦ କୁମାର ସେଠୀ (୨୬) ଜଣେ ବନ୍ଧୁଙ୍କ ସହ ତେଲକୋଇ ଥାନା ଖୁଣ୍ଟାପଡା ନିଜ ମାମୁ ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।ସୂଚନା ପାଇ ତେଲକୋଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଯୁବକ ଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ତେଲକୋଇ ରେ ପ୍ରାଥମିକ ଚିକିତ୍ସା କରାଇବା ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.