ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ପୂର୍ବତନ ସାଂସଦଙ୍କ ପୁଅ ସମେତ ୩ ମୃତ

ଫୁଲନଖରା: କଟକ ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଛି। ମୃତକ ତିନିଜଣ ଏକ ଦାମୀ ଜାଗୁଆର କାରରେ କଟକରୁ ଭୁବନେଶ୍ୱର ଅଭିମୁଖେ ଯିବ ସମୟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ଦ୍ରୁତ ଗତିରେ ଯାଉଥିବା ଉକ୍ତ କାରଟି ଭାରସାମ୍ୟ ହରାଇ ରାଜପଥ ପାର୍ଶ୍ବରେ ଥିବା ଏକ ଗଛ ସହିତ ପିଟି ହୋଇ କେନାଲକୁ ଖସିଯାଇଥିଲା। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଣିରେ ବୁଡ଼ି ରହିଥିବା କାର ମଧ୍ୟରୁ ତିନିଜଣଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲକୁ ପଠାଇଥିଲା। ମାତ୍ର ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହି ମୃତକମାନେ ହେଲେ ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ, ସଦର ଥାନା ଗୋପାଳପୁର ଅଞ୍ଚଳର ଗୌତମ ଦାସ ଓ ବ୍ରହ୍ମପୁରର ପ୍ରମିରକୁମାର ମଧୁପତି। ଏମାନେ ସମସ୍ତେ ଗୋପାଳପୁରରୁ ଏକ ସୁଧଘର କାର୍ଯ୍ୟ ସାରି ଫେରୁଥିବା ବେଳେ ଏପରି ଶୋଚନୀୟ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ଏହି ଦୁର୍ଘଟଣାରେ ଅନ୍ୟୁନ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ଦାମୀ କାରଟି ଭାଙ୍ଗିରୁଜି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ କାରକୁ ଜବତ କରିବା ସହିତ ଦୁର୍ଘଟଣାର କାର ସମ୍ପର୍କରେ ତଦନ୍ତ ଚଳାଇଛି।

Comments are closed.